ମହିଳା ଟି-୨୦ ବିଶ୍ୱକପ ଫାଇନାଲ: ଭାରତର ବ୍ୟାଟିଂ ବିପର୍ଯ୍ୟୟ
ମେଲବର୍ଣ୍ଣ: ପ୍ରଥମଥର ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ଭାରତୀୟ ଦଳ ଏକ ପ୍ରକାରର ଚିତପଟାଙ୍ଗ ମାରିଛି। ଅଷ୍ଟ୍ରେଲିଆ ଦେଇଥିବା ୧୮୫ ରନ୍ ଟାର୍ଗେଟକୁ ପିଛା କରୁଥିବା ଦଳ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୧ ଓଭର ସୁଦ୍ଧା ଦଳ ୪ ୱିକେଟ ହରାଇ ମାତ୍ର ୫୬ ରନ୍ କରିଛି। ରିପୋର୍ଟ ଲେଖା ହେବା ବେଳକୁ ଦୀପ୍ତି ଶର୍ମା ୧୪ ଓ ଭେଦା କ୍ରିଷ୍ଣମୂର୍ତ୍ତି ୧୮ ରନ୍ କରି ଅପରାଜିତ ରହିଛନ୍ତି। ଅନ୍ୟପକ୍ଷରେ ଦଳ ୪ଟି ୱିକେଟ ହରାଇଥିବା ବେଳେ ତାନିୟା ଭାଟ୍ଟିଆ ୨ ରନ୍ କରି ରିଟାଡ୍ ହର୍ଟ ହୋଇ ପ୍ୟାଭିଲିୟ ଫେରିଛନ୍ତି।
ଅଷ୍ଟ୍ରେଲିଆ ପକ୍ଷରୁ ବେଥ ମୁନୀ ଅପରାଜିତ ୭୮ ରନ୍ର ଇନିଂସ୍ ଖେଳିଥିବା ବେଳେ ଅଲିସା ହିଲୀ ବିସ୍ଫୋରକ ୭୫ ରନ୍ କରିଛନ୍ତି। ଫଳରେ ଅଷ୍ଟ୍ରେଲିଆ ୧୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ପ୍ରଥମ ଓଭରରେ ଯୁବ ତାରକା ଶେଫାଳି ବର୍ମା(୨)ଙ୍କୁ ହରାଇଥିଲା।
ଖାତା ଖୋଲିବା ପୂର୍ବରୁ ଜେମିମା ରୋଡ୍ରିଗ୍ସ ସ୍ପିନର ଜେସ ଜୋନାସେନଙ୍କ ବଲରେ ଆଉଟ ହୋଇଥିଲେ। ସ୍ମୃତି ମନ୍ଧାନା ୮ ବଲରେ ୧୧ ରନ୍ କରିଥିବା ବେଳେ ସୋଫିଆ ମୋଲିନେକ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ପୂରା ଟୁର୍ଣ୍ଣାମେଣ୍ଟ ଭଳି ଅଧିନାୟକ ହରମନପ୍ରୀତ କୌର ବି ବେଶୀ କିଛି କରି ପାରି ନଥିଲେ।
ସେ ୪ ରନ୍ କରି ଜୋନାସେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। କୌର ଆଉଟ ହେବା ବେଳେ ଦଳୀୟ ସ୍କୋର ୩୦ ଥିଲା। ଦଳ ୩୦ ରନ୍ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ଭେଦା ଓ ଦୀପ୍ତିଙ୍କ ଉପରେ ପୂରା ଟିମ ନିର୍ଭର କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।