ବିରାଟ ଓ ଶିଖରଙ୍କ ଶତକ ବେକାର: ଅଷ୍ଟ୍ରେଲିଆଠାରୁ ପୁଣି ହାରିଲା ଭାରତ

kohli-sikharକାନବେରା: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ହାରି ସାରିଥିବା ଭାରତୀୟ ଦଳ ଆଜି ସମ୍ମାନ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ହେଁ ପୁଣି ଥରେ ଘରୋଇ ଦଳଠାରୁ ପରାଜିତ ହୋଇଛି। ବିରାଟ କୋହଲି ଓ ଶିଖର ଧାୱନଙ୍କ ଶତକ ସତ୍ତ୍ୱେ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଛି ଧୋନି ବାହିନୀକୁ। ଦଳ ଅଷ୍ଟ୍ରେଲିଆଠାରୁ ୨୫ ରନରେ ହାରି ଯାଇଛି। ଅଷ୍ଟ୍ରେଲିଆ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍ କରିଥିବା ବେଳେ ଭାରତ ୪୯.୨ ଓଭରରେ ୩୨୩ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ୫ଟି ୱିକେଟ୍ ନେଇ ଭାରତଠାରୁ ମ୍ୟାଚ୍ ଛଡ଼ାଇ ନେଇଥିବା କେନ୍ ରିଚାର୍ଡସନଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପ୍ରଦାନ କରାଯାଇଛି।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ଭାରତ ଆଗରେ ୩୪୮ ରନ୍ ସଂଗ୍ରହ କରିଥିଲା।  ଦଳପକ୍ଷରୁ ଆରୋନ ଫିଞ୍ଚ୍ ୧୦୭ ବଲରୁ ୧୦୭ ରନ୍ କରିଥିବା ବେଳେ ଡାଭିଡ୍ ୱାର୍ନର ୯୩, ମିଚେଲ୍ ମାର୍ଶ ୩୩, ଷ୍ଟିଭ୍ ସ୍ମିଥ୍ ୫୧ ଓ ଗ୍ଲେନ୍ ମାକ୍ସୱେଲ ୪୧ ରନ୍ କରିଥିଲେ।

ଭାରତ ପକ୍ଷରୁ ଇଶାନ୍ତ ଶର୍ମା ୪ଟି ଓ ଉମେଶ ଯାଦବ୍ ୩ଟି ୱିକେଟ୍ ନେଇଥିଲେ।

୩୪୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଦଳର ପ୍ରାରମ୍ଭ ଖୁବ୍ ବଢ଼ିଆ ଥିଲା। ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଶତକ ହାସଲ କରିଥିବା ରୋହିତ ଶର୍ମା ୪୧ ରନ୍ କରି ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୬୫ ରନରେ ପହଞ୍ଚିଥିଲା। ଏହା ପରେ ୩୦ ଓଭର ଧରି କମାଲ ଦେଖାଇଥିଲେ ଶିଖର ଧାୱନ ଓ ବିରାଟ କୋହଲି। ଦୁହେଁ ଧୂଆଁଧାର ବ୍ୟାଟିଂ କରିଥିଲେ। ୩୭.୩ ଓଭରରେ ଧାୱନ ୧୨୬ ରନ୍ (୧୧୩ ବଲ୍, ୧୪ଟି ୪, ୨ଟି ଛକା) କରି ଜନ୍ ହାଷ୍ଟିଙ୍ଗ୍ସଙ୍କ ଏକ ବଲରେ ଜର୍ଜ ବେଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୨୭୭ରେ ପହଞ୍ଚି ଯାଇଥିଲା। ୩୭ତମ ଓଭରର ଶେଷ ବଲରେ କୋହଲି ବି ଆଉଟ୍ ହୋଇ ଯାଇଥିଲେ। ସେ ୯୨ ବଲରୁ ୧୦୬ ରନ୍ କରି ଆଉଟ୍ ହୋଇଥିଲେ। ଆଉ ଏହା ପରେ ଭାରତୀୟ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରି ନ ଥିଲେ। ରବୀନ୍ଦ୍ର ଜାଡେଜା ୨୪ ରନ୍ କରି କ୍ରିଜର ଗୋଟିଏ ପାଖ ସମ୍ଭାଳିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ପାର କରି ପାରି ନ ଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶୂନରେ ଆଉଟ୍ ହୋଇଥିଲେ। ଗୁରକ୍ରୀତ ମନ ସିଂହ ୬ଟି ବଲରୁ ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଜିଙ୍କ୍ୟ ରାହାଣେ ୨ (୩ଟି ବଲ୍), ରିଷି ଧାୱନ ୯ (୮ ବଲ୍), ଭୁବନେଶ୍ୱର କୁମାର ୨ (୧୧ ବଲ୍), ଉମେଶ ଯାଦବ ୨ (୧୧ ବଲ୍) ଓ ଇଶାନ୍ତ ଶର୍ମା କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କେନ୍ ରିଚାର୍ଡସନ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଜନ୍ ହାଷ୍ଟିଙ୍ଗ୍ସ ଓ ମିଚେଲ୍ ମାର୍ଶ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ନାଥାନ୍ ଲିଓନ ଗୋଟିଏ ୱିକେଟ୍ ନେଇଛନ୍ତି।