ବାରବାଟୀ ଦିନିକିଆ: ୧୫ ରନ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ

କଟକ: ବାରବାଟୀ ହାଏ ସ୍କୋରିଂ ମ୍ୟାଚ୍‌କୁ ଭାରତ ୧୫ ରନ୍‌ରେ ଜିତି ନେଇଛି। ୩୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୩୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୧୨୭ ବଲ୍‌ରେ ୨୧ ଚୌକା ଓ ୩ ଛକା ମାରି ୧୫୦ ରନ୍‌ କରିଥିବା ଯୁବରାଜ ସିଂହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ଏହି ବିଜୟ ପରେ ୩ଟିକିଆ ସିରିଜକୁ ଭାରତ ୨-୦ରେ ଜିତି ନେଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ଦଳ ମାତ୍ର ୨୫ ରନ୍‌ରେ ୩ଟି ୱିକେଟ୍ ହରାଇଥିଲା। ଓପନର ଲୋକେଶ ରାହୁଲ, ଶିଖର ଧାୱନ ଓ ବିରାଟ କୋହଲି ଆଉଟ୍ ହୋଇଯାଇଥିଲେ। ୨.୧ ଓଭରରେ ଭାରତର ପ୍ରଥମ ୱିକେଟ୍ ଯାଇଥିଲା। ମାତ୍ର ୫ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ରାହୁଲ। ଦଳୀୟ ସ୍କୋର ୨୨ ରନ୍‌ ହୋଇଥିବା ବେଳେ ଆଉଟ୍ ହୋଇଥିଲେ କୋହଲି। ସେ ୮ ରନ୍ କରି କ୍ରିସ୍ ଓକ୍‌ସଙ୍କର ଏକ ବଲ୍‌ରେ ବେନ୍ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଶିଖର ଧାୱନ ୧୧ ରନ୍ କରି କ୍ରିସ୍‌ ଓକ୍‌ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଏହାପରେ ଯୁବରାଜ ଏବଂ ଧୋନି ଇଂନିସ୍‌ ସମ୍ଭାଳିବା ସହ ରନ୍‌ର ଗତି ବଢାଇଥିଲେ। ଉଭୟ ଚତୁର୍ଥ ୱିକେଟରେ ୨୫୬ ରନ୍‌ କରିଥିଲେ। ଯୁବରାଜଙ୍କ ପରେ କ୍ରିଜ୍‌କୁ ଆସିଥିବା କେଦାର ଯାଦବ ବେଶି ସମୟ ତିଷ୍ଠି ପାରି ନ ଥିଲେ। ଦଳୀୟ ସ୍କୋର ୩୨୩ ଥିବା ବେଳେ ସେ ୨୨ ରନ୍‌ କରି ଏଲ. ପ୍ଲୁକେଣ୍ଟ ବଲରେ ଜେକ୍‌ ବଲ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଏହାପରେ ଧୋନିଙ୍କ ୧୩୪ ରନ୍‌ (୧୦ ଚୌକା ଓ ୬ ଛକା) କରି ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡେ ୧୯ ଏବଂ ରବିନ୍ଦ୍ର ଜାଡେଜା ୧୬ ରନ୍‌ ବଳରେ ଭାରତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୮୧ ରନ୍‌ କରିଥିଲା।

ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍‌ସଙ୍କ ୪ଟି ଏବଂ ଏଲ. ପ୍ଲୁକେଣ୍ଟ ୨ଟଇ ୱିକେଟ୍‌ ନେଇଥିଲେ।

୩୮୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡର ଆରମ୍ଭ ମଧ୍ୟ ଭଲ ହୋଇ ନ ଥିଲା। ଦଳୀୟ ସ୍କୋର ୨୮ ଥିବା ବେଳେ ଏ. ହାଲେସ୍‌ ୧୪ ରନ କରି ବୁମରାଙ୍କ ପ୍ରଥମ ଶିକାର ହୋଇଥିଲେ। ବୁମରା ତାଙ୍କୁ ଧୋନିଙ୍କ ଦ୍ୱାରା କ୍ୟାଚ୍‌ କରାଯାଇଥିଲେ। ହାଲେସ୍‌ଙ୍କ ପରେ ଓପ୍ନର ଜେ. ରୟଙ୍କ ସହ କ୍ରିଜରେ ଜେ. ରୋଟ୍‌ ଯୋଗଦେଇଥିଲେ। ଉଭୟଙ୍କ ମଧ୍ୟରେ ୧୦୦ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଅଶ୍ୱିନ ରୋଟ୍‌ଙ୍କୁ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ୍‌ କରାଇ ଏଥିରେ ବ୍ରେକ୍‌ ଲଗାଇଥିଲେ। ଅଧିନାୟକ ଇ. ମୋରଗାନ କ୍ରିଜ୍‌କୁ ଆସି ପାରି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କ୍ରିଜ୍‌ରେ ସେଟ୍‌ ହୋଇଯାଇଥିବା ରୟ ୮୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହା ପରେ ନିୟମିତ ବ୍ୟବଧାନରେ ଦଳ ୱିକେଟ୍‌ ହରାଇଥିଲା। ମୋରଗାନ ଗୋଟିଏ ପଟେ ଛିଡା ହୋଇଥିବା ବେଳେ ଅନ୍ୟପଟରୁ ୱିକେଟ୍‌ ପଡି ଚାଲିଥିଲା। ମୋଇନ ଅଲ୍ଲୀ ୫୫ ରନ୍‌ର ଅର୍ଦ୍ଧ ଶତକୀୟ ପାରି ଖେଳିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା। ଶେଷ ବ୍ୟାଟ୍ସମ୍ୟାନ ଭାବେ ମୋରଗାନ ୧୦୨ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ।

ଭାରତ ପକ୍ଷା ରବିଚନ୍ଦ୍ରନ ଅଶ୍ୱିନ ୩ଟି ୱିକେଟ୍‌ ନେଇଥିବା ବେଳେ ବୁମରା ୨, ଭୁବନେଶ୍ୱର କୁମାର ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।