ମହିଳା ଦିବସରେ ୱିମେନ ଟି-୨୦ ଟାଇଟଲ ଲଢ଼େଇ, ପ୍ରଥମଥର ଟ୍ରଫି ଜିତିବା ଲକ୍ଷ୍ୟରେ ଭାରତ

ମେଲବର୍ଣ୍ଣ: ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ମହିଳା ଦିବସରେ ଦୁଇ ମହିଳା ଟିମ ଟି-୨୦ ବିଶ୍ୱକପ ଟାଇଟଲ ପାଇଁ ପଡ଼ିଆକୁ ଓହ୍ଲାଇବେ। ଗୋଟିଏ ପଟେ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଭାରତ ଓ ଅନ୍ୟପଟେ ରହିଛି ଶକ୍ତିଶାଳୀ ତଥା ୪ ଥର ଟି-୨୦ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ। ଆସନ୍ତାକାଲି ମହିଳା ଦିବସ ସାଙ୍ଗକୁ ଟିମ୍‌ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌରଙ୍କ ୩୧ତମ ଜନ୍ମ ଦିନ। ତେଣୁ ଆସନ୍ତାକାଲି ମ୍ୟାଚ୍‌ ଘରୋଇ ଅଷ୍ଟ୍ରେଲିଆ ଅପେକ୍ଷା ଭାରତ ପାଇଁ […]

i

i

Hemant Lenka
  • Published: Saturday, 07 March 2020
  • Updated: 07 March 2020, 05:32 PM IST

Sports

Latest News

ମେଲବର୍ଣ୍ଣ: ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ମହିଳା ଦିବସରେ ଦୁଇ ମହିଳା ଟିମ ଟି-୨୦ ବିଶ୍ୱକପ ଟାଇଟଲ ପାଇଁ ପଡ଼ିଆକୁ ଓହ୍ଲାଇବେ। ଗୋଟିଏ ପଟେ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଭାରତ ଓ ଅନ୍ୟପଟେ ରହିଛି ଶକ୍ତିଶାଳୀ ତଥା ୪ ଥର ଟି-୨୦ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ। ଆସନ୍ତାକାଲି ମହିଳା ଦିବସ ସାଙ୍ଗକୁ ଟିମ୍‌ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌରଙ୍କ ୩୧ତମ ଜନ୍ମ ଦିନ। ତେଣୁ ଆସନ୍ତାକାଲି ମ୍ୟାଚ୍‌ ଘରୋଇ ଅଷ୍ଟ୍ରେଲିଆ ଅପେକ୍ଷା ଭାରତ ପାଇଁ ବେଶ ଗୁରୁତ୍ୱବହନ କରିବ।

ଭାରତୀୟ ସମୟ ମଧ୍ୟାହ୍ଣ ୧୨,୩୦ରେ ଟାଇଟଲ ପାଇଁ ଲଢ଼େଇ ଆରମ୍ଭ ହେବ। ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ମାତ ଦେଇ ଭାରତ ଟ୍ରଫି ଜିତିବାକୁ ଜୋରଦାର ଉଦ୍ୟମ କରିବ।

ଭାରତୀୟ ମହିଳା ଦଳ ଏଯାଏ ବିଶ୍ୱକପରେ ଅପରାଜେୟ ରହିଛି। ସେହିପରି ଅଷ୍ଟ୍ରେଲିଆ ୪ଥର ଟି-୨୦ରେ ଚାମ୍ପିୟନ ହୋଇଛି। ଭାରତ ଓ ଅଷ୍ଟ୍ରେଲିଆ ଟି-୨୦ରେ ପରସ୍ପରକୁ ୧୯ଥର ଭେଟିଛନ୍ତି। ଏଥିରୁ ଅଷ୍ଟ୍ରେଲିଆ ୧୩ ଥର ଜିତିଥିବା ବେଳେ ଭାରତ ମାତ୍ର ୬ଥର ଜିତିଛି। ଏହାପୂର୍ବରୁ ମିତାଲି ରାଜଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଦିନିକିଆ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଦଳ ଇଂଲଣ୍ଡ ଠାରୁ ଉପ ବିଜେତା ହୋଇଥିଲା।

ଏଥର ଦଳ ଟି-୨୦ ବିଶ୍ୱକପ ଜିତିବାକୁ ପୂରା ଦମ ଲଗାଇବ। ଓଭରଅଲ୍ ରେକର୍ଡକୁ ଦେଖିଲେ, ଭାରତ ଭାରତ ୬ଟି ସଂସ୍କରଣ ମଧ୍ୟରୁ ତିନିଥର (୨୦୦୯, ୨୦୧୦ ଓ ୨୦୧୮) ସେମିଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ତିନିଥର (୨୦୧୨, ୨୦୧୪ ଓ ୨୦୧୬) ଗ୍ରୁପ୍ ପର୍ଯ୍ୟାୟରୁ ଆଉଟ୍ ହୋଇଛି।

ଆସନ୍ତାକାଲି ମ୍ୟାଚ୍‌ରେ ଷୋଡ଼ଶି ଶେଫାଳି ବର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ ସେ ଟୁର୍ଣ୍ଣାମେଣ୍ଟରେ ଏଯାଏ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସର୍ବାଧିକ ରନ ହାସଲକାରୀ ହେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ଭାରତର ବୋଲିଂ ବାହିନୀ ବେଶ ଶକ୍ତ। ହେଲେ ମଧ୍ୟକ୍ରମ ବ୍ୟାଟସମ୍ୟାନ ବାରମ୍ବାର ବିଫଳ ହେଉଥିବାରୁ ଏହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

ଭାରତ ଟ୍ରଫି ଜିତିବାକୁ ହେଲେ ଆସନ୍ତାକାଲି ଦୁଇ ଅଭିଜ୍ଞ ବ୍ୟାଟସଓମେନ ସ୍ମିତି ମନ୍ଧାନା ଓ ହରମନପ୍ରୀତ କୌରଙ୍କ ବ୍ୟାଟ ଚାଲିବା ନିହାତି ଜରୁରୀ। ଏହାବାଦ୍‌ ଜେମିମାଙ୍କୁ ଛାଡ଼ି ଦେଲେ ଭେଦା କ୍ରିଷ୍ଣମୂର୍ତ୍ତି ଓ ତାନିୟା ଭାଟିଆ ଏଯାଏ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ସେମାନଙ୍କୁ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୀପ୍ତି ଶର୍ମା ଗୋଟିଏ ମ୍ୟାଚ୍‌ ଛାଡ଼ି ଦେଲେ ଆଉ କୌଣସି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିନାହାନ୍ତି। ଭାରତକୁ ଏସବୁ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ।

ଅଷ୍ଟ୍ରେଲିଆ ନିକଟରେ ଭାରତକୁ ତ୍ରିପାକ୍ଷିକ ସିରିଜ୍ ଫାଇନାଲରେ ପରାସ୍ତ କରିଥିଲା। ସେହିପରି ଟି-୨୦ ବିଶ୍ୱକପର ୭ଟି ସଂସ୍କରଣରୁ ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ଫାଇନାଲ ଖେଳୁଛି। ତେଣୁ ଦଳ ପ୍ରେସରକୁ ହ୍ୟାଣ୍ଡେଲ କରିବାର କଳା ନିଜ ପାଖରେ ରଖିଛି। ଭାରତ ପାଇଁ ଶେଫାଳି ବର୍ମା ସବୁ ମ୍ୟାଚ୍‌ରେ ଦ୍ରୁତ ଆରମ୍ଭ କରୁଛନ୍ତି। ହେଲେ ଅନ୍ୟମାନଙ୍କୁ ଆସନ୍ତକାଲି ତାଙ୍କର ସାଥ ଦେବାକୁ ପଡ଼ିବ।

ଯଦି ଶେଫାଳି ଫେଲ ମାରୁଛନ୍ତି, ତା’ହେଲେ ଦଳ ବଡ଼ ସ୍କୋର କରିପାରିବ କି ନାହିଁ, ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୧୫୦ରୁ ଅଧିକ ରନ କରିପାରି ନାହିଁ। ତଥାପି ବୋଲରଙ୍କ ଦମରେ ମ୍ୟାଚ୍‌ ଜିତିଛି। ଲେଗ ସ୍ପିନର ପୁନମ ଯାଦବ ଏଯାଏ ଟୁର୍ଣ୍ଣାମେଣ୍ଟରେ ୯ଟି ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆର ମେଗନା ସ୍କଟ ମଧ୍ୟ ସମାନ ୯ଟି ୱିକେଟ ଦଖଲ କରିଛନ୍ତି।

ଦ୍ରୁତ ବୋଲର ଶିକ୍ଷା ପାଣ୍ଡେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ଏହାବାଦ ଦୁଇ ବାମହାତୀ ସ୍ପିନର ରାଧା ଯାଦବ ଓ ରାଜେଶ୍ୱରୀ ଗାଏକ୍ୱାଡ ଦରକାର ବେଳେ ଦଳକୁ ସଫଳତା ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ପୁନମ ଯାଦବ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଘାଇଲା କରିଥିଲେ। ଆସନ୍ତାକାଲି ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ।

ଭାରତ ଠାରୁ ପ୍ରଥମ ମ୍ୟାଚ୍‌ ହାରିଥିବା ମେଗ ଲାନିଙ୍ଗଙ୍କ ଅଷ୍ଟ୍ରେଲିଆ ଜବରଦସ୍ତ କମବ୍ୟାକ କରି ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଟିକେଟ ହାସଲ କରିଛି। ମେଗ ଲାନିଙ୍ଗ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ଏହାବାଦ ଆଲିସା ହିଲୀ ଓ ବେଥ୍ ମୁନୀ ବି ଟପ୍ ଗିୟରରେ ବ୍ୟାଟିଂ କରୁଛନ୍ତି। ମେଗାନ୍ ସ୍କଟ୍ ବି ଭଲ ବୋଲିଂ କରୁଛନ୍ତି। ହେଲେ ଦଳ ପାଖରେ ଏଲିସା ପେରୀ ନାହାନ୍ତି। ଏହି ଅଲରାଉଣ୍ଡରଙ୍କ ଅନୁପସ୍ଥିତି ଦଳ ନିଶ୍ଚିତ ଆସନ୍ତାକାଲି ଅନୁଭବ କରିବ।

ସ୍କ୍ୱାଡ

ଅଷ୍ଟ୍ରେଲିଆ: ଏରିନ୍ ବର୍ନସ୍, ନିକୋଲା କ୍ୟାରୀ, ଆଶଲେ ଗାର୍ଡନର୍, ରାଚେଲ୍ ହାନେସ୍ (ଭାଇସ୍-କ୍ୟାପଟେନ୍), ଆଲିସା ହିଲୀ (ୱିକେଟକିପର), ଜେସ୍ ଜୋନାସେନ, ଡେଲିସା କିମିନ୍ସ, ମେଗ୍ ଲାନିଙ୍ଗ୍ (କ୍ୟାପଟେନ୍), ସୋଫି ମୋଲିନକ୍ସ, ବେଥ୍ ମୁନୀ, ମେଗାନ୍ ସ୍କଟ୍, ଆବାବେଲ୍ ସଦରଲ୍ୟାଣ୍ଡ୍, ଜର୍ଜିଆ ୱାରେହାମ୍।

ଭାରତ: ତାନିଆ ଭାଟିଆ (ୱିକେଟକିପର), ହର୍ଲୀନ୍ ଦେଓଲ, ରାଜେଶ୍ୱରୀ ଗାଏକ୍ୱାଡ୍‌, ରିଚା ଘୋଷ, ହରମନପ୍ରୀତ କୌର୍ (କ୍ୟାପଟେନ୍‌), ବେଦା କ୍ରିଷ୍ଣମୂର୍ତ୍ତୀ, ସ୍ମୃତି ମନ୍ଧାନା, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ଶେଫାଳି ବର୍ମା, ପୁନମ ଯାଦବ, ରାଧା ଯାଦବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos