ମୁମ୍ବାଇ: ପୁଣିଥରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗଙ୍କ ବ୍ୟାଟିଂ ଯାଦୁ ଦେଖିଛି ସାରା ବିଶ୍ୱ। ଉଭୟ ନିୟମିତ କ୍ରିକେଟ ଖେଳିବା ବେଳେ ଯେଉଁଭଳି ବଡ଼ବଡ଼ ବୋଲରଙ୍କୁ କଡ଼ା ପ୍ରହାର କରୁଥିଲେ ଏବେ ବି ସେମାନଙ୍କ ବ୍ୟାଟର ଧାର କମି ନଥିବା ସ୍ପଷ୍ଟ ହୋଇଯାଇଛି।
ଶନିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଇଣ୍ଡିଆ ଲିଜେଣ୍ଡ୍ସ ଓ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ସଚିନ ଓ ସେହୱାଗଙ୍କ ଜଲୱା ଦେଖିବାକୁ ମିଳିଛି। ଉଭୟ ପ୍ରଥମ ୱିକେଟ ପାଇଁ ୮୩ ରନ୍ ଯୋଡ଼ି ବ୍ରାଏନ ଲାରାଙ୍କ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ରେ ଓଡ଼ିଆ ତାରକା ପ୍ରଜ୍ଞାନ ଓଝା ମଧ୍ୟ ଖେଳୁଥିଲେ। ସେ ଦୁଇଟି ୱିକେଟ ଦଖଲ କରିଛନ୍ତି। ସଚିନ ୩୬ ରନ୍ କରି ଆଉଟ ହୋଇଥିବା ବେଳେ ସେହୱାଗ ଶେଷ ଯାଏ ୭୪ ରନ୍ କରି ଅପରାଜିତ ରହିଥିଲେ।
ଅବସରପ୍ରାପ୍ତ କ୍ରିକେଟ୍ ତାରକାଙ୍କୁ ନେଇ ସଡ଼କ ସୁରକ୍ଷା ବିଶ୍ୱ ସିରିଜ୍ କ୍ରିକେଟ୍ ଅନୁଷ୍ଠିତ ହେଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଇଣ୍ଡିଆ ଲିଜେଣ୍ଡ୍ସ ଚମତ୍କାର ଶୈଳୀରେ ବିଜୟ ହାସଲ କରି ତା’ର ଅଭିଯାନ ଆରମ୍ଭ କରିଛି।
ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୫୦ ରନ୍ କରିଥିଲା। ଦଳ ପକ୍ଷରୁ ଶିବ ନାରାୟଣ ଚନ୍ଦ୍ରପଲ ୬୧ ରନ୍ କରିଥିବା ବେଳେ ଲାରା ୪ଟି ଚୌକା ସହାୟତାରେ ୧୭ ରନ୍ କରିଥିଲେ। ଏହାର ଜବାବରେ ଭାରତ ଲିଜେଣ୍ଡ୍ସ ପକ୍ଷରୁ ସଚିନ ଓ ସେହୱାଗ ଇନିଂସ୍ ଆରମ୍ଭ କରିଥିଲେ।
ଉଭୟ ପୁରୁଣା ଯାଦୁ ଦେଖାଇ ଆରମ୍ଭରୁ ଦମଦାର ଶଟ ମାରିଥିଲେ। ଏଥିସହ ପ୍ରଥମ ୱିକେଟ୍ ପାଇଁ ୮୩ ରନ୍ ଯୋଡ଼ି ଭାରତ ଲିଜେଣ୍ଡ୍ସ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ସଚିନ ୩୬ ରନ୍ (୨୯ ବଲ୍, ୭ ଚୌକା) କରି ସୁଲେମାନନ ବେନଙ୍କ ବଲରେ ଆଉଟ୍ ହୋଇଥିଲେ। ହେଲେ ସେହୱାଗ (୭୪* ରନ୍, ୫୭ ବଲ୍) ଆରମ୍ଭରୁ ଶେଷ ଯାଏ ଅପରାଜିତ ରହିଥିଲେ।
ସେ ୧୧ଟି ଚୌକା ମାରିଛନ୍ତି। ଭାରତ ଲିଜେଣ୍ଡ୍ସ ପକ୍ଷରୁ ମହମ୍ମଦ କୈଫ ୧୪ ରନ୍ କରିଥିବା ବେଳେ ମନପ୍ରୀତ ଗୋନି ଖାତା ଖୋଲି ପାରି ନଥିଲେ। ଉଭୟଙ୍କୁ କାର୍ଲ ହୁପର ଆଉଟ କରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଯୁବରାଜ ସିଂହ ଓ ସେହୱାଗ ଭାରତ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ଯୁବରାଜ ୧୦ ରନ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।