ଈଶାନ୍ତଙ୍କ ଗୋଲାପୀ ଝଡ଼, ଘାଇଲା ହେଲା ବାଂଲା ଟାଇଗର୍‌

କୋଲକାତା: ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିବାର ଠାରୁ ମାତ୍ର ୪ ୱିକେଟ ଦୂରରେ ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସ୍‌ରେ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂରେ ଛାରଖାର ହୋଇଯାଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ସମଦଶା ଭୋଗିଛି। ପ୍ରଥମ ଇନିଂସ୍‌ରେ ଈଶାନ୍ତ ଶର୍ମା ଗୋଲାପୀ ବଲରେ ୫ଟି ୱିକେଟ ଦଖଲ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୪ଟି ୱିକେଟ ନେଇ ବାଂଲାଦେଶ ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରିଦେଇଛନ୍ତି। ପ୍ରଥମ ଥର ଭାରତ ଓ […]

vb

vb

Hemant Lenka
  • Published: Saturday, 23 November 2019
  • Updated: 23 November 2019, 09:09 PM IST

Sports

Latest News

କୋଲକାତା: ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିବାର ଠାରୁ ମାତ୍ର ୪ ୱିକେଟ ଦୂରରେ ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସ୍‌ରେ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂରେ ଛାରଖାର ହୋଇଯାଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ସମଦଶା ଭୋଗିଛି। ପ୍ରଥମ ଇନିଂସ୍‌ରେ ଈଶାନ୍ତ ଶର୍ମା ଗୋଲାପୀ ବଲରେ ୫ଟି ୱିକେଟ ଦଖଲ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୪ଟି ୱିକେଟ ନେଇ ବାଂଲାଦେଶ ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରିଦେଇଛନ୍ତି।

ପ୍ରଥମ ଥର ଭାରତ ଓ ବାଂଲାଦେଶ ପିଙ୍କ ବଲରେ ଦିବାରାତ୍ର ଟେଷ୍ଟ ଖେଳୁଛନ୍ତି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ୩୪୭/୯ କରିବା ପରେ ପାଳି ଘୋଷଣା କରିଥିଲା।

ଭାରତର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୪୧ ଦୂରରେ ଥିବା ବାଂଲାଦେଶ ଦ୍ୱିତୀୟ ପାଳିରେ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଇନିଂସ୍‌ରେ ଭାରତର ବୋଲିଂ ହିରୋ ଈଶାନ୍ତ ଶର୍ମା ପ୍ରଥମ ଓଭରର ୫ମ ବଲରେ ଶଦମାନ ଇସଲାମଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ ନିଜର ଦ୍ୱିତୀୟ ତଥା ଇନିଂସର ତୃତୀୟ ଓଭରରେ ସେ ତାଙ୍କର ଦ୍ୱିତୀୟ ଶିକାର ଭାବେ ବାଂଲାଦେଶ ଅଧିନାୟକ ମୋମିନୁଲ ହକଙ୍କୁ ଆଉଟ କରିଥିଲେ।

ଇମରୁଲ କେୟିସ ଓ ମହମ୍ମଦ ମିଥୁନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଉମେଶ ଯାଦବ ଏହା କରିବାକୁ ଦେଇ ନଥିଲେ। ସେ ୬ ରନ୍‌ କରିଥିବା ମହମ୍ମଦ ମିଥୁନଙ୍କୁ ମହମ୍ମଦ ଶାମିଙ୍କ ହାତରେ ଆଉଟ କରାଇ ଦେଇଥିଲେ। ଏହାପରେ ଈଶାନ୍ତ ଶର୍ମା ଇମରୁଲ(୫)ଙ୍କୁ ଆଉଟ କରି ବାଂଲାଦେଶକୁ ୪ର୍ଥ ଝଟକା ଦେଇଥିଲେ।

ଦଳ ୧୩ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଲାଗୁଥିଲା ଆଜି ହିଁ ଭାରତ ମ୍ୟାଚ୍‌କୁ କବଜା କରିନେବ। ହେଲେ ବାଂଲାଦେଶର ଦୁଇ ଅଭିଜ୍ଞ ଖେଳାଳି ମୁଶଫିକର ରହିମ ଓ ମହମଦୁଲ୍ଲା ରିୟାଦ ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ସେମାନେ ଭାରତୀୟ ବୋଲରଙ୍କ ଗୋଲାମୀ ଆକ୍ରମଣକୁ ପ୍ରତିହିତ କରିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୫ମ ୱିକେଟ୍‌ ପାଇଁ ୬୯ ରନ୍‌ର ଭାଗିଦାରୀ କରି ସ୍ଥିତି ସମ୍ଭାଳିଥିଲେ। ହେଲେ ଏହି ସମୟରେ ବାଂଲାଦେଶକୁ ବଡ଼ ଝଟକା ଲାଗିଥିଲା। ଭଲ ଲୟରେ ଥିବା ମହମଦୁଲ୍ଲା ୩୯ ରନ୍‌ କରିଥିବା ବେଳେ ମାଂସପେଶୀ ଯନ୍ତ୍ରଣା ଯୋଗୁ ଆଉ ବ୍ୟାଟିଂ ନ କରି ପ୍ୟାଭିଲିୟନ ଫେରିଥିଲେ।

ତେବେ ରହିମଙ୍କ ଉପରେ ଏହାର ପ୍ରଭାବ ପଡ଼ି ନଥିଲା। ସେ ଭାରତୀୟ ବୋଲରଙ୍କ ସହ ଲଢ଼େଇ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ମେହିଦ ହାସ ୧୫ ରନ୍‌ କରି ତାଙ୍କୁ ଭରପୂର ସହଯୋଗ କରିଥିଲେ। ହେଲେ ଏହି ଭାଗିଦାରୀ ୫୧ ରନରେ ପହଞ୍ଚିଥିବା ବେଳେ ଈଶାନ୍ତ ଶର୍ମା ତାଙ୍କ ଦ୍ୱିତୀୟ ସ୍ପେଲରେ ମେହିଦଙ୍କୁ ଆଉଟ କରି ବାଂଲାଦେଶକୁ ୫ମ ଝଟକା ଦେଇଥିଲେ। ଉମେଶ ଯାଦବ ମଧ୍ୟ ତାଙ୍କ ଦ୍ୱିତୀୟ ସ୍ପେଲରେ ତାଇଜୁଲ ହୁସେନ(୧୧)ଙ୍କୁ ଆଉଟ କରିଥିଲେ। ତାଇଜୁଲ ଆଉଟ ହେବା ପରେ ଦ୍ୱିତୀୟ ଦିବସର ଷ୍ଟମ୍ପ ଅପସାରଣ ହୋଇଥିଲା। ଏହି ସମୟରେ ମୁଶଫିକର ୫୯ ରନ୍‌ କରି ଅପରାଜି ରହିଥିଲେ। ଖେଳ ସରିବାକୁ ଆହୁରି ୩ ଦିନ ଥିବା ବେଳେ ବାଂଲାଦେଶ ପାଖରେ ମାତ୍ର ଆଉ ୪ଟି ୱିକେଟ ରହିଛି। ଏବେ ବି ଦଳ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୮୯ ରନ ପଛରେ ରହିଛି।

ଏହାପୂର୍ବରୁ ଭାରତ ଗତକାଲିର ସ୍କୋର ୧୭୩/୩ରୁ ଆଜି ଖେଳ ଆରମ୍ଭ କରିଥିଲା। ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ୪ର୍ଥ ୱିକେଟ ପାଇଁ ୯୯ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୨୩୬ରେ ପହଞ୍ଚାଇଥିଲେ। ଏଥିସହ ବିରାଟ ଓ ରାହଣେ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ବ୍ୟକ୍ତିଗତ ୫୧ ରନ୍‌ କରିଥିବା ରାହଣେ ପ୍ରଥମେ ତାଇଜୁଲ ଇସଲାମଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ରାହଣେଙ୍କ ଆଉଟ କିନ୍ତୁ ବିରାଟଙ୍କ ବ୍ୟାଟିଂ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ସେ ବାଂଲା ବୋଲରଙ୍କୁ ଆକ୍ରମଣ କରି ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଶତକ ହାସଲ କରିଥିଲେ।

୧୫୯ ବଲ୍‌ରେ ବିରାଟ ୧୨ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ବିରାଟଙ୍କୁ ରବୀନ୍ଦ୍ର ଜାଡେଜା(୧୨) କିଛି ସମୟ ପାଇଁ ସହଯୋଗ କରିଥିଲେ। ତେବେ ଦଳୀୟ ସ୍କୋର ୨୮୯ ଥିବା ବେଳେ ସେ ପ୍ୟାଭିଲିୟନ ଫେରିଥିଲେ। ବିରାଟ ବଡ଼ ଶଟ ଖେଳିବା ଲୋଭରେ ୧୩୬ ରନ୍‌ କରି ଇବାଦତ ହୁସେନଙ୍କ ବଲରେ ଆଉଟ ହୋଇଯାଇଥିଲେ।

ବିରାଟ ଆଉଟ ହେବା ସମୟରେ ଦଳୀୟ ସ୍କୋର ୩୦୮ ରହିଥିଲା। ରିଦ୍ଧିମାନ ସାହା ଅପରାଜିତ ୧୭ ରନ୍‌ କରି ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଥିଲେ ହେଁ ଅନ୍ୟ କୌଣସି ଟେଲେଣ୍ଡର ତାଙ୍କୁ ସହଯୋଗ କରିପାରି ନଥିଲେ। ରବିଚନ୍ଦ୍ରନ ଅଶ୍ୱିନ (୯) କିଛି ସମୟ ପାଇଁ ଲଢ଼େଇ କରିଥିଲେ ହେଁ ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

ଭାରତ ୩୪୭/୯ ଥିବା ବେଳେ ପାଳି ଘୋଷଣା କରିଥିଲା। ଏହି ସମୟରେ ସାହା ୧୭ ଓ ମହମ୍ମଦ ଶାମି ୧୦ ରନ୍‌ କରି ଅପରାଜିତ ରହିଥିଲେ।
ବାଂଲାଦେଶ ପକ୍ଷରୁ ଅଲ ଅମୀନ ହୁସେନ ଓ ଇବାଦତ ହୁସେନ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଅବୁ ଜୟଦ ୨ଟି ଓ ତାଇଜୁଲ ଇସଲାମ ଗୋଟିଏ ୱିକେଟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos