ଗୁରୁବାର ଠାରୁ ମିଶନ ଦକ୍ଷିଣ ଆଫ୍ରିକା, ୱିନିଂ ଟ୍ରାକକୁ ଫେରିବା ଲକ୍ଷ୍ୟରେ ଭାରତ

ଧର୍ମଶାଳା: ଆସନ୍ତାକାଲି ଠାରୁ ଟିମ ଇଣ୍ଡିଆର ମିଶନ ଦକ୍ଷିଣ ଆଫ୍ରିକା ଆରମ୍ଭ ହେବ। ନ୍ୟୁଜିଲ୍ୟାଣ୍ଡ ଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ପରାସ୍ତ ହୋଇଥିବା ବିରାଟ ବାହୀନ ଆସନ୍ତାକାଲି ପୁଣିଥରେ ୱିନିଂ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଗୁରୁବାର ଅପରାହ୍ଣ ୧.୩୦ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବ। ଆଇପିଏଲ ପୂର୍ବରୁ ଏହା ଶେଷ ଦିନିକିଆ ସିରିଜ୍‌। ତେଣୁ ଦଳ ବିଜୟ ସହ ତା’ର […]

s

s

Hemant Lenka
  • Published: Wednesday, 11 March 2020
  • Updated: 11 March 2020, 05:49 PM IST

Sports

Latest News

ଧର୍ମଶାଳା: ଆସନ୍ତାକାଲି ଠାରୁ ଟିମ ଇଣ୍ଡିଆର ମିଶନ ଦକ୍ଷିଣ ଆଫ୍ରିକା ଆରମ୍ଭ ହେବ। ନ୍ୟୁଜିଲ୍ୟାଣ୍ଡ ଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ପରାସ୍ତ ହୋଇଥିବା ବିରାଟ ବାହୀନ ଆସନ୍ତାକାଲି ପୁଣିଥରେ ୱିନିଂ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଗୁରୁବାର ଅପରାହ୍ଣ ୧.୩୦ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବ।

ଆଇପିଏଲ ପୂର୍ବରୁ ଏହା ଶେଷ ଦିନିକିଆ ସିରିଜ୍‌। ତେଣୁ ଦଳ ବିଜୟ ସହ ତା’ର ଅଭିଯାନ ଶେଷ କରିବାକୁ ଚାହିଁବ। ଏଥିପାଇଁ ଦଳ ଆଜି ଜୋରଦାର ଅଭ୍ୟାସ କରିଛି।

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ ଓ ଭୁବନେଶ୍ୱର କୁମାର ନଥିଲେ। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଏହି ୩ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ତେଣୁ ଦଳକୁ ଏହା ଅଧିକ ଶକ୍ତିଶାଳୀ କରିଛି।

ପାଣ୍ଡ୍ୟା ଶେଷ ଥର ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ତେଣୁ ସେ କେମିତି କମବ୍ୟାକ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିବ। ମ୍ୟାଚ୍‌ ପାଇଁ ପାଣ୍ଡ୍ୟା ବେଶ ଉତ୍ସାହିତ ଓ ସେ ଝାଲ ବୁହା ପରିଶ୍ରମ ମଧ୍ୟ କରିଛନ୍ତି।

ଏହାବାଦ ଧୱନଙ୍କ ସହ ଆସନ୍ତାକାଲି ପୃଥ୍ୱୀ ଶ’ ଇନିଂସ ଆରମ୍ଭ କରିବେ। ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ରେ ଶ’ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲେ। ତେଣୁ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ବିରାଟ କୋହଲିଙ୍କ ବ୍ୟାଟରୁ ଦୀର୍ଘଦିନ ହେଲା ରନ୍‌ ବାହାରିନାହିଁ। ସେ ନ୍ୟୁଜିଲ୍ୟାଣ୍ଡ ସିରିଜରେ ମାତ୍ର ୭୫ ରନ କରିଥିଲେ। ତେଣୁ ବିରାଟ ଆଇପିଏଲ ପୂର୍ବରୁ ବଡ଼ ଇନିଂସ୍‌ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।

୬ନଂ ସ୍ଥାନକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ପାଣ୍ଡ୍ୟା ହିଁ ଏହି ସ୍ଥାନରେ ବ୍ୟାଟିଂ କରିବେ। ପୂର୍ବରୁ କେଦାର ଯାଦବ ଏହି ସ୍ଥାନରେ ବ୍ୟାଟିଂ କରୁଥିଲେ। ତେବେ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ତାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି।

କେଏଲ ରାହୁଲ ୫ନଂରେ ବ୍ୟାଟିଂ କରିବେ। ଯଦି ଏପରି ହୁଏ, ତା’ହେଲେ ଋଷଭ ପନ୍ତଙ୍କୁ ପୁଣିଥରେ ବେଞ୍ଚରେ ବସିବାକୁ ପଡ଼ିବ। ଶ୍ରେୟସ ଆୟର ୪ନଂରେ ବ୍ୟାଟିଂ କରିବା ଏକ ପ୍ରକାରର ନିଶ୍ଚିତ।

ଦଳରେ କୁଲଦୀପ ଯାଦବ କିମ୍ବା ୟୁଜବେନ୍ଦର ଚହଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ଦ୍ୱିତୀୟ ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଖେଳିବା ସୁନିଶ୍ଚିତ। ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳୁଛି କି ନାହିଁ, ତା’ ଉପରେ ବି ନଜର ରହିବ।

ବୋଲିଂ କଥା ବିଚାରକୁ ନେଲେ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି। ଏପରି ସ୍ଥଳେ ଯଶପ୍ରୀତ ବୁମ୍ରା ଓ ଭୁବନେଶ୍ୱର କୁମାର ହିଁ ବୋଲିଂ ମଙ୍ଗ ସମ୍ଭାଳିବେ। ତୃତୀୟ ଦ୍ରୁତ ବୋଲର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ବେଳେ ବିରାଟ କୋହଲି ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ଚଳିତ ବର୍ଷ ଟି-୨୦ ବିଶ୍ୱକପ ରହିଛି। ତେଣୁ ଦିନିକିଆ ସିରିଜ୍‌ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତଥାପି ତାଙ୍କୁ କମ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ କ୍ୱିଣ୍ଟନ ଡି’କକଙ୍କ ଦଳ ଅଷ୍ଟ୍ରେଲିଆକୁ ୩-୦ରେ ହରାଇ ଭାରତ ବିପକ୍ଷରେ ଖେଳିବାକୁ ଆସିଛି। ଦଳରେ ଜାନେମନ ମଲାନଙ୍କ ଭଲି ମ୍ୟାଚ୍‌ ୱିନର ଅଛନ୍ତି। ସେହିପରି ହେନେରିଚ କ୍ଲାସେନ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଜବରବଦସ୍ତ ବ୍ୟାଟିଂ କରିଥିଲେ। ଏହାବାଦ୍‌ ଡାଭିଡ ମିଲର, ଫାଫ ଡୁପ୍ଲେସିସି, ତେମ୍ବା ବାଭୁମା ଓ ରସେଇ ଭାନ ଡେର ଡୁସେନଙ୍କ ଭଳି ଖେଳାଳି ରହିଛନ୍ତି।

ବୋଲିଂ ବାହିନୀରେ ଅଭିଜ୍ଞ କାଗିସୋ ରବାଡା ନାହାନ୍ତି। ତେଣୁ ଲୁଙ୍ଗି ଏନଗିଡି ଓ ଅନରିଚ ନୋରଟେଜଙ୍କ ଉପରେ ଦଳ ନିର୍ଭର କରିବ। କେସବ ମହାରାଜ ଆସନ୍ତାକାଲି ଏକମାତ୍ର ସ୍ପିନର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos