ବୃହତ ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ହକି ଟିମ୍ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ୧୦-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚରେ ଭାରତ ଉନ୍ନତ ପ୍ରଦର୍ଶନ କରି ରୁଷକୁ ସବୁ ବିଭାଗରେ ପଛରେ ପକାଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୨ତମ ଓ ୪୮ତମ) ଓ ଆକାଶଦୀପ ସିଂହ (୪୨ତମ […]

fih

fih

Hemant Lenka
  • Published: Thursday, 06 June 2019
  • Updated: 07 June 2019, 02:51 PM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ହକି ଟିମ୍ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଭାରତ ତା'ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ୧୦-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚରେ ଭାରତ ଉନ୍ନତ ପ୍ରଦର୍ଶନ କରି ରୁଷକୁ ସବୁ ବିଭାଗରେ ପଛରେ ପକାଇଥିଲା।

ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୨ତମ ଓ ୪୮ତମ) ଓ ଆକାଶଦୀପ ସିଂହ (୪୨ତମ ଓ ୫୬ତମ) ଦୁଇଟି ଲେଖାଏ ଗୋଲ୍ ଦେଇଥିବା ବେଳେ ନୀଳକଣ୍ଠ ଶର୍ମା (୧୩ତମ), ସିମରନଜିତ୍ ସିଂହ (୧୯ତମ), ଓଡ଼ିଶା ଖେଳାଳି ଅମିତ୍ ରୋହିଦାସ (୨୦ତମ), ବରୁନ୍ କୁମାର (୩୪ତମ), ଗୁରସାହିବଜିତ୍ ସିଂହ (୩୭ତମ), ବିବେକ ପ୍ରସାଦ (୪୫ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଛନ୍ତି। ଅପରପକ୍ଷରେ ରୁଷ୍ ଗୋଟିଏ ବି ଗୋଲ୍ ପରିଶୋଧ କରିବାକୁ ସକ୍ଷମ ହୋଇନାହିଁ। ଆସନ୍ତାକାଲି ଭାରତ ତା'ର ଦ୍ୱିତୀୟ ମୁକାବିଲାରେ ପୋଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତକୁ ସାମାନ୍ୟ ସଂଘର୍ଷ କରିବାକୁ ପଡ଼ିଥିଲା। ୧୨ ମିନିଟ୍ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ। କିନ୍ତୁ ୧୩ତମ ମିନିଟରେ ନୀଳକଣ୍ଠ ଶର୍ମା ଫିଲ୍ଡ ଗୋଲ୍ ଦେଇ ଭାରତ ପାଇଁ ଖାତା ଖୋଲିଥିଲେ। ଏହା ପରେ ଦ୍ୱିତୀୟ କ୍ୱାର୍ଟରରେ ଭାରତ ଲୟ ହାସଲ କରି ଲଗାତାର ଦୁଇଟି ଗୋଲ୍ ଦେଇଥିଲେ।

୧୯ତମ ମିନିଟରେ ସିମରନଜିତ୍ ସିଂହ ଫିଲ୍ଡ ଗୋଲ୍ ଦ୍ୱାରା ଭାରତର ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ। ପରବର୍ତ୍ତୀ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଓଡ଼ିଆ ତାରକା ଅମିତ୍ ରୋହିଦାସ ଗୋଲରେ ପରିଣତ କରିଥିଲେ। ଏଥିସହ ଭାରତ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୩-୦ ଗୋଲରେ ଆଗୁଆ ହୋଇଥିଲା।

ଦ୍ୱିତୀୟାର୍ଦ୍ଧରେ ଭାରତ ଘନଘନ ଆକ୍ରମଣ କରିଥିଲା। ରୁଷର ଡିଫେନ୍ସ ଭାରତୀୟ ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିଲେ। ତୃତୀୟ କ୍ୱାର୍ଟରରେ ଭାରତ ପାଞ୍ଚଟି ଗୋଲ୍ ଦେଇଥିଲା। ୩୨ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଭାରତକୁ ୪-୦ରେ ଆଗୁଆ କରାଇଥିଲେ। ଦୁଇମିନିଟ୍ ବ୍ୟବଧାନରେ ଭାରତକୁ ଆଉ ପେନାଲ୍ଟି ମିଳିଥିଲା। ବରୁନ୍ କୁମାର କୌଣସି ଭୁଲ୍ ନକରି ଏହାକୁ ମଧ୍ୟ ଗୋଲରେ ପରିଣତ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ।

୩୭ତମ ମିନିଟରେ ଗୁରସାହିବଜିତ୍ ସିଂହ ଫିଲ୍ଡ ଗୋଲ୍ ଦେଇ ଭାରତର ସ୍କୋରକୁ ୬-୦ରେ ପହଞ୍ଚାଇଥିଲେ। ତୃତୀୟ କ୍ୱାର୍ଟର ଶେଷ ହେବାର ତିନି ମିନିଟ୍ ପୂର୍ବରୁ ଅର୍ଥାତ୍ ମ୍ୟାଚର ୪୨ତମ ମିନିରେ ଆକାଶଦୀପ ସିଂହ ଫିଲ୍ଡ ଗୋଟିଏ ଗୋଲ୍ ଦେଇଥିଲେ। ୪୫ତମ ମିନିଟରେ ବିବେକ ସାଗର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତର ସ୍କୋରକୁ ୮-୦ରେ ପହଞ୍ଚାଇଥିଲେ।

ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଭାରତର ଗୋଲ୍ କରିବା ଧାରା ଜାରି ରହିଥିଲା। ଏହି କ୍ୱାର୍ଟରର ତୃତୀୟ ମିନିଟରେ ହରମନପ୍ରୀତ ନିଜର ଦ୍ୱିତୀୟ ତଥା ଭାରତ ପାଇଁ ନବମ ଗୋଲ୍ ସ୍କୋର କରିଥିଲେ। ସେ ପେନାଲ୍ଟି କର୍ଣ୍ଣର ଦ୍ୱାରା ଏହି ଗୋଲ୍ ଦେଇଥିଲେ। ୫୬ତମ ମିନିଟରେ ଆକାଶଦୀପ ସିଂହ ଭାରତ ପାଇଁ ଦଶମ ଗୋଲ୍ ସ୍କୋର କରିଥିଲେ। ଏଥିସହ ଭାରତ ମ୍ୟାଚକୁ ଏକତରଫା ଭାବେ ୧୦-୦ ଗୋଲରେ ଜିତି ନେଇଥିଲା।

ଅନ୍ୟପକ୍ଷରେ ଦୁର୍ବଳ ରୁଷ୍ କୌଣସି ବିଭାଗରେ ଭଲ ପ୍ରଦର୍ଶନ କରିପାରିନଥିଲା। ସେମାନଙ୍କ ପାଖରେ ଭାରତର ଆକ୍ରମଣର କୌଣସି ଜବାବ ନଥିଲା। ଆସନ୍ତାକାଲି ରୁଷ୍ ତା'ର ଦ୍ୱିତୀୟ ମ୍ୟାଚରେ ଉଜବେକିସ୍ତାନକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos