ପୋର୍ଟ ଅଫ୍ ସ୍ପେନ୍ (ତ୍ରିନିଦାଦ): ଗତକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ବର୍ଷା ବାଧକ ସାଜିଛି। ଗୁରୁବାର ମାତ୍ର ୨୨ ଓଭର ଖେଳ ହୋଇପାରିଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨ ୱିକେଟ୍ ହରାଇ ୬୨ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ଯୋଗୁଁ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜର ଆରମ୍ଭ ଭଲ ହୋଇ ନ ଥିଲା। ଓପନର ଏଲ୍. ଜନ୍ସନ୍ ୯ ରନ୍ କରି ଆଉଟ୍ ହୋଇଥିଲେ। ୱାନ ଡାଉନରେ କ୍ରିଜ୍କୁ ଆସିଥିବା ଡାରେନ ବ୍ରାଭୋ ମଧ୍ୟ ବେଶି କିଛି କରିପାରି ନ ଥିଲେ। ମାତ୍ର ୧୦ ରନ୍ କରି ସେ ପାଭିଲିୟନକୁ ଫେରି ଯାଇଥିଲେ। ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଏବଂ ଆର. ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ପ୍ରଥମ ଟେଷ୍ଟକୁ ଭାରତ ଗୋଟିଏ ଇନିଂସ ଓ ୯୨ ରନ୍ରେ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ୍ ଡ୍ର’ ରହିଥିଲା। ତୃତୀୟ ଟେଷ୍ଟକୁ ୨୩୭ ରନ୍ରେ ଜିତିଥିଲା ଟିମ୍ ଇଣ୍ଡିଆ। ୪ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଭାରତ ୨-୦ରେ ଆଗୁଆ ରହିଛି।
ଭାରତ ଚତୁର୍ଥ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍କୁ ବଡ଼ ବ୍ୟବଧାନରେ ହରାଇ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ୧୧୨ ରେଟିଂ ସହ ଭାରତ ଏବେ ଆଇସିସି ମାନ୍ୟତାର ଶ୍ରେଷ୍ଠ ସ୍ଥାନରେ ରହିଛି।