ୟୁ-୧୯ କ୍ରିକେଟ ବିଶ୍ୱକପ୍ କପ୍: ନ୍ୟୁଜିଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ମୀରପୁର: ୧୯ ବର୍ଷରୁ କମ ବିଶ୍ୱକପ୍ କ୍ରିକେଟରେ ନ୍ୟୁଜିଲାଣ୍ଡକୁ ୧୨୦ ରନରେ ପରାସ୍ତ କରିଛି ଭାରତ। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଦେଇଥିବା ୨୫୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି  ନ୍ୟୁଜିଲାଣ୍ଡ ୩୨.୧ ଓଭରରେ ମାତ୍ର ୧୩୮ ରନ କରି ଅଲଆଉଟ୍ ହୋଇଯାଇଛି। ଏହି ମ୍ୟାଚ ଜିତି ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଖେଳାଯିବାକୁ ଥିବା କ୍ୱାଟର ଫାଇନାଲରେ ଭାରତ ନେପାଳକୁ ଭେଟିବ।

ବାଂଲାଦେଶର ଶେର-ଇ-ବାଂଲା ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୨୫୮ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଋଷଭ ପନ୍ତ ୮୩ ବଲରୁ ୫୭ ରନ୍, ସରଫୋରାଜ ଖାନ୍ ୮୦ ବଲରୁ ୭୪, ଅରମାନ୍ ଜାଫର ୪୯ ବଲରୁ ୪୬ ଓ ମହିପାଲ ଲୋମରୋର ୪୨ ବଲରୁ ୪୫ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଜାକ୍ ଗିବସନ ୩, ନାଥନ ସ୍ମିଥ୍ ଓ ଆର. ରବୀନ୍ଦ୍ର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଫିଲିପ୍ସି ଗୋଟିଏ ୱିକେଟ୍ ନେଇଥିଲେ।

୨୫୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ନ୍ୟୁଜିଲାଣ୍ଡ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯେଉଁଥିରୁ ଦଳ ମୁକୁଳି ପାରି ନ ଥିଲା। ଭାରତୀୟ ବୋଲଙ୍କ ସାମ୍ନା କରି ନ ପରି ଦଳ ୩୨.୧ ଓଭରରେ ମାତ୍ର ୧୩୮ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦଳୀୟ ସ୍କୋର ୧୬ ହୋଇଥିବା ବେଳେ ଦଳର ପ୍ରମୁଖ ୪ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଯାଇଥିଲେ। ଦଳ ପକ୍ଷରୁ ସି. ଲିୟୋପାର୍ଟ ସର୍ବାଧିକ ୪୦ ବଲରୁ ୪୦ ରନ କରିଥିଲେ। ସେହିପରି ଫିନ୍ ଏଲେନ୍ ୨୯ ବଲରୁ ୨୯, ଟେଲର ସ୍କଟ୍ ୨୯ ବଲରୁ ୨୯ କରିଥିଲେ। ନ୍ୟୁଜିଲାଣ୍ଡର ୭ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

ଭାରତ ପକ୍ଷରୁ ଲୋମରୋର ୫ଟି, ଅଭେସ ୪ଟି ଓ ଜି. ଆନସାରୀ ଗୋଟିଏ ୱିକେଟ୍ ନେଇଥିଲେ।

ଅଭେସଙ୍କୁ ‘ମ୍ୟାନ ଅଫ୍ ଦି ମ୍ୟାଚ’ ପୁରସ୍କାର ପ୍ରଦାନ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।