ଭାରତୀୟ ମହିଳା କ୍ରିକେଟ୍ ଟିମ୍ ରଚିଲା ଇତିହାସ: ଜିତିଲା ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍

ମେଲବୋର୍ଣ୍ଣ: ଇତିହାସ ରଚିଛି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍। ଦଳ ପ୍ରଥମ ଥର ପାଇଁ ଜିତିଛି ଟି-ଟ୍ୱେଣ୍ଟି ସିରିଜ୍। ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଭାରତୀୟ ଦଳ ଆଜିର ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହିଛି ଓ ସିରିଜ୍ ଜିତି ନେଇଛି। ତିନି ଥର ୱାର୍ଲ୍ଡ ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ଦଳ ୧୦ ୱିକେଟରେ ପରାସ୍ତ କରିଛି।

ବର୍ଷା ବାଧାପ୍ରାପ୍ତ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍ କରିଥିଲେ। ବର୍ଷା ଯୋଗୁଁ ଖେଳକୁ ୨୦ ଓଭରରୁ ୧୮ ଓଭର କରାଯାଇଥିଲା।

ବର୍ଷା ଯୋଗୁଁ ଭାରତକୁ ୧୦ ଓଭରରେ ୬୬ ରନର ବିଜୟ ଟାର୍ଗେଟ ଦିଆଯାଇଥିଲା। ଅଧିନାୟକ ମିଥାଲି ରାଜଙ୍କ ଅପରାଜିତ ୩୭ ରନ୍ ବଳରେ ଦଳ ୯.୧ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ।

ଆଜି ପ୍ରାରମ୍ଭରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିଲା। ୫ ଓଭରରେ ଅଷ୍ଟ୍ରେଲିଆ ଦଳ ୩୩ ରନ୍ କରି ୩ଟି ୱିକେଟ୍ ହରାଇଥିଲା। ତେବେ ଚତୁର୍ଥ ୱିକେଟରେ ଅଧିନାୟକ ମେଗ୍ ଲାନିଂ (୪୯) ଓ ଜେସ୍ ଜୋନାସେନ (୨୭)ଙ୍କ ମଧ୍ୟରେ ୭୦ ରନର ପାର୍ଟରସିପ୍ ହୋଇଥିଲା। ୧୪ ଓଭରରେ ଦଳକୁ ୧୦୩ ରନରେ ପହଞ୍ଚାଇବାରେ ଲାନିଂ ପ୍ରମୂଖ ଭୂମିକା ନେଇଥିଲେ। ତେବେ ସେ ଆଉଟ୍ ହୋଇଯିବା ପରେ ଦଳ ମାତ୍ର ଆଉ ୧୨ ରନ୍ ଯୋଡ଼ିଥିଲା। ୧୮ ଓଭରରେ ୮ ୱିକେଟ୍ ହରାଇ ଦଳ ୧୨୫ ରନ୍ କରିଥିଲା।

ଭାରତ ପକ୍ଷରୁ ଝୁଲଣ ଗୋସ୍ୱାମୀ ଓ ରାଜେଶ୍ୱରୀ ଗାଏକ୍ୱାଡ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ଭାରତ ଦ୍ରୁତ ଗତିରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିଥିଲା। ଦଳ କୌଣସି ୱିକେଟ୍ ନ ହରାଇ ୭.୫ ଓଭରରେ ୫୨ ରନ୍ କରିଥିଲା। ତେବେ ବର୍ଷା ହେବା ଯୋଗୁଁ ଖେଳରେ ପୁଣି ଥରେ ନୂଆ ଟାର୍ଗେଟ୍ ରଖାଯାଇଥିଲା। ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳକୁ ୧୦ ଓଭରର ୬୬ ରନ୍ କରିବାକୁ କୁହାଯାଇଥିଲା। ୩୨ ବଲରେ ୬ଟି ଚୌକା ମାରିଥିବା ମିଥାଳି ରାଜ ଓ ୨୨ ରନ୍ କରି ଅପରାଜିତ ଥିବା ମନ୍ଧନା ମ୍ୟାଚ୍ ଜିତିବାର ସୁଯୋଗକୁ ହାତ ଛଡ଼ା କରି ନ ଥିଲେ। ଆଉ ୫ଟି ବଲ୍ ବାକି ଥାଇ ସେମାନେ ମ୍ୟାଚ୍ ଜିତି ଯାଇଥିଲେ। ପୁଣି ଅତିରିକ୍ତ ୧୦ ରନ୍ ଦେଇ ଘରୋଇ ଦଳ ଭାରତର ବିଜୟକୁ ଆହୁରି ସହଜ କରିଥିଲା।