ଭାରତ ଜିତିଲା ଶେଷ ମ୍ୟାଚ୍, ଅଷ୍ଟ୍ରେଲିଆ ୪-୧ରେ ସିରିଜ୍ ବିଜୟୀ

rohit and manishସିଡନୀ: ଶେଷରେ ଭାରତକୁ ମିଳିଲା ସାନ୍ତ୍ୱନାମୂଳକ ବିଜୟ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚକୁ ଶନିବାର ଜିତି ଯାଇଛି ଧୋନୀ ବାହିନୀ। ୬ ୱିକେଟରେ ଦଳ ଜିତିଛି ଏହି ମ୍ୟାଚ୍। ରୋହିତଙ୍କ ୯୯ ରନ୍ ଓ ମନୀଷ ପାଣ୍ଡେଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ଏହି ମ୍ୟାଚ୍ ଜିତିଛି। ତେବେ ୪-୧ରେ ଅଷ୍ଟ୍ରେଲିଆ ହୋଇଛି ସିରିଜ୍ ବିଜୟୀ। ରୋହିତ ଶର୍ମା ‘ମ୍ୟାନ୍ ଅଫ ଦି ସିରିଜ୍’ ଓ ମନୀଷ ପାଣ୍ଡେଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଛି। ରୋହିତ ଏହି ସିରିଜରେ ୨ଟି ଶତକ ସହ ସର୍ବାଧିକ ୪୪୧ ରନ୍ କରିଛନ୍ତି।

ଟସ୍ ଜିତି ଆଜି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା। ଦଳ ପକ୍ଷରୁ ଓପନର୍ ଡାଭିଡ୍ ୱାର୍ଣ୍ଣର୍ ୧୧୩ଟି ବଲରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ସର୍ବାଧିକ ୧୨୨ରନ୍ କରିଥିଲେ। ସେହିପରି ମିଚେଲ୍ ମାର୍ଶ ଅପରାଜିତ ରହି ୮୪ଟି ବଲରୁ ୧୦୨ ରନ୍ ସଂଗ୍ରହ କରିଥିଲେ।  ମାଥ୍ୟୁ ୱାଡେ ୩୬ ରନ୍ କରିଥିବା ବେଳେ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୨୮ ରନ୍ କରିଥିଲେ।

ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଓ ଯଶପ୍ରୀତ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ଓ ଋଷି ଧାୱନ୍  ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

୩୩୧ ରନ୍ ବିଜୟ ଲକ୍ଷ୍ୟ ନେଇ ପଡିଆ ଓହ୍ଲାଇ ଥିବା ଭାରତୀୟ ଟିମ୍ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଆକର୍ଷଣୀୟ ଇନିଂସ ଖେଳିଥିଲେ। ରୋହିତ ୧୦୮ ବଲରୁ ୯୯ ରନ୍ କରି ଥିଲେ। ମାତ୍ର ଗୋଟିଏ ଶତକ ପାଇଁ ଆଜି ସେ ଏହି ସିରିଜରେ ତୃତୀୟ ଶତକ ହାସଲ କରିବାରୁ ବଂଚିତ ହୋଇଥିଲେ। ଧାୱନ ୫୬ଟି ବଲରୁ ୭ ଚୌକା ଓ ୩ ଛକା ସହାୟତାରେ ୭୮ ରନ୍ ସଂଗ୍ରହ କରିଥିଲେ। ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା ୧୮.୨ ଓଭରରେ। ୭୮ ରନ୍ କରି ଧାୱନ ଆଉଟ୍ ହୋଇଥିଲେ। ସେତେବେଳ ଦଳୀୟ ସ୍କୋର ୧୨୩ରେ ପହଞ୍ଚିଥିଲା। ସେ ଆଉଟ୍ ହୋଇଯିବା ପରେ କ୍ରିଜକୁ ଆସିଥିବା ବିରାଟ କୋହଲି ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ। ତା’ପରେ ମନୀଷ ପାଣ୍ଡେଙ୍କ ସହ ମିଶି ମ୍ୟାଚକୁ ଆଗେଇ ନେଇଥିଲେ ରୋହିତ। ଦଳୀୟ ସ୍କୋର ୨୩୧ରେ ପହଞ୍ଚିଥିବା ବେଳେ ରୋହିତ ଆଉଟ୍ ହୋଇ ଯାଇଥିଲେ। ତା’ପରେ ପଡ଼ିଆକୁ ଆସିଥିଲେ ଅଧିନାୟକ ଧୋନୀ। ସେତେବେଳକୁ ମନୀଷ ପଡ଼ିଆରେ ପୂରା ଜମି ଯାଇଥିଲେ। ଧୋନୀ ବି ତାଙ୍କୁ ଭଲ ସାଥ୍ ଦେଇଥିଲେ। ୪୯.୨ ଓଭରରେ ଧୋନୀ ଆଉଟ୍ ହୋଇଯାଇଥିଲେ। ତେବେ ଅପରାଜିତ ରହି ଭାରତକୁ ସିରିଜର ପ୍ରଥମ ବିଜୟ ସ୍ୱାଦ ଚଖାଇଥିଲେ ମନୀଷ। ସେ ୮୧ ବଲରେ ୮ ଚୌକା ଓ ୧ ଛକା ସହାୟତାରେ ୧୦୪ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଜନ୍ ହାଷ୍ଟିଙ୍ଗ୍ସ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ମାର୍ଶ ଗୋଟିଏ ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆ-ଭାରତ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଆଡିଲେଡ୍ ଖେଳାଯିବ।

ଲେଡ୍ ଖେଳାଯିବ।