ଅଷ୍ଟ୍ରେଲିଆ-ଏ’ ବିପକ୍ଷ ମ୍ୟାଚ୍ ଡ୍ର’ କଲା ଭାରତ

ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ସୋମବାର ତା’ର ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆ-ଏ’ ଟିମକୁ ୧-୧ ଗୋଲରେ ବରାବରରେ ରୋକିଛି। ଭାରତ ପାଇଁ ହରମନପ୍ରୀତ ସିଂହ ୫୬ତମ ମିନିଟରେ ଗୋଲ୍ ଦେଇ ମ୍ୟାଚକୁ ଡ୍ର’ କରାଇଥିଲେ। ଏହା ପୂର୍ବରୁ ମ୍ୟାଚର ପ୍ରଥମ ଗୋଲ୍ ଅଷ୍ଟ୍ରେଲିଆ-ଏ’ର କିରନ୍ ଅରୁନାସଲାମ ୨୧ତମ ମିନିଟରେ ଦେଇଥିଲେ।

ଉକ୍ତ ମ୍ୟାଚର ପ୍ରଥମ କ୍ୱାର୍ଟର୍ ଗୋଲଶୂନ୍ୟ ରହିଥିବା ବେଳେ ୨ୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ୍ ଦେଇ ଆଗୁଆ ହୋଇଥିଲା। ଫଳରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଘରୋଇ ଟିମ୍ ୧-୦ରେ ଅଗ୍ରଣୀ ଲାଭ କରିଥିଲା। ତୃତୀୟ କ୍ୱାର୍ଟରରେ କେହିକାହାରିକୁ ଗୋଲ୍ ଦେଇପାରି ନଥିବା ବେଳେ ଚତୁର୍ଥ କ୍ୱାର୍ଟରରେ ଭାରତ ବରାବର ଗୋଲ୍ ଦେଇ ମ୍ୟାଚକୁ ବଞ୍ଚାଇଥିଲା।

ଏହି ଗସ୍ତରେ ଭାରତକୁ ୫ଟି ମ୍ୟାଚ୍ ଖେଳିବ। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ତିନୋଟି ମ୍ୟାଚରେ ଅପରାଜେୟ ରହିଛି। ଭାରତ ପ୍ରଥମ ମ୍ୟାଚରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ୨-୦ ଗୋଲରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଏ’କୁ ୩-୦ ଗୋଲରେ ପରାସ୍ତ କରିଥିଲା।

ଭାରତକୁ ଏବେ ଅଷ୍ଟ୍ରେଲିଆର ଜାତୀୟ ଟିମ୍ ସହ ଦୁଇଟି ମ୍ୟାଚ୍ ଖେଳିବାକୁ ଅଛି। ଏହି ଦୁଇଟି ମ୍ୟାଚ୍ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ କୋଚ୍ ଗ୍ରାହାମ୍ ରିଡଙ୍କ ପ୍ରସ୍ତୁତି ଏହି ଦୁଇ ମ୍ୟାଚ୍ ଦ୍ୱାରା ହିଁ ଜଣାପଡ଼ିବ।

ପରବର୍ତ୍ତୀ ମ୍ୟାଚକୁ ନେଇ ରିଡ୍ କହିଛନ୍ତି, ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆମକୁ ଭଲ ଆରମ୍ଭ କରିବାକୁ ପଡ଼ିବ ଏବଂ ସବୁ କ୍ୱାର୍ଟରରେ ଉନ୍ନତ ଖେଳ ଦେଖାଇବାକୁ ପଡ଼ିବ। ଆସନ୍ତାକାଲି ଅଭ୍ୟାସ ସେସନରେ ଆମେ ମିଡଫିଲ୍ଡ ଉପରେ କାମ କରିବୁ ବୋଲି ରିଡ୍ କହିଛନ୍ତି।