ଅଷ୍ଟ୍ରେଲିଆ ବିପକ୍ଷରେ ଏହି ରେକର୍ଡ କଲା ଟିମ୍‌ ଇଣ୍ଡିଆ

ବ୍ରିସବେନ୍‌: ଶେଷ ଦିନରେ ଦରକାର ଥିଲା ୩୨୪ ରନ୍‌। ହାତରେ ଥିଲା ୧୦ଟି ୱିକେଟ। ଶେଷ ଦିନରେ ମ୍ୟାଚ୍‌ ବଞ୍ଚାଇବାକୁ ହେଲେ ୯୮ ଓଭର ବ୍ୟାଟିଂ କରିବାକୁ ପଡ଼ିଥାଆନ୍ତା। ଅଜିଙ୍କ୍ୟ ରାହଣେଙ୍କ ଟିମ୍‌ ଇଣ୍ଡିଆ କେମିତି ଗାବା ଭଳି ପିଚ୍‌ରେ ଏସବୁକୁ ସମ୍ଭବ କରିପାରିବ, ତା’କୁ ନେଇ ସମସ୍ତେ ଚିନ୍ତାରେ ଥିଲେ। ହେଲେ ଏହି ଅସମ୍ଭବକୁ ସମ୍ଭବ କରି ୩ ଓଭର୍‌ ପୂର୍ବରୁ ଅଷ୍ଟ୍ରେଲିକାକୁ ତା’ ଗଡ଼ କୁହାଯାଉଥିବା ଗାବାରେ ପରାସ୍ତ କରି ବିଜୟର ବାନା ଉଡ଼ାଇଛି ଟିମ୍‌ ଇଣ୍ଡିଆ।

ଏଥିସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫିକୁ ମଧ୍ୟ କବଜା କରିଛି। ଗାବରେ ଅଷ୍ଟ୍ରେଲିଆ ୩୨ ବର୍ଷ ଧରି ହାରି ନଥିଲା। ଶେଷ ଥର ପାଇଁ ୧୯୮୮ରେ ଦଳ ଏଠାରେ ୱେଷ୍ଟଇଣ୍ଡିଠାରୁ ପରାସ୍ତ ହୋଇଥିଲା। ସେହିପରି ଗାବାରେ ରନ୍‌ ଚେଜ୍‌ର ସର୍ବାଧିକ ରେକର୍ଡ ମଧ୍ୟ ଅଷ୍ଟ୍ରେଲିଆ ନାଁରେ ରହିଛି।

୧୯୫୧ରେ ଅଷ୍ଟ୍ରେଲିଆ ୭ ୱିକେଟ ବିନିମୟରେ ୨୩୬ ରନ୍‌ ଚେଜ କରି ୱେଷ୍ଟଇଣ୍ଡିଜକୁ ହରାଇଥିଲା। ହେଲେ ୨୦୨୧ ଜାନୁଆରୀ ୧୯ରେ ଅଷ୍ଟ୍ରେଲିଆର ସବୁ ରେକର୍ଡକୁ ଭାରତ ଭାଙ୍ଗି ଚୂରମାର କରିଦେଇଛି। ସେହିପରି ଭାରତ ତା’ ଟେଷ୍ଟ ଇତିହାସର ତୃତୀୟ ସର୍ବାଧିକ ରନ୍‌ ଚେଜ୍‌ କରିବାର ରେକର୍ଡ ମଧ୍ୟ କରିଛି।

୧୯୭୬ରେ ଭାରତ ପୋର୍ଟ ଅପ୍ ସ୍ପେନରେ ଇଣ୍ଡିଜ୍ ଟିମ୍ ଦେଇଥିବା ୪୦୩ ରନ୍‌କୁ ଚେଜ୍‌ କରିଥିଲା। ସେହିପରି ୨୦୦୮ରେ ଇଂଲଣ୍ଡ ଚେନ୍ନାଇରେ ଦେଇଥିବା ୩୮୭ ରନ୍‌ର ଟାର୍ଗେଟକୁ ପିଛା କରି ଭାରତ ବିଜୟୀ ହୋଇଥିଲା। ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୩୨୮ ରନ୍‌କୁ ୭ ୱିକେଟ ହରାଇ ହାସଲ କରି ନେଇଛି।

ଟପ୍‌ ୫ ଚେଜ୍‌ ଭିତରେ ଭାରତର ଆଉ ଦୁଇଟି ମ୍ୟାଚ୍‌ ରହିଛି। ଗୋଟିଏ ହେଲେ ୨୦୧୧ ନଭେମ୍ବର ୬ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଭାରତ ୨୭୬ ରନ୍‌ ଚେଜ୍‌ କରି ବିଜୟୀ ହୋଇଥିଲା। ୨୦୧୨ ଅଗଷ୍ଟ ୨୨ରେ କ୍ୟାଣ୍ଡିରେ ଶ୍ରୀଲଙ୍କା ଦେଇଥିବା ୨୬୪ ରନ୍‌ର ଟାର୍ଗେଟକୁ ୩ ୱିକେଟ ହରାଇ ହାସଲ କରିଥିଲା।

ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ ଜିତିବା ପାଇଁ ୩୨୮ ରନ୍‌ର ଟାର୍ଗେଟ ଦେଇଥିଲା। ୪ର୍ଥ ଦିନ ଶେଷ ବେଳକୁ ଭାରତ ବିନା କୌଣସି ୱିକେଟରେ ୪ ରନ୍‌ କରିଥିବା ବେଳେ ବର୍ଷା ହେବାରୁ ମ୍ୟାଚ୍‌କୁ ବନ୍ଦ କରି ଦିଆଯାଇଥିଲା। ତେଣୁ ଆଜି ଶେଷ ଦିନରେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୩୨୪ ରନ୍‌ ଆବଶ୍ୟକ ରହିଥିଲା। ଶବମନ ଗିଲଙ୍କ ୯୧ ଓ ଋଷଭ ପନ୍ତଙ୍କ ଅପରାଜିତ ୮୯ ରନ୍‌ ବଳରେ ଭାରତ ଗାବାରେ ଐତିହାସିକ ବିଜୟ ହାସଲ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।