ଇଣ୍ଡୋନେସିଆ ଓପନ୍: କ୍ୱାର୍ଟରରେ ସିନ୍ଧୁ

ଜାକର୍ତ୍ତା: ଭାରତର ଏକ ନମ୍ବର ଶଟଲର୍ ପିଭି ସିନ୍ଧୁ ଚଳିତ ଇଣ୍ଡୋନେସିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର୍-୧୦୦୦ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି। ଗୁରୁବାର ସିନ୍ଧୁ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ଡେନମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ପରାସ୍ତ କରିଛନ୍ତି। ତେବେ ଭାରତର ଅନ୍ୟତମ ଷ୍ଟାର୍ କିଦାମ୍ବୀ ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି । ସିଜନରେ ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଥିବା ପଞ୍ଚମ ସିଡ୍ ସିନ୍ଧୁ ୨୧-୧୪, ୧୭-୨୧, ୨୧-୧୧ ଗେମରେ ବ୍ଲିଚଫେଲ୍ଟଙ୍କୁ ପରାସ୍ତ କରିଛନ୍ତି।

ଏହି ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ଗେମକୁ ହାଇଦ୍ରାବାଦୀ ଶଟଲର୍ ମାତ୍ର ୧୮ ମିନିଟରେ ୨୧-୧୪ରେ ଜିତି ନେଇଥିଲେ। କିନ୍ତୁ ଏହା ପରେ ଡେନମାର୍କ ଖେଳାଳି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମକୁ ୨୧-୧୭ରେ ଜିତି ମ୍ୟାଚକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ।

ଏଥିସହ ମ୍ୟାଚଟି ତୃତୀୟ ଗେମକୁ ଯାଇଥିଲା। ଫାଇନାଲ୍ ଗେମରେ ସିନ୍ଧୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ କୌଣସି ସୁଯୋଗ ଦେଇନଥିଲେ ଏବଂ ୨୧-୧୧ରେ ଗେମକୁ ଜିତି ତୃତୀୟ ତଥା କ୍ୱାର୍ଟରଫାଇନାଲରେ ସ୍ଥାନ ହାସଲ କରିଥିଲେ। ସେହିପରି ପୁରୁଷ ସିଙ୍ଗଲ୍ସରେ ଶ୍ରୀକାନ୍ତ ସିଧାସଳଖ ୧୭-୨୧, ୧୯-୨୧ ଗେମରେ ହଂକଂର ଅଙ୍ଗସ୍ ଏନଜି କା ଲଙ୍ଗଙ୍କ ନିକଟରୁ ପରାସ୍ତ ହୋଇଛନ୍ତି।

ତେବେ ଆଜି ଭାରତ ପାଇଁ ପୁରୁଷ ଡବଲ୍ସ ନୈରାଶ୍ୟଜନକ ରହିଥିଲା। ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଦ୍ୱିତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ଏହି ଯୋଡ଼ି ଇଣ୍ଡୋନେସିଆର ମାର୍କସ୍ ଫର୍ନାଲ୍ଡି ଗିଡେନ୍ ଓ କେଭିନ୍ ସଞ୍ଜୟ ସୁକାମୁଲଜୋଙ୍କ ନିକଟରୁ ୧୫-୨୧, ୧୪-୨୧ ଗେମରେ ପରାସ୍ତ ହୋଇଥିଲେ। ଏହା ପୂର୍ବରୁ ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡରେ ଗୋ ଜି ଫେଇ ଓ ନୁର୍ ଇଜୁଦ୍ଦିନଙ୍କୁ ୨୧-୧୯, ୧୮-୨୧, ୨୧-୧୯ ଗେମରେ ହରାଇଥିଲେ।