ଜୟପୁର: ଆହତ ଯୋଗୁ ପୂରା ଆଇପିଏଲ୍ରୁ ବାଦ୍ ପଡ଼ିଥିବା ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ଆହତ ସତ୍ତ୍ୱେ ସେ ରାଜସ୍ଥାନ ରୟାଲ୍ସ ଟିମ୍ ସହ ପୂରା ସଂସ୍କରଣ ବେଳେ ରହିବ ବୋଲି ଘୋଷଣା କରିଥିଲେ। ତେବେ ହଠାତ୍ ସେ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ନୂଆ ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ହିଁ ଷ୍ଟୋକ୍ସ ଭାରତ ଛାଡ଼ିବେ। ସେ ଲଣ୍ଡନରେ ପହଞ୍ଚିବା ପରେ ସୋମବାର ଲିଡ୍ସରେ ତାଙ୍କ ଆଙ୍ଗୁଠିର ଅପରେସନ କରାଯିବ।
ରାଜସ୍ଥାନର ପ୍ରଥମ ମ୍ୟାଚ୍ରେ ସେ କ୍ୟାଚ୍ ଧରିବା ବେଳେ ଆହତ ହୋଇଥିଲେ। ଏକାଧିକ ଥର ଏକ୍ସରେ ଓ ସିଟି ସ୍କାନ ପରେ ତାଙ୍କ ବାମ ହାତର ଇଣ୍ଡେକ୍ସ ଫିଙ୍ଗର ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି।
ରାଜସ୍ଥାନ ରୟାଲ୍ସ ପକ୍ଷରୁ କୁହାଯାଇଛି ଯେ “ଷ୍ଟୋକ୍ସ ପୂରା ସ୍କ୍ୱାଡର ମନୋବଳ ବୃଦ୍ଧି କରିବାକୁ ଆମ ସହ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ସର୍ଜରୀର ଆବଶ୍ୟକତା ଦୃଷ୍ଟିରୁ ତାଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ।” ଅନ୍ୟପକ୍ଷରେ ଇଂଲିଶ କ୍ରିକେଟ ବୋର୍ଡ ମଧ୍ୟ ଷ୍ଟୋକ୍ସଙ୍କ ଆହତ ଗୁରୁତର ଥିବା କଥା କହିଛି।
ଏଥିପାଇଁ ସେ ୧୨ ସପ୍ତାହ ବା ୩ ମାସ ଯାଏ କୌଣସି କ୍ରିକେଟ ଖେଳିପାରିବେ ନାହିଁ। ତାଙ୍କ ବାମହାତର ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ସେ କାଲି ହିଁ ଭାରତ ଛାଡ଼ିବେ। ସୋମାବର ଲିଡ୍ସରେ ତାଙ୍କର ଅପରେସନ କରାଯିବ ବୋଲି ଇସିବି କହିଛି।
୧୨ ତାରିଖରେ ରାଜସ୍ଥାନ ଓ ପଞ୍ଜାବ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ଷ୍ଟୋକ୍ସ ଖେଳିଥିଲେ। ୧୦ମ ଓଭରରେ କ୍ରିସ୍ ଗେଲଙ୍କ କ୍ୟାଚକୁ ଧରିବା ବେଳେ ହିଁ ତାଙ୍କ ହାତରେ ବଲ ମାଡ଼ ହୋଇଥିଲା। ତଥାପି ସେ ବ୍ୟାଟିଂ କରିବାକୁ ଯାଇଥିଲେ। ମ୍ୟାଚ୍ ପରେ ତାଙ୍କ ହାତର ଏକ୍ସରେ କରାଯାଇଥିଲା। ଏହି ସମୟରେ ତାଙ୍କର ଗୋଟିଏ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଦୁର୍ଭାଗ୍ୟଶତଃ ଏହି କାରଣ ପାଇଁ ସେ ୨୦୨୧ ଆଇପିଏଲରୁ ସଂପୂର୍ଣ୍ଣ ଭାବେ ବାଦ ପଡ଼ିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।