ବୁମ୍ରା ସ୍ପେଶାଲ: ୧୧୦ ରନ୍‌ରେ ଅଟକିଲା ଦିଲ୍ଲୀ

ଦୁବାଇ: ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ବୁମ୍ରାଙ୍କ ଓ ବୋଲ୍ଟଙ୍କ ମିଳିତ ୬ ୱିକେଟ ଯୋଗୁ ଦିଲ୍ଲୀ ମାତ୍ର ୧୧୦ ରନ୍ କରିବାକୁ ସକ୍ଷମ ହୋଇଛି। ପ୍ଲେ-ଅଫ ଖେଳିବା ପାଇଁ ଦିଲ୍ଲୀକୁ ଏହି ମ୍ୟାଚ୍ ଜିତିବା ଜରୁରୀ। ତେବେ ଦଳ ମାତ୍ର ୧୧୦ ରନ୍ କରିଥିବାରୁ ମୁମ୍ବାଇ ଭଳି ଶକ୍ତିଶାଳୀ ଟିମ୍ ଆଗରେ ଏହାକୁ କେମିତି ଡିଫେଣ୍ଡ କରିବ, ତା’ହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୦ ରନ୍ କରିବାରୁ ମୁମ୍ବାଇ ଆଗରେ ମାତ୍ର ୧୧୫ ରନର ଟାର୍ଗେଟ ରହିଛି। ମୁମ୍ବାଇ ପକ୍ଷରୁ ବୁମ୍ରା ୪ ଓଭର୍‌ରେ ୧୭ ରନ୍‌ ଦେଇ ୩ଟି ଓ ବୋଲ୍ଟ ସମାନ ଓଭର୍‌ରେ ୨୧ ରନ୍‌ ଦେଇ ୩ଟି ୱିକେଟ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀକୁ ପ୍ରଥମ ଓଭରରେ ହିଁ ବୋଲ୍ଟ ଝଟକା ଦେଇଥିଲେ। ଶିଖର ଧୱନ ଖାତା ଖୋଲିବା ପୂର୍ବରୁ ବୋଲ୍ଟ ତାଙ୍କୁ ଆଉଟ କରିଥିଲେ। ଅଧିନାୟକ ଶ୍ରେୟସ ଆୟର ଓ ପୃଥ୍ୱୀ ଶ’ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ବୋଲ୍ଟ ଏହା କରାଇ ଦେଇ ନଥିଲେ।

ସେ ଇନିଂସର ତୃତୀୟ ଓଭରରେ ଶ’(୧୫)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଆୟର ଓ ଋଷଭ ପନ୍ତ ତୃତୀୟ ୱିକେଟ ପାଇଁ ୩୫ ରନ୍ ଯୋଡ଼ି କ୍ରିଜରେ ତିଷ୍ଟିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ୨୫ ରନ୍ କରିଥିବା ଆୟରଙ୍କୁ ରାହୁଲ ଚହର ଆଉଟ କରିଦେଇଥିଲେ।

ଏହାପରେ ମଧ୍ୟକ୍ରମ ବ୍ୟାଟିଂ ଲାଇନ ଅପକୁ ବୁମ୍ରା ଛିନଛତ୍ର କରି ଦେଇଥିଲେ। ପ୍ରଥମେ ସେ ପନ୍ତ(୨୧), ପରେ ମାର୍କସ ଷ୍ଟୋଇନିସ(୨) ଓ ହର୍ଷ ପଟେଲ(୫)ଙ୍କୁ ଆଉଟ କରିଥିଲେ।

୧୧ ରନ୍ କରିଥିବା ଶିମରନ ହେଟମେୟରଙ୍କ ୱିକେଟ କୁଣ୍ଟରନାଇଲଙ୍କ ଖାତାକୁ ଯାଇଥିଲା। ୧୯ତମ ଓଭରରେ ବୋଲ୍ଟ ପୁଣି ନିଜର ଜଲୱା ଦେଖାଇ ରବି ଅଶ୍ୱିନ(୧୨)ଙ୍କ ୱିକେଟ ନେଇଥିଲେ। ଶେଷ ଭାଗରେ ରାବଡା ୧୨ ଓ ପ୍ରବୀଣ ଦୁବେ ୭ ରନ୍‌ କରିବାରୁ ଦିଲ୍ଲୀ ୯ ୱିକେଟ ହରାଇ ୧୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।