ଉନ୍ମୋଚନ ହେଲା କଳିଙ୍ଗ ଲାନର୍ସର ଜର୍ସି ଓ ମାସ୍କଟ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍ ଚତୁର୍ଥ ସଂସ୍କରଣ ଲାଗି ଘରୋଇ କଳିଙ୍ଗ ଲାନର୍ସର ଜର୍ସି ଓ ମାସ୍କଟ ଶୁକ୍ରବାର ଉନ୍ମୋଚିତ ହୋଇଛି। ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜର୍ସି ଓ ମାସ୍କଟ ଉନ୍ମୋଚନ ହୋଇଥିଲା। ପ୍ରଥମେ ଖେଳାଳିମାନେ ଏକ ରାମ୍ପରେ ଆସି ନୂଆ ଜର୍ସି ଉନ୍ମୋଚନ କରିଥିଲେ। ନୂଆ ୟୁନିଫର୍ମ ମ୍ୟାଚକୁ ଅଧିକ ଆକର୍ଷିତ କରିବ ବୋଲି ଉଭୟ ଖେଳାଳି ଏବଂ କୋଚ ଆଶା ରଖିଛନ୍ତି। ପରେ ସମସ୍ତ ଖେଳାଳିଙ୍କ ଗହଣରେ କଳିଙ୍ଗ ଲାନର୍ସର ମାସ୍କଟ ଉନ୍ମୋଚିତ ହୋଇଥିଲା।

ପୂର୍ବତନ ଅଷ୍ଟ୍ରେଲିଆନ ଖେଳାଳି ମାର୍କ ହାଗର କଳିଙ୍ଗ ଲାନର୍ସର ମୁଖ୍ୟ କୋଚ ଅଛନ୍ତି। ସେହିପରି ଜର୍ମାନୀ ଖେଳାଳି ମୋରାଇଟ୍ ଫ୍ଲୁଏରସ ଅଧିନାୟକ ଭାର ସମ୍ଭାଳିଛନ୍ତି। ଆସନ୍ତା ୧୮ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଲିଗର ଉଦଘାଟନୀ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ କଳିଙ୍ଗ ଲାନର୍ସର ଓ ଉତ୍ତରପ୍ରଦେଶ ୱିଜାର୍ଡସ ପରସ୍ପରକୁ ଭେଟିବେ। ଲାନର୍ସର ୫ଟି ମ୍ୟାଚ ଘରୋଇ ମାଟି ଭୁବନେଶ୍ୱରରେ ଖେଳିବ। ସେହିପରି ବାକି ୫ଟି ମ୍ୟାଚ ବାହାରେ ଖେଳିବ। ଗତବର୍ଷ ଭଳି ଏଥର ମଧ୍ୟ ମ୍ୟାଚଗୁଡିକରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିବ।

କଳିଙ୍ଗ ଲାନର୍ସରକୁ ବାଦ ଦେଲେ ଅନ୍ୟ ୫ଟି ଦଳ ଦିଲ୍ଲୀ ବେଭ ରାଇଡର୍ସ, ଦବଙ୍ଗ ମୁମ୍ୱାଇ, ପଞ୍ଜ।ବ ୱାରିୟର୍ସ, ଗତଥର ଚାମ୍ପିୟନ ରାଞ୍ଚି ରେଜ୍ ଓ ଉତ୍ତରପ୍ରଦେଶ ୱିଜାର୍ଡସ ଏହି ଲିଗରେ ଭାଗ ନେଇଛନ୍ତି। ଦେଶର ୬ଟି ଭେନ୍ୟୁରେ ଏହି ମ୍ୟାଚଗୁଡିକ ଖେଳାଯିବ। ପାଖାପାଖି ମାସେ ଧରି ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟ ଫେବୃୟାରୀ ୨୧ରେ ଶେଷ ହେବ।

ଚଳିତବର୍ଷର ଏହି ଟିମ୍ ବେଷ୍ଟ ବୋଲି କହିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ । ଅନ୍ୟମାନଙ୍କ ଟିମରେ ମଧ୍ୟ ବାଲାନ୍ସ ରହିଛି। ପୂର୍ବତନ ଅଷ୍ଟ୍ରେଲିଆନ ଖେଳାଳି ମାର୍କ ହାଗର କଳିଙ୍ଗ ଲାନର୍ସର ମୁଖ୍ୟ କୋଚ ଓ ଜର୍ମାନୀ ଖେଳାଳି ମୋରାଇଟ୍ ଫ୍ଲୁଏରସ ଅଧିନାୟକ ଭାବେ ମିଳିବା ଦଳ ପାଇଁ ଲାଭ ଦାୟକ ହେବ। ସେହିପରି ଗତ ଦୁଇବର୍ଷ ଆମେ ଭାରତୀୟ କ୍ୱାଲିଟି ପ୍ଲେୟାର ପାଇ ନ ଥିଲୁ। ଏଥର ଭଲ ଖେଳାଳି ପାଇଛୁ। ଓଡ଼ିଆ ଖେଳାଳିମାନେ ମଧ୍ୟରେ ମ୍ୟାଚ ବିଜୟୀ ଖେଳାଳି ଅଛନ୍ତି ଓ ସମସ୍ତେ ଫିଟ୍ ଅଛନ୍ତି ବୋଲି ସେ କହିଛନ୍ତି। ଏହି ଦଳ ସେମିଫାଇନାଲ ପର୍ଯ୍ୟନ୍ତ ନିଶ୍ଚିତ ଯିବ ବୋଲି ଆଶା ରଖିଛୁ। ଦୁଇଦିନ ଖେଳ ବାକି ଥିଲେ ମଧ୍ୟ ଟିମ ତାଳମେଳରେ ବିଦେଶୀ ଓ ଘରୋଇ ଖାଳାଳିଙ୍କ ମଧ୍ୟରେ କିଛି ସମସ୍ୟା ହେବ ନାହିଁ ବୋଲି ସେ ମତ ଦେଇଛନ୍ତି।