ଲର୍ଡ୍ସ: ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ରବିବାର ଲର୍ଡ୍ସ ମଇଦାନରେ ଇଂଲଣ୍ଡ ବିପକ୍ଷ ଫାଇନାଲରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ କ୍ୟାପଟେନ୍ ଭାବେ ବିଶ୍ୱକପରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି।
ଏହି ମାମଲାରେ ସେ ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ୍ ମାହେଲା ଜୟବର୍ଦ୍ଧନେଙ୍କ ୧୨ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଏହି ଉପଲବ୍ଧି ନିଜ ନାମରେ କରିଛନ୍ତି। ୱିଲିୟମସନ୍ ଇଂଲଣ୍ଡ ବିପକ୍ଷ ଟାଇଟଲ୍ ମୁକାବିଲାରେ ୩୦ ରନର ଇନିଂସ୍ ଖେଳିଛନ୍ତି ଏବଂ ସେ ଚଳିତ ବିଶ୍ୱକପରେ ମୋଟ ୫୭୮ ରନ୍ କରିଛନ୍ତି।
ଜୟବର୍ଦ୍ଧନେ ୨୦୦୭ରେ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ବିଶ୍ୱକପରେ ୫୪୮ ରନ୍ ନିଜ ନାମରେ କରିଥିଲେ। ତେବେ ବିଶ୍ୱକପର କୌଣସି ସଂସ୍କରଣରେ କ୍ୟାପଟେନ୍ ଭାବେ ସର୍ବାଧିକ ରନ୍ ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ। ପଣ୍ଟିଂ ୨୦୦୭ ବିଶ୍ୱକପରେ ୫୩୯ ରନ୍ କରିଥିବା ବେଳେ ଚଳିତ ସଂସ୍କରଣରେ ଆରୋନ୍ ଫିଞ୍ଚ୍ ୫୦୭ ରନ୍ ଏବଂ ୨୦୧୫ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସ ୪୮୨ ରନ୍ କରିଥିଲେ।
ଯଦି ଭାରତୀୟ କ୍ରିକେଟ୍ ଇତିହାସର ସବୁଠାରୁ ସଫଳ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ କଥା କୁହାଯିବ, ତାହେଲେ ସେ ୨୦୧୧ ବିଶ୍ୱକପରେ ମାତ୍ର ୨୪୧ ରନ୍ କରିଥିଲେ । ଏହି ବିଶ୍ୱକପରେ ଭାରତ ଚାମ୍ପିଅନ୍ ହୋଇଥିଲା। ସେହିପରି ୨୦୦୩ ବିଶ୍ୱକପରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ପହଞ୍ଚିଥିଲା। ସେହି ବିଶ୍ୱକପରେ ଗାଙ୍ଗୁଲି ୪୬୫ ରନ୍ କରିଥିଲେ।
ଅନ୍ୟପକ୍ଷରେ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ ହାସଲକାରୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର ଆଗରେ ଅଛନ୍ତି। ଭାରତର ପୂର୍ବତନ ଓପ୍ନର ସଚିନ ୨୦୦୩ ବିଶ୍ୱକପରେ ୬୭୩ ରନ୍ କରିଥିଲେ, ଯାହା ଆଜି ବି ବିଶ୍ୱ ରେକର୍ଡ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।