ଚେନ୍ନାଇ ଆଗରେ ୧୭୯ ରନ୍‌ର ଟାର୍ଗେଟ ରଖିଲା ପଞ୍ଜାବ

ଅବୁଧାବି: ଅଧିନାୟକ କେଏଲ ରାହୁଲଙ୍କ ୬୩ ଓ ନିକୋଲ୍ସ ପୁରାନଙ୍କ ବିସ୍ଫୋରକ ୩୩ ରନ୍ ସତ୍ତ୍ୱେ କିଙ୍ଗସ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୮ ରନ କରିଛି। ଫଳରେ ଚଳିତ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚ୍ ହାରିଥିବା ଚେନ୍ନାଇ ସୁପର କିଙ୍ଗସକୁ ଆଜି ଜିତିବା ପାଇଁ ୧୭୯  ଟାର୍ଗେଟ ମିଳିଛି।

ଟସ୍ ଜିତି ପ୍ରଥମେ କେଏଲ ରାହୁଲଙ୍କ ପଞ୍ଜାବ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପନର ରାହୁଲ ଓ ମୟଙ୍କ ଅଗ୍ରୱାଲ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୬ ଓଭରରେ ବିନା କୌଣସି ୱିକେଟ ହରାଇ ୪୬ ରନ୍ କରିଥିଲେ। ଏହାପରେ ଉଭୟ ଗିୟର ବଦଳାଇ ୮.୧ ଓଭରରେ ଦଳୀୟ ସ୍କୋରକୁ ୬୧ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ୨୬ ରନ୍ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ପୀୟୂଷ ଚାୱାଲା ଆଉଟ କରିଦେଇଥିଲେ।

ଆଇପିଏଲରେ ଚଳିତ ବର୍ଷ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମନଦୀପ ସିଂହ କିଛି ସମୟ ପାଇଁ ବଡ଼ ଶଟ୍‌ ଖେଳିଥିଲେ। ହେଲେ ସେ କେବଳ ୨୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଜାଡେଜା ନେଇଥିଲେ। ପୁରାନ ଓ ରାହୁଲ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୧୫୨ରେ ପହଞ୍ଚାଇ ଦେଇଥିଲେ।

ରାହୁଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ପୁରାନ ୧୭ ବଲରେ ୩୩ ରନ୍‌ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ। ଏହାର ପରବର୍ତ୍ତୀ ବଲରେ ରାହୁଲ ମଧ୍ୟ ୬୩ ରନ୍ କରି ଠାକୁରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶେଷ ଓଭରରେ ଯୁବ ତାରକା ସର୍ଫରାଜ ଖାନ ୨ଟି ଚୌକା ମାରିବାରୁ ଦଳୀୟ ସ୍କୋର ୧୭୮ରେ ପହଞ୍ଚିଥିଲା। ଶେଷ ଯାଏ ମ୍ୟାକ୍ସୱେଲ ୧୧ ଓ ସର୍ଫରାଜ ୧୪ ରନ୍‌ କରି ଅପରାଜିତ ରହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।