କୋହଲିଙ୍କୁ ସବୁ ଫର୍ମାଟରେ ଅଧିନାୟକ କରାଯାଉ: ପ୍ରସନ୍ନା

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ସବୁ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ କରିବାର ସମୟ ଆସି ଯାଇଛି। ଶୁକ୍ରବାର ଏ କଥା କହିଛନ୍ତି ପ୍ରସିଦ୍ଧ ସ୍ପିନର ଇରାପାଲି ପ୍ରସନ୍ନା। ସେ କହିଛନ୍ତି ଯେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱ ଦୁର୍ବଳ ପଡ଼ି ଗଲାଣି। ତାଙ୍କ ସ୍ଥାନରେ ବିରାଟଙ୍କୁ ୩ଟି ଯାକ ଫର୍ମାଟରେ ଅଧିନାୟକ କରାଯାଉ। ଧୋନୀଙ୍କୁ ୱିକେଟ୍ କିପର୍ ଭାବେ ଦଳରେ ସାମିଲ କରାଯାଉ। ଧୋନୀଙ୍କୁ ୩୩-୩୪ ବର୍ଷ ହୋଇଗଲାଣି। ଆଜି ନ ହେଲେ କାଲି ନୂଆ ଅଧିନାୟକ ନିଯୁକ୍ତ କରିବାକୁ ପଡ଼ିବ। ତେଣୁ ଏବେ ଅଧିନାୟକ ପରିବର୍ତ୍ତନ କରିବାରେ ଅସୁବିଧା କେଉଁଠି?

ସୂଚନାଯୋଗ୍ୟ, ବିରାଟ ଏବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଅଛନ୍ତି। ଟେଷ୍ଟ କ୍ରିକେଟରୁ  ଧୋନୀଙ୍କ ଅବସର ଘୋଷଣା ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ବିଶ୍ୱ ଟ୍ୱେଣ୍ଟି-ଟ୍ୱେଣ୍ଟି କପ୍ ପାଇଁ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଭାବେ ଘୋଷଣା କରାଯାଇ ସାରିଛି। ତେବେ ଏହା ଉପରେ ସମୀକ୍ଷା କରାଯିବା ଆବଶ୍ୟକ ବୋଲି ପ୍ରସନ୍ନା କହିଛନ୍ତି। ସେ କହିଛନ୍ତି, ଧୋନୀଙ୍କ ନେତୃତ୍ୱରେ ଭାରତ ଲଗାତାର ତିନିଟି ଦିନିକିଆ ସିରିଜ୍ ହାରି ସାରିଲାଣି।

୭୫ ବର୍ଷୀୟ ପ୍ରସନ୍ନା ଭାରତ ପକ୍ଷରୁ ୪୯ଟି ଟେଷ୍ଟ ଖେଳି ୧୮୯ଟି ୱିକେଟ୍ ନେଇଛନ୍ତି।