କୋହଲି ନମ୍ବର ୧ ଟି-ଟ୍ୱେଣ୍ଟି ବ୍ୟାଟ୍ସମ୍ୟାନ୍

ଦୁବାଇ: ଅଷ୍ଟ୍ରେଲିଆକୁ ଟି-ଟ୍ୱେଣ୍ଟି ସିରିଜରେ ୩-୦ରେ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିରାଟ କୋହଲି ବନି ଯାଇଛନ୍ତି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିର ନମ୍ବର ୧ ବ୍ୟାଟ୍ସମ୍ୟାନ୍। ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚଙ୍କୁ ହଟାଇ ସେ ହାସଲ କରିଛନ୍ତି ଏହି ଆସନ।

ଆଇସିସି ପକ୍ଷରୁ ଜାରି କରାଯାଇଥିବା ସଦ୍ୟ ତାଲିକାରେ କୁହାଯାଇଛି ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଟି-ଟ୍ୱେଣ୍ଟିରେ ଯଥାକ୍ରମେ ୯୦ ନଟ୍ ଆଉଟ୍, ୫୦ ନଟ୍ ଆଉଟ୍ ଓ ୫୦ ରନ୍ କରି ୪୭ ରେଟିଂ ପଏଣ୍ଟ ହାସଲ କରିବା ସହିତ ୮୯୨ ରାଙ୍କିଂ ପଏଣ୍ଟ ପାଇ ଫିଞ୍ଚଙ୍କୁ ଅତିକ୍ରମ କରି ଯାଇଛନ୍ତି। ଗତକାଲି ଶେଷ ହୋଇଥିବା ଏହି ସିରିଜରୁ ଆଡିଲେଡ୍ ଓ ମେଲବୋର୍ଣ୍ଣରେ ଯଥାକ୍ରମେ ୪୪ ଓ ୭୪ ରନ୍ କରି ଫିଞ୍ଚ୍ ୧୪ ରେଟିଂ ପଏଣ୍ଟ୍ ହାସଲ କରିଥିଲେ। ଆଘାତ କାରଣରୁ ସେ ଗତକାଲି ଅନୁଷ୍ଠିତ ଶେଷ ମ୍ୟାଚଟି ଖେଳି ନ ଥିଲେ।

ସେହିପରି ଏହି ସିରିଜରେ ଭଲ ବ୍ୟାଟିଂ କରିଥିବା ସୁରେଶ ରାଇନା ତିନୋଟି ସ୍ଥାନ ଉପରକୁ ଉଠି ୧୩ ନମ୍ବର ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ୪ଟି ସ୍ଥାନ ଉପରକୁ ଉଠି ୧୬ ତମ ସ୍ଥାନରେ ପହଞ୍ଚିଛନ୍ତି।