କୋହଲିଙ୍କ ନୂଆ ରେକର୍ଡ: ୨୫ ଶତକ ମାରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍

virat kohiliନୂଆଦିଲ୍ଲୀ: କାନବେରାରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ମ୍ୟାଚରେ ଭାରତ ହାରି ଯାଇଥିଲେ ହେଁ ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଯାଇଛି ଆଉ ଏକ ରେକର୍ଡ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚରେ ସେ ଦିନିକିଆରେ ଦ୍ରୁତତମ ୭୦୦୦ ରନ୍ କରିବାର ରେକର୍ଡ ନିଜ ନାମରେ କରି ନେଇଥିବା ବେଳେ ଆଜି ୨୫ ତମ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ମଧ୍ୟ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ବନି ଯାଇଛନ୍ତି। ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ୨୫ଟି ଶତକ କରିବା ପାଇଁ ତେନ୍ଦୁଲକର ୨୩୪ଟି ଇନିଂସ ଖେଳିଥିଲେ। ତେବେ କୋହଲି ୧୭୦ ତମ ଦିନିକିଆ ମ୍ୟାଚ୍ ଓ ୧୬୨ ଇନିଂସରେ ୨୫ତମ ଶତକ ହାସଲ କରିଛନ୍ତି।

କୋହଲି ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ତା’ ମାଟିରେ ୪ଟି ଲଗାତାର ଅର୍ଦ୍ଧଶତକ ଅବା ତା’ଠାରୁ ଅଧିକ ରନ୍ ସଂଗ୍ରହ କରିବାରେ ସୁନୀଲ ଗାଭାସ୍କରଙ୍କ ପରେ ସେ ବନି ଯାଇଛନ୍ତି ଦ୍ୱିତୀୟ ଭାରତୀୟ। ୧୯୮୫-୮୬ରେ ବେନସନ୍ ଆଣ୍ଡ୍ ହେଜେସ୍ ୱାର୍ଲ୍ଡ ସିରିଜ୍ କପରେ ଗାଭାସ୍କର ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ୫୯, ୯୨ (ଅପରାଜିତ), ୭୭ ଓ ୭୨ ରନ୍ କରିଥିଲେ।

ଆଜି କୋହଲି ଲଗାତାର ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ (୧୦୬) ମାରିଛନ୍ତି। ମେଲବୋର୍ଣ୍ଣ ମ୍ୟାଚରେ ସେ ୧୧୭ ରନ୍ କରି ଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଏଯାବତ ୫ଟି ଶତକ ମାରିଛନ୍ତି।

ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲକାରୀଙ୍କ ତାଲିକରେ କୋହଲି ୪ ନମ୍ବର ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ୪୯ଟି ଶତକ ସହିତ ପ୍ରଥମ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକର। ସେହିପରି ୩୦ଟି ଶତକ ସହିତ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୨୮ଟି ଶତକ ସହ ଶ୍ରୀଲଙ୍କର ସନତ ଜୟସୁରୀୟା ତୃତୀୟ ସ୍ଥାନରେ ଅଛନ୍ତି। କୁମାର ସାଙ୍ଗାକାରା ୨୫ଟି ଶତକ କରିଛନ୍ତି। ତେବେ ୩୮୦ଟି ଇନିଂସରୁ ସେ ୨୫ଟି ଶତକ ହାସଲ କରିଛନ୍ତି।