ଟି-୨୦ରେ ଗୌତମଙ୍କ ବିସ୍ଫୋରକ ରୂପ, ୧୩୪ ରନ୍‌ ସହ ୮ ୱିକେଟ

ବେଙ୍ଗାଲୁରୁ: ଭାରତୀୟ ଅଲରାଉଣ୍ଡର କ୍ରୀଷ୍ଣାପ୍ପା ଗୌତମ ଟି-୨୦ କ୍ରିକେଟରେ ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ଆଇପିଏଲ୍‌ରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ଗୌତମ ଏବେ କର୍ଣ୍ଣାଟକା ପ୍ରିମିୟର ଲିଗ୍‌ (କେପିଏଲ୍‌) ଖେଳୁଛନ୍ତି। ଗତକାଲି ରାତିରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଗୌତମ ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ଯାଦୁ ଦେଖାଇଛନ୍ତି।

ସେ ବ୍ୟାଟିଂରେ ୧୩୪ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ସେହିପରି ବୋଲିଂ କରି ପ୍ରତିପକ୍ଷ ଦଳର ୮ଟି ୱିକେଟ୍‌ ଦଖଲ କରିବାକୁ ସକ୍ଷମ ହୋଇଛନ୍ତି। ଗୋଟିଏ ଟି-୨୦ ମ୍ୟାଚ୍‌ରେ ଏଭଳି ପ୍ରଦର୍ଶନ ଆଗରୁ କୌଣସି ଖେଳାଳି କେବେ ହେଲେ କରି ନଥିଲେ।

ବେଲ୍ଲାରୀ ଟସ୍କରସ ପକ୍ଷରୁ ଖେଳୁଥିବା ଗୌତମ ଗତକାଲି ଶିମୋଗ ଲାଏନ୍ସ ବିପକ୍ଷରେ ଖେଳୁଥିଲେ। ଏହି ସମୟରେ ଗୌତମ ମାତ୍ର ୩୯ଟି ବଲ୍‌ରେ ଶତକ ହାସଲ କରିଥିଲେ। ଏହା କେପିଏଲ୍‌ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ। ଏହାପରେ ସେ ୫୬ଟି ବଲ୍‌ରେ ୧୩୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହି ଇନିଂସ୍‌ରେ ଗୌତମ ୧୩ଟି ବିଶାଳ ଛକା ମାରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ୧୦୬ ରନ୍‌ କେବଳ ଛକା ଓ ଚୌକାରୁ ହାସଲ କରିଥିଲେ।
କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ଗୌତମ ନିଜର ଜଲୱା ଦେଖାଇଥିଲେ। ସେ ୪ ଓଭରରେ ୧୫ ରନ୍ ବ୍ୟୟ କରି ଶିମୋଗ ଲାଏନ୍ସର ୮ ଜଣ ଖେଳାଳିଙ୍କୁ ଆଉଟ କରିଥିଲେ। ଗୌତମଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ବେଲ୍ଲାରୀ ଟସ୍କରସ ୭୦ ରନ୍‌ରେ ମ୍ୟାଚ୍‌ଟିକୁ ଜିତି ନେଇଥିଲା।