ଦୁବାଇ: ଆଇପିଏଲ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି କିଙ୍ଗସ ଏକାଦଶ ପଞ୍ଜାବର ଯୁବ ଓପନର ମୟଙ୍କ ଅଗ୍ରୱାଲ। ମୟଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ବିଶାଳ ୨୨୫ ରନ୍ କରିଛି। ଫଳରେ ରାଜସ୍ଥାନ ରୟାଲ୍ସ ଆଗରେ ୨୨୪ ରନ୍ର ଟାର୍ଗେଟ ରହିଛି। ମୟଙ୍କ ୫୦ ବଲରେ ୧୦୬ ରନ୍ କରିଥିବା ବେଳେ ଅଧିନାୟକ କେଏଲ ରାହୁଲ ୬୯ ରନ୍ର ଇନିଂସ୍ ଖେଳିଛନ୍ତି।
ଆଜିର ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ ସ୍ମିଥ ପଞ୍ଜାବକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ପଞ୍ଜାବର ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମ ୬ ଓଭରରେ ଉଭୟ ୬୦ ରନ୍ ସଂଗ୍ରହ କରିଥିଲେ। ଚଳିତ ଆଇପିଏଲରେ ଏହା ପାୱାର ପ୍ଲେରେ ସର୍ବାଧିକ ସ୍କୋର।
ଏହାପରେ ରନର ହାର ଦୁଇ ବ୍ୟାଟସମ୍ୟାନ୍ ବଢ଼ାଇଥିଲେ। ବିଶେଷ କରି ମୟଙ୍କ ଅଗ୍ରୱାଲ ଆଟାକିଂ କ୍ରିକେଟ ଖେଳିଥିଲେ। ୮ମ ଓଭରରେ ପଞ୍ଜାବ ରାହୁଲ ତେୱାତିଆଙ୍କ ଓଭରରେ ୧୯ ରନ୍ ଆଦାୟ କରିଥିଲେ। ଏହାର ପରବର୍ତ୍ତୀ ଓଭରରେ ଶ୍ରେୟସ ଗୋପାଲଙ୍କ ବଲରେ ଛକା ମାରି ଅଗ୍ରୱାଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ଏହାପରେ ସେ ଆହୁରି ଆକ୍ରମଣାତ୍ମ ରୂପ ଧାରଣ କରି ମାତ୍ର ୪୫ଟି ବଲରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ଦ୍ରୁତତମ ଶତକ। ଏହାପୂର୍ବରୁ ୨୦୧୦ରେ ରାଜସ୍ଥାନ ପକ୍ଷରୁ ୟୁସୁଫ ପଠାନ ୩୭ଟି ବଲରେ ଶତକ ହାସଲ କରିଥିଲେ।
ମୟଙ୍କ ସହ ରାହୁଲ ମଧ୍ୟ ଦମଦାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦ୍ରୁତ ରନ୍ ସଂଗ୍ରହ ଲୋଭରେ ମୟଙ୍କ ୫୦ ବଲରେ ୧୦୬ ରନ୍ କରି ଟମ କୁରାନଙ୍କ ବଲରେ ଆଉଟ ହୋଇଥିଲେ। ସେ ଏହି ଶତକୀୟ ଇନିଂସରେ ୭ଟି ଛକା ଓ ୧୦ଟି ଚୌକା ମାରିଛନ୍ତି।
ଏହାପରେ ରାହୁଲ ମଧ୍ୟ ୬୯ ରନ୍ କରି ଅଙ୍କିତ ରାଜପୁତଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ନିକୋଲ୍ସ ପୁରାନ ୮ ବଲରେ ୨୫ ଓ ଗ୍ଲେନ ମ୍ୟାକ୍ସୱେଲ ୯ ବଲରେ ୧୩ ରନ୍ କରିବାରୁ ପଞ୍ଜାବ ୨ ୱିକେଟ ହରାଇ ୨୨୩ ରନ୍ କରିଥିଲା। ଏବେ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ପାଇଁ ବିଶାଳ ୨୨୪ ରନ୍ର ଟାର୍ଗେଟ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।