ପଞ୍ଜାବକୁ ଜିତାଇଲେ ଗେଲ ଓ ମନଦୀପ, ଟପ୍‌ ୪ରେ ରାହୁଲଙ୍କ ଟିମ୍‌

ଶାରଜା: ଚଳିତ ଆଇପିଏଲରେ କ୍ରମାଗତ ୫ମ ବିଜୟ ହାସଲ କରିଛି କିଙ୍ଗସ ଏକାଦଶ ପଞ୍ଜାବ। ଏଥିସହ ଦଳ ପ୍ଲେ-ଅଫ ଖେଳିବା ଦିଗରରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି। ପଞ୍ଜାବ ଏହି ବିଜୟ ପରେ ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ ଦଳଙ୍କ ମଧ୍ୟରେ ନିଜକୁ ସାମିଲ ମଧ୍ୟ କରିନେଇଛି। କୋଲକାତା ପାଖରେ ୧୨ଟି ମ୍ୟାଚ୍‌ରୁ ପଞ୍ଜାବ ଭଳି ସମାନ ୧୨ ପଏଣ୍ଟ ରହିଛି। ହେଲେ ରନ୍‌ ରେଟ ଆଧାରରେ କୋଲକାତା ୪ ନଂ ଦଳ ହୋଇଯାଇଛି।

ଆଜି କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ପଞ୍ଜାବ ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂରେ କମଲା କରିଥିବା କେଏଲ ରାହୁଲଙ୍କ ପଞ୍ଜାବ ବ୍ୟାଟିଂରେ ମଧ୍ୟ ଜଲୱା ଦେଖାଇଛି।

ବିଶେଷ କରି କ୍ରିସ ଗେଲ ଓ ମନଦୀପ ସିଂହଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ ପ୍ରତିପକ୍ଷ କୋଲକାତାକୁ ୯ ୱିକେଟରେ ପରାସ୍ତ କରିଛି। ଗେଲ ୨୯ ବଲରେ ୬୧ ରନ୍‌ କରି ଆଉଟ ହୋଇଥିବା ବେଳେ ମନଦୀପ ୫୬ ବଲରେ ଅପରାଜିତ ୬୬ ରନ୍‌ର ଇନିଂସ୍‌ ଖେଳିଛନ୍ତି। କୋଲକାତା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୪୯ ରନ୍‌ କରିଥିଲା। ଏହାର ଜବାବରେ ପଞ୍ଜାବ ୭ ବଲ ପୂର୍ବରୁ ୨ଟି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସ କରି ନେଇଛି।

୧୫୦ ରନ୍‌ର ଟାର୍ଗେଟ ପାଇଥିବା ପଞ୍ଜାବ ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲା। ଅଧିନାୟକ କେଏଲ ରାହୁଲ ଓ ମନଦୀପ ସିଂହ ବେଶ ସତର୍କତାର ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୬ ଓଭର୍‌ରେ ୩୬ ରନ୍‌ ସଂଗ୍ରହ କରିବା ସହ କୋଲକାତାକୁ କୌଣସି ୱିକେଟ ଦେଇ ନଥିଲେ।

ତେବେ ଦଳୀୟ ସ୍କୋର ୪୭ ଥିବା ବେଳେ ବ୍ୟକ୍ତିଗତ ୨୭ ରନ୍‌ କରି ରାହୁଲ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। କୋଲକାତା ଏଠାରୁ ଚାପ ପକାଇବାକୁ ଚେଷ୍ଟା କରିଥିଲା। ହେଲେ ଗେଲ ଓ ମନଦୀପ ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଗେଲ ବଡ଼ ବଡ଼ ଶଟ ଖେଳି ୨୫ ବଲରେ ନିଜର ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ମନଦୀପ ମଧ୍ୟ ନିଜର ଆକର୍ଷଣୀୟ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ।

ପଞ୍ଜାବକୁ ଜିତିବା ପାଇଁ ୩ ରନ୍‌ ଦରକାର ଥିବେ ବେଳେ ଗେଲ ୫୧ ରନ୍‌ କରି ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୫ଟି ଛକା ଓ ଦୁଇଟି ଚୌକା ମାରିଛନ୍ତି। ସେହିପରି ଶେଷ ଯାଏ ଅପରାଜିତ ଥିବା ମନଦୀପ ୫୬ ବଲରେ ୬୬ ରନ୍‌ କରିଛନ୍ତି। ସେ ତାଙ୍କ ଇନିଂସ୍‌ରେ ୨ଟି ଛକା ଓ ୮ଟି ଚୌକା ମାରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।