ଲଭଲୀନା, ଆଶିଷ ଓ ସତୀଶଙ୍କୁ ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ପୁଣି ଭାରତର ୩ ଜଣ ବକ୍ସର ଚଳିତ ବର୍ଷ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସ ଟିକେଟ ହାସଲ କରିଛନ୍ତି। ଏସିଆ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ଦମଦାର ପ୍ରଦର୍ଶନ କରି ଭାରତର ଲଭଲୀନା, ଆଶିଷ କୁମାର ଓ ସତୀଶ କୁମାର ଟୋକିଓ ପାଇଁ ଟିକେଟ ପାଇଛନ୍ତି। ଏହାପୂର୍ବରୁ ଭାରତର ପୂଜା ରାଣୀ ଓ ବିକାଶ କ୍ରିଷ୍ଣା ଅଲିମ୍ପିକ୍ସ ଟିକେଟ ହାସଲ କରିଥିଲେ।

ଆଶିଷ କୁମାର ଇଣ୍ଡୋନେସିଆର ମେଖଲ ରବର୍ଡ ମୁସକିତାଙ୍କୁ ୭୫ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଏହି ମ୍ୟାଚକୁ ସେ ୫-୦ରେ ଜିତିବା କ୍ଷଣି ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ସେହିପରି ୯୧ କେଜି ବର୍ଗରେ ସତୀଶ କୁମାର ମୋଙ୍ଗାଲିଆ ଖେଳାଳିଙ୍କୁ ୫-୦ରେ ହରାଇଛନ୍ତି। ସତୀଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ଲଭଲୀନା ୬୯ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ଉଜବେକିସ୍ତାନ ମେଲିଇଭାଙ୍କୁ ଭେଟିଥିଲେ।

ଏହି ମ୍ୟାଚ୍‌ଟିକୁ ଲଭଲୀନ ସିଧାସଳଖ ୫-୦ରେ ଜିତି ସେମିରେ ପ୍ରବେଶ କରିଛନ୍ତି। ସେମିରେ ପ୍ରବେଶ କରିବା କ୍ଷଣି ସେ ଅଲିମ୍ପିକ୍ସ ଟିକେଟ ମଧ୍ୟ ହାସଲ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।