ଦିଲ୍ଲୀ ପାଇଁ ଜବରଦସ୍ତ ବ୍ୟାଟିଂ କଲେ ପନ୍ତ ଓ ଷ୍ଟୋଇନିସ୍‌, ବିରାଟଙ୍କ ଆଗରେ ୧୯୭ ରନ୍‌ର ଟାର୍ଗେଟ

ଦୁବାଇ: ପୃଥ୍ୱୀ ଶ’ ଓ ଶିଖର ଧୱନଙ୍କ ବିସ୍ଫୋରକ ଆରମ୍ଭ ପରେ ଶେଷ ଭାଗରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଜବରଦସ୍ତ ବ୍ୟାଟିଂ କରିଛନ୍ତି ମାର୍କସ ଷ୍ଟୋଇନିସ୍‌ ଓ ଋଷଭ ପନ୍ତ। ପନ୍ତଙ୍କ ୨୪ ବଲରେ ୩୭ ଓ ଷ୍ଟୋଇନିସଙ୍କ ୬୨ ରନ୍‌ ସହ ଶ’ଙ୍କ ୪୨ ରନ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଦାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୯୬ ରନ୍‌ କରିଛି। ଫଳରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ଆଗରେ ବିଶାଳ ୧୯୭ ରନ୍‌ ଟାର୍ଗେଟ ରହିଛି। ଦିଲ୍ଲୀ ପକ୍ଷରୁ ଶିଖର ଧୱନ ୨୮ ବଲରେ ୩୨ ଓ ଶ୍ରେୟସ ଆୟର ୧୩ ବଲର୍‌ରେ ୧୧ ରନ୍‌ କରିଛନ୍ତି।

ଟସ୍‌ ଜିତି ବିରାଟ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହେଲେ ଏହାକୁ ଭୁଲ ପ୍ରମାଣ କରି ଦିଲ୍ଲୀର ଦୁଇ ଓପନର ଶ’ ଓ ଧୱନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଶ’ ବଡ଼ ଶଟ୍‌ ଖେଳିଥିଲେ। ଉଭୟ ବିନା କୌଣସି ୱିକେଟରେ ୬.୪ ଓଭର୍‌ରେ ଦଳର ପାଇଁ ୬୮ ରନ୍‌ ଆଦାୟ କରିଥିଲେ। ଏହି ସମୟରେ ୨୩ ବଲରେ ୪୨ ରନ୍‌ କରିଥିବା ଶ’ଙ୍କୁ ମହମ୍ମଦ ସିରାଜ ଆଉଟ କରିଦେଇଥିଲେ।

ଏହାପରେ ଶିଖର ଧୱନ(୩୨) ଉଦାନାଙ୍କ ଶିକାର ବନିଥିଲେ। ଗତ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିବା ଅଧିନାୟକ ଶ୍ରେୟସ ବେଶୀ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ସେ ୧୧ ରନ୍‌ କରିଥିବା ବେଳେ ମୋଇନ ଅଲୀଙ୍କ ବଲରେ ଆଉଟ ହୋଇଯାଇଥିଲେ। ଶ୍ରେୟସ ଆଉଟ ହେବା ବେଳେ ଦଳୀୟ ସ୍କୋର ୯୦ ରହିଥିଲା।

ଏହିଠାରୁ ଆରମ୍ଭ ହୋଇଥିଲା ପନ୍ତ ଓ ଷ୍ଟୋଇନ ଯୋଡ଼ିଙ୍କ କମାଲ। ପନ୍ତ କିଛି ସମୟ ପାଇଁ ସତର୍କର ସହ ଖେଳିଥିଲେ ହେଁ ଷ୍ଟୋଇନିସ୍‌ ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏପରି କି ୨୪ ବଲରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଷ୍ଟୋଇନିସଙ୍କ ଆକ୍ରମଣାତ୍ମକ ଶଟ୍‌ ଦେଖି ପନ୍ତ ମଧ୍ୟ ବଡ଼ ଶଟ ମାରିଥିଲେ। କିନ୍ତୁ ସେ ୨୫ ବଲ୍‌ରେ ୩୭ ରନ୍‌ କରି ସିରାଜଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହେଟମେୟର ମଧ୍ୟ ନିରାଶ କରି ନଥିଲେ। ସେ ୭ ବଲରେ ଗୋଟିଏ ଛକା ସହାୟତରେ ୧୧ ରନ୍‌ କରିଛନ୍ତି। ସେହିପରି ଷ୍ଟୋଇନିସ୍‌ ଶେଷ ଯାଏ ୨୬ ବଲରେ ୫୩ ରନ୍‌ କରି ଅପରାଜିତ ରହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।