ଲାବୁଶେନଙ୍କ ଶତକ, ଅନଭିଜ୍ଞ ବୋଲିଂ ଆଟାକର ଫାଇଦା ଉଠାଇଲା ଅଷ୍ଟ୍ରେଲିଆ

ବ୍ରିସବେନ: ଇଞ୍ଜୁରୀ ଚ୍ୟାଲେଞ୍ଜ ଯୋଗୁ ଅନଭିଜ୍ଞ ବୋଲିଂ ଆଟାକ ସହ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ୪ର୍ଥ ଟେଷ୍ଟରେ ସମାନ୍ୟ ବ୍ୟାକଫୁଟକୁ ଠେଲି ହୋଇଯାଇଛି। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଅଷ୍ଟ୍ରେଲିଆ ସ୍ଥିତି ସମ୍ଭାଳିବା ସହ ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି। ଅନଭିଜ୍ଞ ବୋଲିଂ ସାଙ୍ଗକୁ ଆହତ ଓ କ୍ୟାଚ୍ ହାତ ଛଡ଼ା କରିବା ଟିମ୍‌ ଇଣ୍ଡିଆକୁ ମହଙ୍ଗା ପଡ଼ିଛି। କ୍ୟାଚ୍‌ ହାତ ଛଡ଼ାର ସୁଯୋଗ ନେଇ ମାର୍ନସ ଲାବୁଶେନ ଶତକ ମଧ୍ୟ ହାସଲ କରିଛନ୍ତି। ସେହିପରି […]

cc

cc

Hemant Lenka
  • Published: Friday, 15 January 2021
  • Updated: 15 January 2021, 02:06 PM IST

Sports

Latest News

ବ୍ରିସବେନ: ଇଞ୍ଜୁରୀ ଚ୍ୟାଲେଞ୍ଜ ଯୋଗୁ ଅନଭିଜ୍ଞ ବୋଲିଂ ଆଟାକ ସହ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ୪ର୍ଥ ଟେଷ୍ଟରେ ସମାନ୍ୟ ବ୍ୟାକଫୁଟକୁ ଠେଲି ହୋଇଯାଇଛି। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଅଷ୍ଟ୍ରେଲିଆ ସ୍ଥିତି ସମ୍ଭାଳିବା ସହ ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି।

ଅନଭିଜ୍ଞ ବୋଲିଂ ସାଙ୍ଗକୁ ଆହତ ଓ କ୍ୟାଚ୍ ହାତ ଛଡ଼ା କରିବା ଟିମ୍‌ ଇଣ୍ଡିଆକୁ ମହଙ୍ଗା ପଡ଼ିଛି। କ୍ୟାଚ୍‌ ହାତ ଛଡ଼ାର ସୁଯୋଗ ନେଇ ମାର୍ନସ ଲାବୁଶେନ ଶତକ ମଧ୍ୟ ହାସଲ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୨୭୪ ରନ୍‌ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ଟିମ୍‌ ପେନ୍‌ ୩୮ ଓ କାମେରନ ଗ୍ରୀନ ୨୮ ରନ୍‌ କରି ଅପରାଜିତ ରହିଛନ୍ତି।

ଆଜି ଭାରତ ପକ୍ଷରୁ ଡେବ୍ୟୁ କରିଥିବା ଟି ନଟରାଜନ ଓ ୱାଶିଂଟନ ସୁନ୍ଦର ମିଳିତ ଭାବେ ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଗୋଟଏ ଲେଖାଏ ସଫଳତା ପାଇଛନ୍ତି। ଆହତ ଯୋଗୁ ନଭଦୀପ ସୈନି ମାତ୍ର ୭.୫ ଓଭର ବୋଲିଂ କରି ମ୍ୟାଚ୍‌ ଅଧାରୁ ହସ୍ପିଟାଲ ଯିବା ଟିମ ଇଣ୍ଡିଆର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦଳୀୟ ସ୍କୋର ୪ ଥିବା ବେଳେ ସିରାଜ ୧ ରନ୍ କରିଥିବା ୱାର୍ଣ୍ଣରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ସେହିପରି ମାର୍କସ ହ୍ୟାରିସଙ୍କ ୱିକେଟ ଶାର୍ଦ୍ଦୁଳ ଠାକୁର ନେଇଛନ୍ତି। ୧୭ ରନ୍‌ରେ ଦୁଇ ୱିକେଟ ହରାଇ ଅଷ୍ଟ୍ରେଲିଆ ସଙ୍କଟରେ ପଡ଼ିଥିଲା। ହେଲେ ଲାବୁଶେନ ଓ ଷ୍ଟିଭ ସ୍ମିଥ ସ୍ଥିତି ସମ୍ଭାଳିଥିଲେ। ଉଭୟ ୩ୟ ୱିକେଟ ପାଇଁ ୭୦ ରନ୍‌ ଯୋଡ଼ି ଥିଲେ।

ଏହି ସମୟରେ ଡେବ୍ୟୁଟାଣ୍ଟ ୱାଶିଂଟନ ସୁନ୍ଦର ୩୬ ରନ୍‌ କରିଥିବା ସ୍ମିଥଙ୍କୁ ଆଉଟ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ। ସ୍ମିଥ ଆଉଟ ହୋଇଥିଲେ ହେଁ ମାଥ୍ୟୁ ୱେଡ ଦମଦାର ବ୍ୟାଟିଂ କରି ଲାବୁଶେନଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ନେଇଥିଲେ।

୪ର୍ଥ ୱିକେଟ ପାଇଁ ଉଭୟ ୧୧୩ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ୪୫ ରନ୍‌ କରିଥିବା ୱେଡ ଦ୍ରୁତ ବୋଲର ନଟରାଜନଙ୍କ ଶିକାର ବନିଥିଲେ। ନଟରାଜନଙ୍କ ଏହା ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ। ଏହାପରେ ଲାବୁଶେନ ନିଜର ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପୂର୍ବରୁ ସେ ଇନିଂସର ୩୬ତମ ଓଭର୍‌ରେ ନଭଦୀପ ସୈନିଙ୍କ ବଲରେ ଗଲି ଅଞ୍ଚଳରେ ଏକ କ୍ୟାଚ୍‌ ଦେଇଥିଲେ। କିନ୍ତୁ ଏହାକୁ ଅଧିନାୟକ ଅଜିଙ୍କ୍ୟ ରାହଣେ ଧରି ପାରି ନଥିଲେ।

ସେହି ଓଭର୍‌ରେ ହିଁ ସୈନି ଆହତ ହୋଇ ମଇଦାନ ଛାଡ଼ିଥିଲେ। ତାଙ୍କ ଓଭର୍‌ର ଶେଷ ବଲ ରୋହିତ ଶର୍ମା ପକାଇଥିଲେ। ଶତକ ହାସଲ କରିବା ପରେ ଲାବୁଶେନ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଚାହିଁଥିଲେ। ହେଲେ ଦଳୀୟ ସ୍କୋର ୨୧୩ ଥିବା ବେଳେ ସେ ବ୍ୟକ୍ତିଗତ ୧୦୮ ରନ୍‌ କରି ନଟରାଜନଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଲଗାତର ଦୁଇଟି ୱିକେଟ ଦଖଲ କରି ଭାରତ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ହେଲେ ଅନଭିଜ୍ଞ ବୋଲିଂ ଆଟାକ ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା। ଅଷ୍ଟ୍ରେଲିଆର ଅଧିନାୟକ ଟିମ୍‌ ପେନ୍‌ ସାଥୀ ଖେଳାଳି ଗ୍ରୀନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଷ୍ଟମ୍ପ ଅପସାରଣ ଯାଏ ସେମାନେ ଭାରତକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ସୁଯୋଗ ଦେଇ ନଥିଲେ। ଖରାପ ଆଲୋକ ଯୋଗୁ ପ୍ରଥମ ଦିନର ଭାରତୀୟ ବୋଲର ୮୭ ଓଭର୍‌ ବୋଲିଂ କରିଛନ୍ତି।

ଏବେ ଅଷ୍ଟ୍ରେଲିଆ ପାଖରେ ଆହୁରି ୫ଟି ୱିକେଟ ଥିବାରୁ ଦଳ ପ୍ରଥମ ଇନିଂସ୍‌ରେ ବଡ଼ ସ୍କୋରର ଲକ୍ଷ୍ୟ ନେଇ ଆସନ୍ତାକାଲି ମଇଦାନକୁ ଓହ୍ଲାଇଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos