ମ୍ୟାରିକମଙ୍କୁ ପୁଣି ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ବକ୍ସର ତଥା ୬ଥରର ବିଶ୍ୱ ବିଜେତା ମ୍ୟାରିକମ ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି। ଜୋର୍ଡାନରେ ଚାଲିଥିବା ଏସିଆନ-ଓସେନିଆନ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ମ୍ୟାରିକମ ସେମି ଫାଇନାଲରେ ପ୍ରବେଶ କରି ଏହି ଯୋଗ୍ୟତା ହାସଲ କରିଛନ୍ତି।

ଏହାପୂର୍ବରୁ ମ୍ୟାରିକମ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ତେଣୁ ସେ ଦ୍ୱିତୀୟ ଥର ପାଇଁ ସେ ଅଲିମ୍ପିକ୍ସକୁ କ୍ୱାଲିଫାୟ କରିଛନ୍ତି। ୫୧ କେଜି ବର୍ଗରେ ଲଢ଼େଇ କରୁଥିବା ମ୍ୟାରିକମଙ୍କ ମୁକାବିଲା ଆଜି ଫିଲିପାଇନ୍ସର ଇରିଶ ମାଗନୋଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ମ୍ୟାରିକମଙ୍କ ଦବଦବା ଦେଖିବାକୁ ମିଳିଥିଲା। ଶେଷରେ ସେ ମ୍ୟାଚ୍‌ଟିକୁ ୫-୦ ଜିତିବା ସହ ସେମି ଫାଇନାଲରେ ପ୍ରବେଶ କରିଥିଲେ। ସେମି ଫାଇନାଲରେ ପ୍ରବେଶ କରିବା ସହ ତାଙ୍କୁ ଟୋକିଓ ଟିକେଟ ମିଳି ଯାଇଥିଲା।

ମ୍ୟାରିକମ ଡିସେମ୍ବର ମାସରେ ଭାରତର ଅନ୍ୟତମ ଷ୍ଟାର ବକ୍ସର ନିଖତ ଜରୀନଙ୍କୁ ପରାସ୍ତ କରି କ୍ୱାଲିଫାୟର୍ସ ରାଉଣ୍ଡ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ମ୍ୟାରିକମଙ୍କ ବଦଳରେ ଜରୀନ ଟୋକିଓ ଅଲିମ୍ପିକ୍ସରେ କ୍ୱାଲିଫାୟର୍ସ ଖେଳିବାକୁ ଦାବି କରିଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। ଏହି ମ୍ୟାଚ୍‌ରେ ମ୍ୟାରିକମ ଏକପାଖିଆ ଭାବେ ଜରୀନଙ୍କୁ ପରାସ୍ତ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।