ମହିଳା ମ୍ୟାଚ୍‌ରେ ରେକର୍ଡ ଭାଙ୍ଗିଲା ଦର୍ଶକଙ୍କ ସଂଖ୍ୟା

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦର୍ଶକଙ୍କ ଉପସ୍ଥିତିକୁ ନେଇ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌କୁ ୮୬,୧୭୪ ଜଣ ଲୋକ ଷ୍ଟାଡିୟମରେ ବସି ଉପଭୋଗ କରିଥିଲେ।

ପୂର୍ବରୁ କୌଣସି ମହିଳା କ୍ରିକେଟ ମ୍ୟାଚ୍‌ରେ ଏତେ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିବା କେବେ ବି ଦେଖା ଯାଇ ନଥିଲା। ତେଣୁ ମହିଳା ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ଦର୍ଶକଙ୍କ ସଂଖ୍ୟା ରେକର୍ଡ କରିଛି।

ଆଇସିସି ଦର୍ଶକଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛି ଯେ ଆଜି ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମରେ ମୋଟ ୮୬,୧୭୪ ଜଣ ଦର୍ଶକ ଉପସ୍ଥିତ ଥିଲେ। ପୂର୍ବରୁ କେବେ ହେଲେ ମହିଳା କ୍ରିକେଟ ଦେଖିବାକୁ ଏତେ ଲୋକ ଆସି ନଥିଲେ। ସେହିପରି ଅଷ୍ଟ୍ରେଲିଆରେ ଖେଳା ଯାଉଥିବା କୌଣସି ମହିଳା ଖେଳରେ ମଧ୍ୟ ଏତେ ସଂଖ୍ୟକ ଦର୍ଶକ କେବେ ହେଲେ ଉପସ୍ଥିତ ନଥିଲେ ବୋଲି ଆଇସିସି କହିଛି।

ରେକର୍ଡ ସଂଖ୍ୟକ ଦର୍ଶକ ଏମସିଜେରେ ଉପସ୍ଥିତ ଥିଲେ ହେଁ ମ୍ୟାଚ୍‌ ଏକପାଖିଆ ଭାବେ ଶେଷ ହୋଇଛି। ଅଷ୍ଟ୍ରେଲିଆ ମ୍ୟାଚ୍‌ ଆରମ୍ଭରୁ ଶେଷ ଯାଏ ଭାରତ ଉପରେ ତା’ର ଦବଦବା ଦେଖାଇଥିଲା।

ଅଷ୍ଟ୍ରେଲିଆ ୧୮୪ ରନ କରିଥିବା ବେଳେ ଭାରତ ୯୯ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଏମସିଜିରେ ୮୬ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିବାରୁ ଖେଳାଳିମାନେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।