ବିଶ୍ୱକପ୍ ପରେ ଅବସର ନେବେ ଧୋନି!

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛି। ତେବେ ଏହା ମଧ୍ୟରେ ଏକ ଖବର ଶୁଣିବାକୁ ମିଳିଛି ଯେ ବିଶ୍ୱକପ୍ ପରେ ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ, ବିଶ୍ୱକପରେ ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ଧୋନିଙ୍କର ମଧ୍ୟ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ତେବେ ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ୨୦୧୪ରେ ଧୋନି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ଏବଂ ଜାନୁଆରୀ, ୨୦୧୭ରେ […]

msd

msd

Hemant Lenka
  • Published: Wednesday, 03 July 2019
  • Updated: 03 July 2019, 06:34 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛି। ତେବେ ଏହା ମଧ୍ୟରେ ଏକ ଖବର ଶୁଣିବାକୁ ମିଳିଛି ଯେ ବିଶ୍ୱକପ୍ ପରେ ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ, ବିଶ୍ୱକପରେ ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ଧୋନିଙ୍କର ମଧ୍ୟ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ତେବେ ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

୨୦୧୪ରେ ଧୋନି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ଏବଂ ଜାନୁଆରୀ, ୨୦୧୭ରେ ସେ ଦିନିକିଆ କ୍ରିକେଟ୍ ଟିମ୍ କ୍ୟାପଟେନ୍ ପଦ ଛାଡ଼ିଥିଲେ। ଏହାପରଠାରୁ ସେ ସୀମିତ ଓଭର କ୍ରିକେଟରେ ଭାରତର ନିୟମିତ ସଦସ୍ୟ ରହିଆସିଛନ୍ତି।

ପିଟିଆଇ ପକ୍ଷରୁ କୁହାଯାଇଛି ଯେ, "ଯଦି ଭାରତ ବିଶ୍ୱକପ୍ ଫାଇନାଲକୁ କ୍ୱାଲିଫାଏ କରେ, ତାହେଲେ ଐତିହାସିକ ଲର୍ଡ୍ସ ମଇଦାନରେ ଜୁଲାଇ ୧୪ ତାରିଖରେ ହେବାକୁଥିବା ଟାଇଟଲ୍ ଲଢ଼େଇରେ ଧୋନିଙ୍କୁ ସ୍ୱତନ୍ତ୍ର ବିଦାୟୀ ଦିଆଯିବ।"

ବିସିସିଆଇର ଜଣେ ଅଧିକାରୀ ପିଟିଆଇକୁ ସାକ୍ଷାତ ଦେଇ କହିଛନ୍ତି, ଧୋନି କେତେବେଳେ କ'ଣ କରିବେ, ତାହା କେହି ଜାଣନ୍ତି ନାହିଁ। ତେବେ ଚର୍ଚ୍ଚା ହେଉଛି ଯେ, ଧୋନି ବିଶ୍ୱକପ୍ ପରେ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି। ଧୋନି କ୍ୟାପଟେନ୍ସି ମଧ୍ୟ ଅଚାନକ ଛାଡ଼ିଥିଲେ ଏବଂ କ୍ରିକେଟକୁ ମଧ୍ୟ କେବେବି ଅଚାନକ ଅଲବିଦା କହିପାରନ୍ତି। ତେଣୁ ଏବେ କିଛି ବି ଆକଳନ କରିବା ଠିକ୍ ହେବନି। କିନ୍ତୁ ଅବସର ସମ୍ବନ୍ଧରେ ଧୋନିଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବା ପିଟିଆଇ ପକ୍ଷରୁ କୁହାଯାଇଛି।

ପିଟିଆଇ ପକ୍ଷରୁ ଆହୁରି କୁହାଯାଇଛି ଯେ, "ଯେହେତୁ ଭାରତ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିସାରିଛି, ତେଣୁ ଟିମ୍ ମ୍ୟାନେଜମେଣ୍ଟ କିମ୍ବା ବିସିସିଆଇ ଏହି ସମ୍ବେଦନଶୀଳ ବିଷୟ ଉପରେ ଚର୍ଚ୍ଚା କରିବାକୁ ଚାହୁଁନାହାନ୍ତି। ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ମଧ୍ୟ ଧୋନିଙ୍କ ବ୍ୟାଟିଂ ଆଭିମୁଖ୍ୟକୁ ନେଇ ସମାଲୋଚନା କରିସାରିଛନ୍ତି। ଏଥିରୁ ଟିମ୍ ମ୍ୟାନେଜମେଣ୍ଟ ଭଲ ଭାବେ ଜାଣିସାରିଛି ଯେ, ସେମାନେ ତା'ର ପ୍ରିୟ କ୍ୟାପଟେନଙ୍କୁ ବିଶ୍ୱକପ ଆଗକୁ ଆଉ ସୁଯୋଗ ଦେଇପାରିବେ ନାହିଁ। ମଇଦାନରେ ତାଙ୍କର ଯୋଗଦାନ ଅତୁଳନୀୟ ଏହାର ପ୍ରତିଫଳନ ପ୍ରେସ କନଫରେନ୍ସରେ ଦେଖିବାକୁ ମିଳେ, ଯେଉଁଠାରେ ପ୍ରତି ଖେଳାଳି ଧୋନିଙ୍କୁ ପ୍ରଶଂସା କରିବାକୁ ପଛାଉନାହାନ୍ତି।"

ଚଳିତ ବିଶ୍ୱକପରେ ଧୋନିଙ୍କ ଧିମା ବ୍ୟାଟିଂକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। କିଛି ପୂର୍ବତନ କ୍ରିକେଟର ମଧ୍ୟ ଧୋନ ପ୍ରଦର୍ଶନକୁ ନେଇ ସମାଲୋଚନା କରିଛନ୍ତି। ଚଳିତ ବିଶ୍ୱକପରେ ଧୋନି ୮ ମ୍ୟାଚରୁ ୭ ଇନିଂସରେ ୨୨୩ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ଷ୍ଟ୍ରାଇକରେଟ୍ ୯୩ ରହିଛି। ଧୋନିଙ୍କୁ ଚାରିଆଡ଼ୁ ସମାଲୋଚନା କରାଯାଉଥିଲେ ହେଁ, ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ସର୍ବଦା ଧୋନିଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି। କୋହଲିଙ୍କ ମତରେ ମଇଦାନରେ ଧୋନିଙ୍କ ଉପସ୍ଥିତି ଟିମ୍ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଧୋନିଙ୍କ ଭଳି ଟିମରେ କେହି ନାହାନ୍ତି।

ସୂଚନାଯୋଗ୍ୟ, ଧୋନି ଭାରତର ଏକମାତ୍ର କ୍ୟାପଟେନ୍, ଯିଏ ଭାରତକୁ ଆଇସିସିର ସମସ୍ତ ତିନୋଟି ଯାକ ଫର୍ମାଟ୍ (୨୦୧୩ରେ ଚାମ୍ପିଅନ୍ସ ଟ୍ରଫି, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଏବଂ ୨୦୦୭ରେ ଟି-୨୦ ବିଶ୍ୱକପ୍)ରେ ଚାମ୍ପିଅନ୍ କରାଇଛନ୍ତି। ଏଭଳି ସ୍ଥିତିରେ ୩୮ ବର୍ଷୀୟ ଧୋନିଙ୍କଠାରେ ସେହି ପୁରୁଣା ମାହି ଦେଖିବାକୁ ମିଳୁନଥିବାରୁ ପ୍ରଶଂସକ ବହୁତ ନିରାଶ ହୋଇଛନ୍ତି। ଅନ୍ୟପକ୍ଷରେ ଧୋନିଙ୍କ ବ୍ୟାଟ୍ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତ ହୋଇପଡ଼ିଛି। ଏହି କାରଣରୁ ତାଙ୍କର ସନ୍ନ୍ୟାସ ନେବା ଏକପ୍ରକାର ନିଶ୍ଚିତ ଲାଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos