ଯୁବିଙ୍କ ୧୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରର କିଛି ସ୍ମରଣୀୟ ମୁହୂର୍ତ୍ତ

ନୂଆଦିଲ୍ଲୀ: ସ୍କେଟିଂ ଚାମ୍ପିଅନରୁ ଦମଦାର ଓ ଷ୍ଟାଇଲିଶ୍ କ୍ରିକେଟ୍ ହେବା। ପରେ ନିଜକୁ ବିଶ୍ୱକପ୍ ହିରୋ ପ୍ରମାଣିତ କରି କ୍ୟାନସର ସହ ଲଢ଼ିବା ଏବଂ ଏଥିରେ ବିଜୟୀ ହେବା। ଅନେକ ଶୀର୍ଷ କ୍ରିକେଟରଙ୍କ ଭଳି ଯୁବରାଜ ସିଂହଙ୍କ କ୍ୟାରିୟର ମଧ୍ୟ ଉତଥାନ-ପତନ ଭରା ରହିଥିଲା। ଯୁବି ହୁଏତ ସୋମବାର ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି, କିନ୍ତୁ ତାଙ୍କର କିଛି ଇନିଂସ୍ ଓ ଘଟଣା ଆଜି ବି ଲୋକଙ୍କ ମନରେ ତାଜା ଅଛି। ତେବେ ଯୁବିଙ୍କ କ୍ୟାରିୟରର କିଛି ସ୍ମରଣୀୟ ମୁହୂର୍ତ୍ତ ସମ୍ବନ୍ଧରେ ସଂକ୍ଷିପ୍ତ ଆଲୋଚନା।

ପ୍ରଥମ ଇନିଂସରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍: ସେହି ସମୟରେ ଯୁବରାଜ ଅଣ୍ଡର-୧୯ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିଲେ, ଯେଉଁ କାରଣରୁ ତାଙ୍କୁ ଟିମ୍ ଇଣ୍ଡିଆର ଅନ୍ତର୍ଜାତୀୟ ଟିମରେ ସ୍ଥାନ ମିଳିଥିଲା। ୨୦୦୦ ମସିହାରେ ଯୁବି ଆଇସିସି ନକଆଉଟ୍ ଟ୍ରଫି ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଯୁବରାଜଙ୍କୁ କେନିୟା ବିପକ୍ଷ ପ୍ରି-କ୍ୱାର୍ଟର୍ ଫାଇନାଲରେ ପ୍ରଥମଥର ଖେଳିବାର ସୁଯୋଗ ମିଳିଥିଲା। ତେବେ ଏହି ମ୍ୟାଚରେ ଯୁବି ବ୍ୟାଟିଂ କରିବାକୁ ଆସିନଥିଲେ। କିନ୍ତୁ ଏହି ମ୍ୟାଚରେ ସେ ବୋଲିଂ କରିଥିଲେ, ଯେଉଁଥିରେ ତାଙ୍କୁ କୌଣସି ସଫଳତା ମିଳିନଥିଲା।

ତେବେ ଅଷ୍ଟ୍ରେଲିଆ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ଅର୍ଥାତ୍ କ୍ୱାର୍ଟରଫାଇନାଲରେ ଯୁବି କମାଲ୍ କରିଥିଲେ। ଏହି ମ୍ୟାଚରେ ଯୁବି ୮୦ ବଲରେ ୮୪ ରନର ଇନିଂସ୍ ଖେଳିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିଚେଚିତ କରାଯାଇଥିଲା। ଯୁବି ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକଗ୍ରା, ବ୍ରେଟ୍ ଲି’ ଓ ଜେସନ୍ ଗିଲେସ୍ପିଙ୍କ ଭଳି ଷ୍ଟାର୍ ପେସ୍ ବୋଲରଙ୍କୁ ଦୃଢ଼ତାର ସହ ସାମ୍ନା କରିଥିଲେ। ଏହି ମ୍ୟାଚରେ ଭାରତ ୨୦ ରନରେ ବିଜୟୀ ହୋଇ ସେମିଫାଇନାଲରେ ପହଞ୍ଚିଥିଲା।

କୈଫଙ୍କ ସହ ମିଶି ରବିନ୍ ସିଂହ-ଅଜୟ ଜାଡେଜାଙ୍କ ସ୍ଥାନ ନେଇଥିଲେ: ଭାରତୀୟ ଟିମର ଫିଲ୍ଡିଂ ଆରମ୍ଭରୁ ହିଁ କିଛି ଖାସ ରହିନଥିଲା। ୧୯୮୯ରେ ଡେବ୍ୟୁ କରିଥିବା ରବିନ୍ ସିଂହ ଅଜୟ ଜାଡେଜାଙ୍କ ସହ ମିଶି ଆଉଟଫିଲ୍ଡରେ କମାଲ୍ ଦେଖାଇଥିଲେ। ଦୁହିଁଙ୍କ ଯିବା ପରେ ଏହି ଦାୟିତ୍ୱ ଯୁବି ଓ ମହମ୍ମଦ କୈଫ୍ ସମ୍ଭାଳିଥିଲେ। ୨୦୦୦ ମସିହାରେ ଯେତେବେଳେ ଭାରତୀୟ ଟିମର ଖେଳାଳିମାନଙ୍କୁ ଧିମା ଫିଲ୍ଡର କୁହାଯାଉଥିଲା, ସେହି ସମୟରେ ଯୁବି ଓ କୈଫଙ୍କ ଆବିର୍ଭାବ ହୋଇଥିଲା।

ଯୁବି ୨୦୦୦ ମସିହାରେ ଆୟୋଜିତ ଅଣ୍ଡର-୧୯ ବିଶ୍ୱକପରେ କୈଫଙ୍କ ନେତୃତ୍ୱରେ ଖେଳିଥିଲେ ଏବଂ ଟିମକୁ ସେହି ବର୍ଷ ଚାମ୍ପିଅନ୍ କରାଇଥିଲେ। ଏହାପରଠାରୁ ଦୁହିଁଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିଥିଲା, ଯାହା ଶେଷ ପର୍ଯ୍ୟନ୍ତ ଚାଲିଥିଲା। ମହାନ୍ ଫିଲ୍ଡର ଜଣ୍ଟି ରୋଡ୍ସଙ୍କ ମତରେ, ଦୁଇ ଖେଳାଳି (କୈଫ୍ ଓ ଯୁବି) ଭାରତୀୟ ଟିମର ଫିଲ୍ଡିଂ ସ୍ତରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି।

ଫ୍ଲିଣ୍ଟଫଙ୍କ ରାଗ ବ୍ରଡଙ୍କ ଉପରେ ଶୁଝାଇଲେ: ୨୦୦୭ ଟି-୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟ ମ୍ୟାଚ୍ ଚାଲିଥିଲା। ଯୁବରାଜ ଓ ଧୋନି ବ୍ୟାଟିଂ କରୁଥିଲେ, ସେହି ସମୟରେ ଇଂଲଣ୍ଡ ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଣ୍ଟଫ୍ ଯୁବିଙ୍କୁ ସ୍ଲେଜିଂ କରିଥିଲେ। ଏହା ମଧ୍ୟରେ ଦୁହିଁଙ୍କ ମଧ୍ୟ କଥା କଟାକଟି ହୋଇଥିଲା, ଯାହାକୁ ଅମ୍ପାୟାର ଶାନ୍ତ କରାଇଥିଲେ। ଏହା ପରେ ଯୁବରାଜ ନିଜ ବ୍ୟାଟ୍ ଦ୍ୱାରା ଜବାବ ଦେଇ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ମ୍ୟାଚରେ ଯୁବି କେବଳ ୧୨ ବଲରେ ଅର୍ଦ୍ଧଶତକ ମାରିଥିଲେ। ଏହା କେବଳ ଟି-୨୦ ନୁହେଁ ବରଂ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ।

ସଚିନଙ୍କ ନାଁରେ ବିଶ୍ୱକପ୍ ବିଜୟ: ୨୦୧୧ ବିଶ୍ୱକପ୍ ପୂର୍ବରୁ ଯୁବରାଜଙ୍କ ଫର୍ମ ସେତେଟା ଭଲ ନଥିଲା। ଫିଟନେସ୍ ମଧ୍ୟ ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା। ବିଶ୍ୱକପ୍ ପୂର୍ବରୁ ଯୁବିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସୁଯୋଗ ମିଳିନଥିଲା, କିନ୍ତୁ ବିଶ୍ୱକପରେ ଯୁବି ନିଜକୁ ସାବ୍ୟସ୍ତ କରିଥିଲେ ଏବଂ ହିରୋ ସାଜିଥିଲେ। ସେ ଏହି ଟୁର୍ଣ୍ଣାମେଣ୍ଟରେ ୩୬୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସାମିଲ୍ ଥିଲା। ଏହାଛଡ଼ା ସେ ଚମତ୍କାର ବୋଲିଂ କରି ୧୫ ୱିକେଟ୍ ମଧ୍ୟ ହାସଲ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା। ଭାରତୀୟ ଫ୍ୟାନଙ୍କ ଭଳି ଯୁବି ମଧ୍ୟ ସଚିନଙ୍କ ବଡ଼ ପ୍ରଶଂସକ। ବିଶ୍ୱକପ୍ ଜିତିବା ପରେ ଯୁବି କହିଥିଲେ, ଆମେ ସଚିନଙ୍କ ପାଇଁ ବିଶ୍ୱକପ୍ ଜିତିବାକୁ ଚାହୁଁଥିଲୁ। ଏହା ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ।

କ୍ୟାନସରକୁ ଚାମ୍ପିଅନ୍ ଭଳି ହରାଇଲେ: ବିଶ୍ୱକପ୍ ବେଳେ ଯୁବିଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା। କିନ୍ତୁ ସେ କାହାକୁ ଏ ସମ୍ବନ୍ଧରେ ଜଣାଇନଥିଲେ। ଯନ୍ତ୍ରଣା ସତ୍ତ୍ୱେ ସେ ବିଶ୍ୱକପ୍ ଖେଳିବା ଜାରି ରଖିଥିଲେ। ପରେ ୨୦୧୧ରେ ଖବର ଆସିଲା ଯେ, ଯୁବିଙ୍କୁ କ୍ୟାନସର ହୋଇଛି। ଏହି ଖବର ଯୁବି ଓ ତାଙ୍କ ଫ୍ୟାନଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ପରିବାର ଓ କିଛି ବିଶେଷ ବନ୍ଧୁଙ୍କ ସହଯୋଗରେ ଯୁବି କ୍ୟାନସର ଭଳି ମାରାତ୍ମକ ରୋଗକୁ ହରାଇଥିଲେ ଏବଂ ବାକି ଲୋକଙ୍କୁ ଏହା ଉପରେ ସଚେତନ ମଧ୍ୟ କରାଇଥିଲେ। ଯୁବି କହିଥିଲେ, ସେହି ସମୟରେ ମୋ ମା’ ମୋ ପାଇଁ ଅଧିକ ପରିଶ୍ରମ କରିଥିଲେ। ତାଙ୍କର ଏହି ପରିଶ୍ରମ ଯୋଗୁ ମୁଁ ଆଜି ଆଉ ଏକ ଜୀବନ ପାଇଛି।