ଭାରତର ପ୍ରଥମ ଓ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ମିତାଲି ରାଜ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ରେକର୍ଡ ବୁକ୍‌ରେ ଭାରତର ମହିଳା କ୍ରିକେଟର ମିତାଲି ରାଜ। ୩୮ ବର୍ଷୀୟ ମିତାଲି ପ୍ରଥମ ଭାରତୀୟ ମହିଳା ଭାବେ ଆଜି ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ସେ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ୧୦ ହଜାର ରନ୍‌ର ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି।

ଲକ୍ଷ୍ନୌରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଦିନିକିଆରେ ମିତାଲି ୩୫ ରନ୍‌ କରିବା କ୍ଷଣି ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଥିଲା। ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଥିଲେ। ଏବେ ମିତାଲି ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେବାକୁ ଏଡୱାର୍ଡସଙ୍କ ଠାରୁ ୨୯୯ ରନ୍‌ ପଛରେ ରହିଛନ୍ତି।


ମିତାଲି ଆଜି ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ସେ ମାତ୍ର ୩୬ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମିତାଲି ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ରନହାସଲକାରୀ ଖେଳାଳି।

ଆଜିର ଇନିଂସ୍‌ ପରେ ସେ ଦିନିକିଆରେ ୬୯୭୪ ରନ୍‌ କରି ୭ ହଜାର ମାଇଲଷ୍ଟୋନ ଠାରୁ ୨୬ ରନ୍‌ ଦୂରରେ ରହିଛନ୍ତି। ସେ ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆରେ ୭ ହଜାର ରନ ପୂରଣ କରିବା ରେକର୍ଡ ଠାରୁ ୨୬ ରନ୍‌ ଦୂରରେ ରହିଛନ୍ତି। ଏହାବାଦ୍‌ ଟି-୨୦ରେ ମିତାଲି ୨୩୬୪ ରନ୍‌ କରିଥିବା ବେଳେ ୧୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୩୪ ରନ୍‌ କରିଛନ୍ତି।

୧୯୯୭ ମହିଳା କ୍ରିକେଟ ବିଶ୍ୱକପ୍‌ର ସମ୍ଭାବ୍ୟ ଦଳରେ ମିତାଲି ରହିଥିଲେ। ଏହି ସମୟରେ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ସେ ଫାଇନାଲ ସ୍କ୍ୱାଡରେ ସ୍ଥାନ ପାଇ ନଥିଲେ। ୧୯୯୯ ମସିହାରେ ସେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ୨୦୦୧-୦୨ ସେସନରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।