ଭାରତକୁ ବଡ଼ ଝଟକା: ବଲ ମାଡ଼ରେ ଭାଙ୍ଗିଛି ଶାମିଙ୍କ ହାଡ଼, ସିରିଜ୍‌ରୁ ଆଉଟ

ଆଡିଲେଡ୍‌: ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆହତ ସମସ୍ୟାକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ସାବ୍ୟସ୍ତ ହୋଇଛି। ବଲ୍‌ ମାଡ଼ରେ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିବା ଶାମିଙ୍କ ସ୍କାନ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଶାମିଙ୍କ ଡାହାଣ ହାତର ରିଷ୍ଟ ପାଖ ହାଡ଼ ଭାଙ୍ଗି ଯାଇଛି। ଏହା ଅତ୍ୟନ୍ତ ଗୁରୁତର ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଯାକ ଟେଷ୍ଟରୁ ଶାମି ବାଦ୍‌ ପଡ଼ିଛନ୍ତି।

ପ୍ରଥମେ ଅଷ୍ଟ୍ରେଲିଆ ଠାରୁ ପିଙ୍କ ବଲ୍‌ ଟେଷ୍ଟରେ ଭାରତ ଲଜ୍ଜାଜନ ଭାବେ ପରାସ୍ତ ହେବା ଓ ଏବେ ଶାମି ପୂରା ସିରିଜ୍‌କୁ ବାଦ ପଡ଼ିବା ସମସ୍ତଙ୍କୁ ନିରାଶ କରିଛି। କାରଣ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଯଶପ୍ରୀତ ବୁମ୍ରା ଓ ଶାମି ହିଁ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲିଂ ମଙ୍ଗ ସମ୍ଭାଳୁଥିଲେ। ଉଭୟ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଜବରଦସ୍ତ ବୋଲିଂ ମଧ୍ୟ କରିଥିଲେ। ହେଲେ ଶାମି ପୂରା ସିରିଜ୍‌କୁ ବାଦ ପଡ଼ିବା ଭାରତୀୟ ଟିମ୍‌ ପାଇଁ ବହୁତ ବଡ଼ ଝଟକା ସାବ୍ୟସ୍ତ ହୋଇଛି।

ଆସନ୍ତା ୨୬ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ବିରାଟ କୋହଲି ମଧ୍ୟ ଖେଳିବେ ନାହିଁ। ତାଙ୍କ ପତ୍ନୀ ଅନୁଷ୍କା ଆସନ୍ତା ମାସରେ ମା’ ହେବାକୁ ଯାଉଥିବାରୁ ବିରାଟ ଛୁଟି ନେଇ ଭାରତକୁ ଫେରିବେ। ତେଣୁ ଅଜିଙ୍କ୍ୟ ରାହଣେ ଦଳର ମଙ୍ଗ ସମ୍ଭାଳିବେ। ଏବେ ପୁଣି ଶାମି ସିରିଜରୁ ଆଉଟ ହୋଇଯାଇଛନ୍ତି।

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶାମି ବ୍ୟାଟିଂ କରୁଥିଲେ। ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯ ୱିକେଟ ହରାଇ ୩୬ ରନ୍‌ କରିଥିଲା ବେଳେ ଶାମି ୧ ରନ୍‌ କରି କ୍ରିଜ୍‌ରେ ଥିଲେ। ସେ ଶେଷ ବ୍ୟାଟସମ୍ୟାନ ଭାବେ ଉମେଶ ଯାଦବଙ୍କ ସହ ବ୍ୟାଟିଂ କମାଣ ସମ୍ଭାଳିଥିଲେ।

ହେଲେ ପ୍ୟାଟ କମିନ୍ସଙ୍କ ଗୋଟିଏ ବଲ ସିଧା ତାଙ୍କ ଡାହଣ ହାତ ରିଷ୍ଟରେ ବାଜିଥିଲା। ଘଟଣା ପରେ ତୁରନ୍ତ ମେଡିକାଲ ଟିମ୍‌ ତାଙ୍କ ପାଖରେ ପହଞ୍ଚି ସ୍ପ୍ରେ ସହ ପଟି ବାନ୍ଧିଥିଲା। ଏହାପରେ ଶାମି ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ବ୍ୟାଟ ଧରିବାକୁ ଅକ୍ଷମ ହେବାରୁ ବାଧ୍ୟ ହୋଇ ପଡ଼ିଆ ଛାଡ଼ିଥିଲେ। ଭାରତର ପାଳି ମଧ୍ୟ ଏହି ଠାରେ ଶେଷ ହୋଇଥିଲା।

ଟିମ ଇଣ୍ଡିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବଲ ମାଡ଼ରେ ହାଡ଼ ଭାଙ୍ଗିଥିବାରୁ ଶାମି ପଡ଼ିଆ ମଧ୍ୟରେ ବ୍ୟାଟକୁ ଗ୍ରିପ୍‌ କରିବାକୁ ଅସମର୍ଥ ହୋଇଥିଲେ। ଏହି କାରଣରୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ମ୍ୟାଚ୍‌ ପରେ ତାଙ୍କର ସ୍କାନ ହୋଇଥିଲା। ଏହି ସମୟରେ ତାଙ୍କ ରିଷ୍ଟ ପାଖ ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।