ରାତି ପାହିଲେ ପାକ୍‌ ସହ ଲଢ଼େଇ, ଓପନିଂ ଓ ବର୍ଷାକୁ ନେଇ ଚିନ୍ତାରେ ଭାରତ

ମ୍ୟାଞ୍ଚେଷ୍ଟର: ବିଶ୍ୱକପ୍‌ରୁ ସବୁଠାରୁ ବଡ଼ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଆସନ୍ତାକାଲି ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଇଂଲଣ୍ଡର ଐତିହାସିକ ମ୍ୟାଞ୍ଚେଷ୍ଟରର ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତୀୟ ସମୟ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଉଭୟ ଦେଶ ମଧ୍ୟରେ ଥିବା ତିକ୍ତ କୂଟନୀତିକ ସମ୍ପର୍କ ବିଷୟ ସମସ୍ତଙ୍କୁ ଜଣା। ଫ୍ୟାନଙ୍କ ପାଇଁ ଉଭୟ ଦେଶ ମଧ୍ୟରେ କ୍ରିକେଟ୍‌ ମ୍ୟାଚ କୌଣସି ଯୁଦ୍ଧ ଠାରୁ କମ୍‌ ନୁହେଁ। ଏହି ମ୍ୟାଚ୍‌ଟିକୁ ସମଗ୍ର ବିଶ୍ୱ ଚାତକ ଭଳି ଅନେଇ ବସିଛି। ବିଶ୍ୱକପ୍‌ରେ […]

r5

r5

Hemant Lenka
  • Published: Saturday, 15 June 2019
  • Updated: 15 June 2019, 06:54 PM IST

Sports

Latest News

ମ୍ୟାଞ୍ଚେଷ୍ଟର: ବିଶ୍ୱକପ୍‌ରୁ ସବୁଠାରୁ ବଡ଼ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଆସନ୍ତାକାଲି ଭାରତ ତା'ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଇଂଲଣ୍ଡର ଐତିହାସିକ ମ୍ୟାଞ୍ଚେଷ୍ଟରର ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତୀୟ ସମୟ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଉଭୟ ଦେଶ ମଧ୍ୟରେ ଥିବା ତିକ୍ତ କୂଟନୀତିକ ସମ୍ପର୍କ ବିଷୟ ସମସ୍ତଙ୍କୁ ଜଣା। ଫ୍ୟାନଙ୍କ ପାଇଁ ଉଭୟ ଦେଶ ମଧ୍ୟରେ କ୍ରିକେଟ୍‌ ମ୍ୟାଚ କୌଣସି ଯୁଦ୍ଧ ଠାରୁ କମ୍‌ ନୁହେଁ। ଏହି ମ୍ୟାଚ୍‌ଟିକୁ ସମଗ୍ର ବିଶ୍ୱ ଚାତକ ଭଳି ଅନେଇ ବସିଛି।

ବିଶ୍ୱକପ୍‌ରେ ଆଜି ଯାଏ ପାକିସ୍ତାନ କେବେ ହେଲେ ଭାରତକୁ ପରାସ୍ତ କରିପାରି ନାହିଁ। ଚଳିତ ବିଶ୍ୱକପ୍‌ରେ ମଧ୍ୟ ଭାରତ ଅପରାଜେୟ ରହିଛି। ତେଣୁ ଆସନ୍ତାକାଲି ଭାରତର ବିଜୟ ଧାରା ବଦଳାଇବାକୁ ସର୍ଫରାଜ ଅହମ୍ମଦଙ୍କ ଟିମ୍‌କୁ ବହୁତ କଷ୍ଟ କରିବାକୁ ପଡ଼ିବ। ପାକିସ୍ତାନ ୪ଟି ମ୍ୟାଚ୍‌ରୁ ୨ଟିରେ ପରାସ୍ତ ହୋଇଛି। ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ଅନ୍ୟଟି ବର୍ଷାରେ ଧୋଇ ହୋଇଯାଇଛି। ଦଳ ଏବେ ମାତ୍ର ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି। ତେଣୁ ଆସନ୍ତାକାଲି ପାକିସ୍ତାନ ପାଇଁ ଏହା କର ବା ମର ସଦୃଶ ମ୍ୟାଚ୍‌ ହେବ। କାରଣ ଆସନ୍ତାକାଲି ହାରିଲେ ପାକିସ୍ତାନ ସେମିଫାଇନାଲ୍‌ରେ ପହଞ୍ଚିବା ଏକ ପ୍ରକାରର କଷ୍ଟ ହୋଇଯିବ।

ମ୍ୟାଚ୍‌ ଉପରେ ବର୍ଷାର ଭୟ

ଅନ୍ୟପକ୍ଷରେ, ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଉପରେ ବର୍ଷାର ଭୟ ରହିଛି। କାରଣ ଇଂଲଣ୍ଡରେ ଏବେ ବର୍ଷା ଜାରି ରହିଛି। ମ୍ୟାଚ୍‌ ହେବାକୁ ଥିବା ମ୍ୟାଞ୍ଚେଷ୍ଟରରେ ଗତ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷାର ଆଶଙ୍କା ରହିଛି। ଏପରି ସ୍ଥିତିରେ ମ୍ୟାଚ୍‌ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ୬ଥର ଭେଟିଛନ୍ତି। ଏସବୁ ମ୍ୟାଚ୍‌ରେ ଭାରତ ହିଁ ବିଜୟୀ ହୋଇଛି। ୨୦୧୧ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପାକିସ୍ତାନକୁ ପରାସ୍ତ କରି ଭାରତ ଫାଇନାଲ୍‌କୁ ଯାଇ ବିଶ୍ୱ ବିଜେତା ହୋଇଥିଲା।

ଶିଖର ଧୱନ ଆହତ ଦଳକୁ ଚିନ୍ତାରେ ପକାଇଛି

ଚଳିତ ବିଶ୍ୱକପ୍‌ କଥା ବିଚାରକୁ ନେଲେ ଟିମ୍‌ ଇଣ୍ଡିଆ ବେଶ ସନ୍ତୁଳିତ। ଦଳ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଦ୍ୱିତୀୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ ଦେଇଛି। ତୃତୀୟ ମ୍ୟାଚ୍‌ଟି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଥିଲା। ହେଲେ ବର୍ଷା ଏହାକୁ ଧୋଇ ଦେଇଛି। ଭାରତକୁ ଏବେ ବର୍ଷା ସହ ଆଉ ଏକ ଚିନ୍ତା ଘାରିଛି। ସେଇଟା ହେଉଛି ଶିଖର ଧୱନଙ୍କ ଆହତ ହେବା। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଆହତ ଶିଖର ଧୱନ ଆସନ୍ତକାଲି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ। ତେଣୁ ରୋହିତ ଶର୍ମାଙ୍କ ସହ କେଏଲ୍‌ ରାହୁଲ ଇନିଂସ୍‌ ଆରମ୍ଭ କରିବେ। ସେହିପରି ୪ ନଂ ସ୍ଥାନରେ ବିଜୟ ଶଙ୍କର କିମ୍ବା ଦୀନେଶ କାର୍ତ୍ତିକଙ୍କୁ ମଙ୍ଗ ସମ୍ଭାଳିବାକୁ ପଡ଼ିବ।

ମହମ୍ମଦ ଶାମି ଓ ବିଜୟ ଶଙ୍କରଙ୍କୁ ମିଳିପାରେ ସୁଯୋଗ

ପାଗ କୋହଲା ଥିବାରୁ ବିରାଟ୍‌ କୋହଲି ଜଣେ ସ୍ପିନରଙ୍କୁ ଡ୍ରପ୍‌ କରି ମହମ୍ମଦ ଶାମିଙ୍କୁ ଖେଳାଇ ପାରନ୍ତି। ସେହିପରି, ପାକିସ୍ତାନ ସ୍ପିନ ବୋଲିଂକୁ ଭଲ ଭାବେ ଖେଳିଥାଏ। ତେଣୁ ଚୂଡ଼ାନ୍ତ ଏକାଦଶରେ ଏତିକି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଶ୍ୱକପ୍‌ରେ ରାହୁଲ ପ୍ରଥମଥର ଓପନିଂ କରିବେ। ତେଣୁ ତାଙ୍କର ମୁକାବିଲା ଫର୍ମରେ ଥିବା ମହମ୍ମଦ ଆମୀର ଏବଂ ୱାହବ ରିଆଜଙ୍କ ସହ ହେବ। କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକର ମଧ୍ୟ ଏକଥା ସ୍ୱୀକାର କରିଛନ୍ତି। ପ୍ରଥମରୁ ହିଁ ଭାରତୀୟ ଓପନରଙ୍କୁ ଆକ୍ରମଣାତ୍ମକ ଶଟ୍‌ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି।

କାରଣ ଚାମ୍ପିୟନସ ଟ୍ରଫିରେ ଆମୀର ହିଁ ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଭାଙ୍ଗି ଦେଇଥିଲେ। ଫଳରେ ଭାରତ ଫାଇନାଲ୍‌ରେ ପରାସ୍ତ ହୋଇଥିଲା। ଆସନ୍ତାକାଲି ଏହାର ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ରହିବ। ଆମୀର ଓ ରିଆଜଙ୍କ ବ୍ୟତୀତ ହାସନ ଅଲୀ, ଶଦାବ ଖାନ ଓ ଶେହେନ ଶାହ ଆଫ୍ରିଦି ମଧ୍ୟ ରହିଛନ୍ତି। ଏମାନଙ୍କୁ ଭାରତର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେମିତି ଖେଳିବେ, ତା’ ଉପରେ ନଜର ରହିବ।

ଫଖର ଜମାନଙ୍କ ଉପରେ ସମସ୍ତଙ୍କ ନଜର

ଅନ୍ୟପକ୍ଷରେ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ଫଖର ଜମାନ ଓ ଇମାମ ଉଲ ହକ୍‌ଙ୍କୁ ପ୍ରଥମରୁ ହିଁ ଆଉଟ୍‌ କରିବାକୁ ପଡ଼ିବ। ଭାରତ ବିପକ୍ଷରେ ଜମାନଙ୍କ ରେକର୍ଡ ବେଶ ଭଲ ରହିଛି। ସେ ଚାମ୍ପିୟନସ ଟ୍ରଫିରେ ଶତକ ହାସଲ କରିଥିଲେ। ଭାରତୀୟ ବୋଲିଂ ବାହିନୀର ମଙ୍ଗ ଧରିବେ ଯଶପ୍ରୀତ ବୁମ୍ରା। ସେହିପରି ପାକିସ୍ତାନ ପାଖରେ ବାବର ଆଜମ, ହ୍ୟାରିଶ ଶୋହାଲି, ମହମ୍ମଦ ହାଫିଜ ଓ ସର୍ଫରାଜ ଅହମ୍ମଦଙ୍କ ଭଳି ବ୍ୟାଟସ୍‌ମ୍ୟାନ୍‌ ରହିଛନ୍ତି। ଏମାନଙ୍କ ବାଦ୍‌ ଅଭିଜ୍ଞ ସୋଏବ ମାଲିକ ମଧ୍ୟ ବେଶ ଦମଦାର ବ୍ୟାଟିଂ କରୁଛନ୍ତି। ଏପରି ସ୍ଥିତିରେ ଭାରତୀୟ ବୋଲରଙ୍କୁ ଏକ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos