ଟ୍ରଫି ଜିତିଲା ରୋହିତ ବାହିନୀ

ହାଇଦ୍ରାବାଦ: ଶେନ୍ ୱାଟସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଚେନ୍ନାଇ ସୁପର୍ କିଙ୍ଗସ୍ ଚଳିତ ଆଇପିଏଲର ଟାଇଟଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୧ ରନରେ ପରାସ୍ତ ହୋଇଛି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଥର ଆଇପିଏଲ୍ ଟାଇଟଲ୍ ଜିତି ରେକର୍ଡ ସ୍ଥାପନ କରିଛି। ରବିବାର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ […]

mumbai

mumbai

Hemant Lenka
  • Published: Sunday, 12 May 2019
  • Updated: 13 May 2019, 03:14 PM IST

Sports

Latest News

ହାଇଦ୍ରାବାଦ: ଶେନ୍ ୱାଟସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଚେନ୍ନାଇ ସୁପର୍ କିଙ୍ଗସ୍ ଚଳିତ ଆଇପିଏଲର ଟାଇଟଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୧ ରନରେ ପରାସ୍ତ ହୋଇଛି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଥର ଆଇପିଏଲ୍ ଟାଇଟଲ୍ ଜିତି ରେକର୍ଡ ସ୍ଥାପନ କରିଛି।

ରବିବାର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ମୁମ୍ବାଇ ପକ୍ଷରୁ କାଏରନ୍ ପୋଲାର୍ଡ ସର୍ବାଧିକ ୪୧ (୨୫ ବଲ୍, ୩ ଚୌକା, ୩ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଯୋଗଦାନ କରିନଥିଲେ। ଜବାବରେ ଚେନ୍ନାଇ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୮ ରନ୍ କରି ପରାସ୍ତ ହୋଇଛି। ଚେନ୍ନାଇ ପକ୍ଷରୁ ୱାଟସନ୍ ୫୯ ବଲରେ ୮ ଚୌକା ଓ ୪ ଛକା ସହ ୮୦ ରନ୍ କରିଛନ୍ତି।

ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ପାଇଁ ଆରମ୍ଭରୁ ଫାଫ୍ ଡୁପ୍ଲେସିସ୍ ଦ୍ରୁତ ରନ୍ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୩ ବଲରେ ୩ ଚୌକା ଓ ୧ ଛକା ସହ ୨୬ ରନ୍ କରି କୃନାଲ୍ ପାଣ୍ଡ୍ୟାଙ୍କ ବଲରେ ଷ୍ଟମ୍ପିଂ ହୋଇଥିଲେ। ଏହା ପରେ ଗୋଟିଏ ପଟେ ୱାଟସନ୍ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ହେବାରେ ଲାଗିଥିଲା।

ସୁରେଶ ରାଇନା (୮), ଅମ୍ବାତି ରାୟୁଡୁ (୧) ଓ ମହେନ୍ଦ୍ର ସିଂହ ଧୋନି (୨) ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ। କିନ୍ତୁ ୱାଟସନଙ୍କୁ ଡ୍ୱେନ୍ ବ୍ରାଭୋ ଭରପୂର ସହଯୋଗ କରିଥିଲେ। ବ୍ରାଭୋଙ୍କ ସହଯୋଗରେ ୱାଟସନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ମୁମ୍ବାଇ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ। ଟିମ୍ ସ୍କୋର ୧୩୩ ଥିବା ବେଳେ ବ୍ରାଭୋ (୧୫)ଙ୍କୁ ଯଶପ୍ରୀତ ବୁମ୍ରା ପ୍ୟାଭିଲିୟନ୍ ପଠାଇଥିଲେ।

ଭଲ ବ୍ୟାଟିଂ କରିଆସୁଥିବା ୱାଟସନ୍ ଅନ୍ତିମ ଓଭରରେ ରନ୍ ଆଉଟ୍ ହୋଇଥିଲେ। ତାଙ୍କ ଆଉଟ୍ ପରେ ଅନ୍ତିମ ଦୁଇ ବଲରେ ୪ ରନ୍ ଆବଶ୍ୟକ ହେଉଥିବା ବେଳେ ମାଲିଙ୍ଗା ଚମତ୍କାର ବୋଲିଂ କରି ମାତ୍ର ୨ ରନ୍ ଦେଇ ମୁମ୍ବାଇକୁ ମ୍ୟାଚରେ ବିଜୟୀ କରାଇଥିଲେ। ମୁମ୍ବାଇ ପକ୍ଷରୁ ବୁମ୍ରା ୨ଟି, କୃନାଲ୍ ପାଣ୍ଡ୍ୟା, ଲସିଥ୍ ମାଲିଙ୍ଗା ଓ ରାହୁଲ୍ ଚହର୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ମୁମ୍ବାଇ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପ୍ନର କ୍ୱିଣ୍ଟନ୍ ଡି'କକ୍ ଓ ରୋହିତ୍ ଶର୍ମା ପ୍ରଥମ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ି ଟିମକୁ ଭଲ ଆରମ୍ଭ କରିଥିଲେ। ଡି'କକ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୭ ବଲରେ ୪ ଛକା ସହ ୨୯ ରନ୍ କରିଥିବା ବେଳେ ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ। ପରବର୍ତ୍ତୀ ଓଭରରେ ଦୀପକ ଚହର୍ କ୍ୟାପଟେନ୍ ରୋହିତ (୧୫)ଙ୍କୁ ପ୍ୟାଭିଲିୟନ୍ ପଠାଇ ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ।

ଇନଫର୍ମ ସୂର୍ଯ୍ୟକୁମାର ଯାଦବ (୧୫) ଓ ଇଶାନ୍ କିଷାନ (୨୩) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଚେନ୍ନାଇର ଭେଟେରାନ୍ ସ୍ପିନର ଇମ୍ରାନ୍ ତାହିର୍ ଆଉଟ୍ କରିଥିଲେ । ବାମହାତୀ ବ୍ୟାଟ୍ସମ୍ୟାନ୍ କୃନାଲ୍ ପାଣ୍ଡ୍ୟା (୭) ମଧ୍ୟ ନିରାଶ କରି ନିଜ ୱିକେଟ୍ ଦେଇ ବସିଥିଲେ। ତେବେ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ରନ୍ କରି ମୁମ୍ବାଇକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ପାଣ୍ଡ୍ୟା ୧୦ ବଲରେ ୧ ଚୌକା ଓ ୧ ଛକା ସହ ୧୬ ରନ୍ କରି ଆଉଟ୍ ହୋଇଥିଲେ।

ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ୍ ଚହର୍ ଓ ମିଚେଲ୍ ମ୍ୟାକକ୍ଲିନାଘନ ଖାତା ଖୋଲିପାରିନଥିଲେ। କିନ୍ତୁ ପୋଲାର୍ଡ ଶେଷ ପର୍ଯ୍ୟନ୍ତ ଅପରାଜିତ ଟିମକୁ ଚ୍ୟାଲେଞ୍ଜିଂ ସ୍କୋର ଦେଇଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର୍ ୨୬ ରନ୍ ଦେଇ ୩ଟି, ଠାକୁର ଓ ତାହିର୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos