ମାଲିଙ୍ଗାଙ୍କ ସହ ୧୨ ବର୍ଷର ସମ୍ପର୍କ ତୁଟାଇଲା ମୁମ୍ବାଇ ଇଣ୍ଡିଆନ୍ସ
ନୂଆଦିଲ୍ଲୀ: ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ସହ ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସର ଦୀର୍ଘ ୧୨ ବର୍ଷ ଧରି ରହିଥିବା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମାଲିଙ୍ଗା ହିଁ ମୁମ୍ବାଇକୁ ୨୦୧୯ ଆଇପିଏଲରେ ଚାମ୍ପିୟନ କରିଥିଲେ। ହେଲେ ୨୦୨୧ ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ୍ କରିଥିବା ଖେଳାଳିଙ୍କ ମଧ୍ୟରେ ମାଲିଙ୍ଗାଙ୍କ ନାଁ ରହିଛି।
ମାଲିଙ୍ଗା ଆଇପିଏଲରେ ସର୍ବାଧିକ ୱିକେଟ ଦଖଲକାରୀ ହେବାର ରେକର୍ଡ ନିଜ ନାଁରେ ରଖିଛନ୍ତି। ସେ ଏହି ଫଟାଫଟ କ୍ରିକେଟରେ ଏଯାଏ ୧୭୦ଟି ୱିକେଟ ନେଇଛନ୍ତି। ୨୦୦୮ରେ ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା। ସେବେଠାରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଯେଉଁ କିଛି ହାତ ଗଣତି ଖେଳାଳି ଜଡ଼ିତ ହୋଇ ରହିଥିଲେ, ସେମାନଙ୍କ ମଧ୍ୟରୁ ମାଲିଙ୍ଗା ଅନ୍ୟତମ।
ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଆଜି ତାଙ୍କୁ ରିଲିଜ୍ କରିବା ବେଳେ ଭାବବିହ୍ୱଳ ଟ୍ୱିଟ ମଧ୍ୟ କରିଛି। ମୁମ୍ବାଇ ଇଣ୍ଡିଆନ୍ସ କହିଛି ଯେ ସବୁକିଛି ପାଇଁ ଧନ୍ୟବାଦ। ମୁମ୍ବାଇ ଇଣ୍ଡିଆନ୍ସର ଗୋଟିଏ ପରିବାର। ଏଠାରେ ସବୁବେଳେ ଆପଣମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ଟ୍ୱିଟରେ ମୁମ୍ବାଇ ମାଲିଙ୍ଗାଙ୍କ ସହ କୁଲଟର ନାଇଲ, ପାଟିନସନ ଓ ମ୍ୟାଘ୍ଲେନଙ୍କ ଫଟୋ ରହିଛି।
Thank you for everything! There will always be a special place for you all in MI’s #OneFamily! 💙#MumbaiIndians pic.twitter.com/qjhMLHPTLc
— Mumbai Indians (@mipaltan) January 20, 2021
୨୦୨୦ ଆଇପିଏଲ ଦୁବାଇରେ ଖେଳା ଯାଇଥିଲା। ତେବେ ବ୍ୟକ୍ତିଗତ କାରଣ ପାଇଁ ମାଲିଙ୍ଗା ଏଥିରେ ସାମିଲ ହୋଇ ପାରି ନଥିଲେ। ଏହି କାରଣରୁ ମୁମ୍ବାଇ ମାଲିଙ୍ଗାଙ୍କ ବଦଳ ଖେଳାଳି ଭାବେ ଜେମ୍ସ ପାଟିନସନଙ୍କୁ ସ୍କ୍ୱାଡରେ ସାମିଲ କରିଥିଲେ। ସେ ମଧ୍ୟ ୨୦୨୦ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।
ସେହିପରି ନେଥନ କୁଲଟର ନାଇଲକୁ ମଧ୍ୟ ମୁମ୍ବାଇ ୨୦୨୦ ନିଲାମ ବେଳେ କିଣିଥିଲା। ଏହି ଦୁଇ ଖେଳାଳିଙ୍କୁ ବି ମୁମ୍ବାଇ ଆଜି ରିଲିଜ କରି ଦେଇଛି। ସେହିପରି ୨୦୧୫ରୁ ମୁମ୍ବାଇ ସହ ଜଡ଼ିତ ଥିବା ମିଚେଲ ମ୍ୟାଘ୍ଲେନଙ୍କୁ ମଧ୍ୟ ଦଳ ୨୦୨୧ ନିଲାମ ପୂର୍ବ ଛାଡ଼ି ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।