ରହିମଙ୍କ ଲଢ଼ୁଆ ଇନିଂସ୍, ବାଂଲାଦେଶ ୨୬୨/୭

ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୩୧ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୨୬୩ ରନ୍ କରିବାକୁ ପଡ଼ିବ। ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ୍ ସର୍ବାଧିକ ୮୩ (୮୭ ବଲ୍, ୪ ଚୌକା, ୧ ଛକା) ରନ୍ କରିଥିବା ବେଳେ ସାକିବ୍ ମଧ୍ୟ ନିଜର ଜବରଦସ୍ତ ଫର୍ମ ଜାରି […]

bangla

bangla

Hemant Lenka
  • Published: Monday, 24 June 2019
  • Updated: 24 June 2019, 06:56 PM IST

ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୩୧ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୨୬୩ ରନ୍ କରିବାକୁ ପଡ଼ିବ।

ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ୍ ସର୍ବାଧିକ ୮୩ (୮୭ ବଲ୍, ୪ ଚୌକା, ୧ ଛକା) ରନ୍ କରିଥିବା ବେଳେ ସାକିବ୍ ମଧ୍ୟ ନିଜର ଜବରଦସ୍ତ ଫର୍ମ ଜାରି ରଖି ୫୧ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି।

ରୋଜ୍ ବାଉଲରେ ଅନୁଷ୍ଠିତ ଏହି ମୁକାବିଲାରେ ଆଫଗାନିସ୍ତାନ କ୍ୟାପଟେନ୍ ଗୁଲବଦିନ୍ ନାଏବ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତା'ର ଓପନିଂ ଯୋଡ଼ିରେ ପରିବର୍ତ୍ତନ କରିଥିଲା। ନିୟମିତ ଓପ୍ନର ତମିମଙ୍କ ସହ ଲିଟନ୍ ଦାସ ବ୍ୟାଟିଂ କରିବାକୁ ଆସିଥିଲେ।

ଲିଟନ୍ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ସେ ୧୬ ରନ୍ କରି ମୁଜୀବ-ଉର୍-ରେହମାନଙ୍କ ଶିକାର ହୋଇଥିଲେ। ତମିମ (୩୬)ଙ୍କ ସହ ମିଶି ସାକିବ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୯ ରନ୍ ଯୋଡ଼ିଥିଲେ। ତମିମଙ୍କୁ ମହମ୍ମଦ ନବି କ୍ଲିନ୍ ବୋଲ୍ଡ କରିଥିଲେ।

ସାକିବ୍ ଆଉ ଏକ ଭଲ ଇନିଂସ୍ ଖେଳି ୬୬ ବଲରେ ନିଜର ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ସେ ନିଜ ସ୍କୋରକୁ ଆଗକୁ ବଢ଼ାଇପାରି ନଥିଲେ। ତାଙ୍କୁ ମୁଜୀବ ଏଲବିଡବ୍ଲ୍ୟୁ କରିଥିଲେ। ବାମହାତୀ ଷ୍ଟାଇଲିଶ୍ ବ୍ୟାଟ୍ସମ୍ୟାନ୍ ସୌମ୍ୟ ସରକାର (୩) ନିରାଶ କରିଥିଲେ।

ଲଗାତାର ଦୁଇଟି ୱିକେଟ୍ ହରାଇ ବିପଦରେ ପଡ଼ିଥିବା ବାଂଲାଦେଶ ଇନିଂସକୁ ରହିମ ଓ ମହମଦୁଲ୍ଲା ସଜାଡିଥିଲେ। ଦୁହେଁ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ମହମଦୁଲ୍ଲା ୨୭ ରନ୍ କରିଥିବା ବେଳେ ଗୁଲବଦିନ୍ ନାଏବଙ୍କ ବଲରେ ନବିଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଏହା ପରେ ରହିମଙ୍କୁ ସାଥ୍ ଦେଇଥିଲେ ମୋସାଡେକ୍ ହୋସେନ୍। ଦୁହେଁ ଦ୍ରୁତ ରନ୍ କରି ବାଂଲାଦେଶକୁ ୨୬୨ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ରହିମଙ୍କୁ ଦୌଲତ ଜର୍ଦ୍ଦାନ୍ ଆଉଟ୍ କରିଥିଲେ। ମୋସାଡେକ୍ ୨୪ ବଲରେ ୪ ଚୌକା ସହ ୩୫ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜୀବ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ନାଏବ ୨ଟି, ଦୌଲତ ଓ ନବି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos