ପିଛା ଛାଡ଼ୁନି ଆହତ ସମସ୍ୟା, ମ୍ୟାଚ୍ ଅଧାରୁ ହସ୍ପିଟାଲ ଗଲେ ସୈନି
ବ୍ରିସବେନ: ଅଷ୍ଟ୍ରେଲିଆ ଟୁର୍ରେ ଥିବା ଟିମ୍ ଇଣ୍ଡିଆର ପିଛା ଛାଡ଼ୁନି ଆହତ ସମସ୍ୟା। ଏହି ସମସ୍ୟା ଯୋଗୁ ଦଳର ଅଧା ଖେଳାଳି ବେଞ୍ଚରେ ବସିଲେଣି। ଏବେ ୪ର୍ଥ ଟେଷ୍ଟରେ ବି ସମାନ ଘଟଣା ଘଟିଛି। ଅନଭିଜ୍ଞ ବୋଲିଂ ଆଟାକ ସହ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆର ୩୬ତମ ଓଭର୍ରେ ଝଟକା ଲାଗିଛି।
ଦଳର ଯୁବ ବୋଲର ନଭଦୀପ ସୈନି ବୋଲିଂ କରିବା ବେଳେ ଆହତ ହେବାରୁ ଅଧାରୁ ପଡ଼ିଆ ଛାଡ଼ିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ସମସ୍ୟା ଅଧିକ ବଢ଼ିବାରୁ ତାଙ୍କୁ ସ୍କାନ ପାଇଁ ହସ୍ପିଟାଲକୁ ନିଆଯାଇଥିବା ମଧ୍ୟ ବିସିସିଆଇ କହିଛି।
୪ର୍ଥ ଟେଷ୍ଟ ପୂର୍ବରୁ ବରିଷ୍ଠ ଖେଳାଳି ଯଶପ୍ରୀତ ବୁମ୍ରା ଓ ରବି ଅଶ୍ୱିନ ଆହତ ହୋଇଥିଲେ। ଏହି କାରଣରୁ ଆଜି ଟି ନଟରାଜନ ଓ ୱାଶିଂଟନ ସୁନ୍ଦର ଭାରତ ପାଇଁ ଡେବ୍ୟୁ କରିଛନ୍ତି। ଏମାନଙ୍କ ସହ ବୋଲିଂ ଆଟାକରେ ମହମ୍ମଦ ସିରାଜ, ନଭଦୀପ ସୈନି ଓ ଶାର୍ଦ୍ଦୁଳ ଠାକୁର ରହିଥିଲେ। କିନ୍ତୁ ସୈନି ମାତ୍ର ୭.୫ ଓଭର ବୋଲିଂ କରି ପଡ଼ିଆ ଛାଡ଼ିଛନ୍ତି। ଏବେ ଭାରତ ପାଖରେ ମାତ୍ର ୪ ଜଣ ବୋଲର ରହିଛନ୍ତି। ସୈନି କାଲି ବୋଲିଂ କରିପାରିବେ କି ନାହିଁ, ସେକଥା ବି ଜଣାପଡ଼ିନି।
UPDATE – Navdeep Saini has now gone for scans.#AUSvIND https://t.co/pN01PVnFfx
— BCCI (@BCCI) January 15, 2021
ଆଜିର ୩୬ ତମ ଓଭର୍ ସୈନି ବୋଲିଂ କରୁଥିଲେ। ଏହି ଓଭର୍ରେ ଲାବୁଶେନ ଗଲିରେ କ୍ୟାଚ୍ ଦେଇଥିଲେ ହେଁ ଏହାକୁ ରାହଣେ ଧରି ପାରି ନଥିଲେ। କ୍ୟାଚ୍ ହାତ ଛଡ଼ା ହେବା ପରେ ସେହି ଓଭର୍ରେ ସୈନି ଜଙ୍ଘରେ ସମସ୍ୟା ଅନୁଭବ କରିଥିଲେ। ତୁରନ୍ତ ଦଳର ଫିଜିଓ ଆସିଥିଲେ।
କିଛି ସମୟ ସେ ସୈନିଙ୍କ ସହ କଥା ହୋଇଥିଲେ। ଶେଷ ଓଭର ଶେଷ ନ କରି ସେ ପଡ଼ିଆ ଛାଡ଼ିଥିଲେ। ତାଙ୍କ ଓଭର୍ର ଶେଷ ବଲଟି ରୋହିତ ଶର୍ମା ପକାଇଥିଲେ। ରୋହିତ ସର୍ବଦା ସ୍ପିନ ବୋଲିଂ କରୁଥିଲେ ହେଁ ଆଜି ସୈନିଙ୍କ ଓଭର୍ ଶେଷ କରିବା ପାଇଁ ଆବଶ୍ୟକ ଗୋଟିଏ ମିଡିୟମ ପେସ୍ରେ ପକାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।