ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡର ରେକର୍ଡ ନୈରାଶ୍ୟଜନକ

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଲିଗ୍ ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ତେଣୁ ଏବେ ଦୁଇ ଦଳ ପୁଣିଥରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଭରତ ୭ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟରେ ରହିଛି। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଓ ଚତୁର୍ଥ ଦଳ ଭାବେ ସେମିକୁ କ୍ୱାଲିଫାଏ କରିଛନ୍ତି। ଆସନ୍ତା ୯ ତାରିଖରେ ପ୍ରଥମ […]

nz

nz

Hemant Lenka
  • Published: Sunday, 07 July 2019
  • Updated: 07 July 2019, 08:30 PM IST

Sports

Latest News

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଲିଗ୍ ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ତେଣୁ ଏବେ ଦୁଇ ଦଳ ପୁଣିଥରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଭରତ ୭ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟରେ ରହିଛି। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଓ ଚତୁର୍ଥ ଦଳ ଭାବେ ସେମିକୁ କ୍ୱାଲିଫାଏ କରିଛନ୍ତି।

ଆସନ୍ତା ୯ ତାରିଖରେ ପ୍ରଥମ ସେମିଫାଇନାଲ୍ ମ୍ୟାଞ୍ଚେଷ୍ଟରରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବ। କ୍ରିକେଟ୍ ବିଶ୍ୱକପରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ସର୍ବାଧିକ ସେମିଫାଇନାଲ୍ ଖେଳିଛନ୍ତି। ଦୁହେଁ ଆଠଥର ଲେଖାଏ ସେମିରେ ପହଞ୍ଚିଛନ୍ତି । ତେବେ ଅଷ୍ଟ୍ରେଲିଆ ଏହା ପୂର୍ବରୁ ଖେଳିଥିବା ୭ଟି ଯାକ ସେମିଫାଇନାଲରେ ଆଦୌ ପରାସ୍ତ ହୋଇନାହିଁ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ୍ ୭ଟି ସେମିଫାନାଲରୁ ମାତ୍ର ଥରେ ବିଜୟୀ ହୋଇଛି। ନ୍ୟୁଜିଲ୍ୟାଣ୍ଡ୍ ୨୦୧୫ରେ ପ୍ରଥମଥର ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ଟାଇଟଲ୍ ମୁକାବିଲାରେ ଟିମ୍ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଥିଲା।

ଏଥର କେନ୍ ୱିଲିୟମସନଙ୍କ ଟିମ୍ ଅନ୍ତିମ-୪ରେ ରେକର୍ଡକୁ ସୁଧାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମଥର ପାଇଁ ଭାରତକୁ ବିଶ୍ୱକପ୍ ସେମିଫାଇନାଲରେ ଭେଟିବ। ଏହି ମୁକାବିଲା ପୂର୍ବରୁ ଆସନ୍ତୁ ନଜର ପକାଇବା ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ରେକର୍ଡ ଉପରେ।

୧୯୭୫: ପ୍ରଥମ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ୍ ୫ ୱିକେଟରେ ୱେଷ୍ଟଇଣ୍ଡିଜ୍ ନିକଟରୁ ପରାସ୍ତ ହୋଇଥିଲା। କ୍ଲାଇବ୍ ଲୟଡଙ୍କ ୱେଷ୍ଟଇଣ୍ଡିଜ୍ ଟିମ୍ ଗ୍ଲେନ୍ ଟର୍ଣ୍ଣରଙ୍କ ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ୫୨.୨ ଓଭରରେ ୧୫୮ ରନରେ ଅଲଆଉଟ୍ କରିଥିଲା। ଜବାବରେ ୱିଣ୍ଡିଜ୍ ୪୦.୧ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ୍ କରିନେଇଥିଲା।

୧୯୭୯: ଦ୍ୱିତୀୟ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ୍ ୯ ରନରେ ଇଂଲଣ୍ଡଠାରୁ ହାରିଯାଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬୦ ଓଭରରେ ୮ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୯ ୱିକେଟ୍ ବିନିମୟରେ ୨୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଜନ୍ ରାଇଟ୍ ସର୍ବାଧିକ ୬୯ ରନ୍ କରିଥିଲେ।

୧୯୯୨: ଆୟୋଜକ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲା। କିନ୍ତୁ ଅନ୍ତିମ-୪ରେ ଟିମ୍ ୪ ୱିକେଟରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା। ମାର୍ଟିନ୍ କ୍ରୋ (୯୧)ଙ୍କ ଦମଦାର ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ୍ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୧ ରନ୍ କରିଥିଲା। ଜବାବରେ ପାକିସ୍ତାନ ୬ ୱିକେଟ୍ ହରାଇ ଆବଶ୍ୟକ ରନ୍ କରିନେଇଥିଲା।

୧୯୯୯: ୭ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ୍ ପୁଣିଥରେ ସେମିରେ ପାକିସ୍ତାନକୁ ଭେଟିଥିଲା। ଏଥର ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ନିରାଶ ହେବାକୁ ପଡ଼ିଥିଲା। ପାକିସ୍ତାନ ଏହି ମୁକାବିଲାକୁ ୯ ୱିକେଟରେ ଜିତି ନେଇଥିଲା । ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ଜବାବରେ ପାକିସ୍ତାନ ୪୭.୩ ଓଭରରେ ମାତ୍ର ୧ ୱିକେଟ୍ ହରାଇ ୨୪୨ ରନ୍ କରି ବିଜୟୀ ହୋଇଥିଲା।

୨୦୦୭: ଏହି ସଂସ୍କରଣର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ୮୧ ରନରେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇଥିଲା। ମାହେଲା ଜୟବର୍ଦ୍ଧନେ (୧୧୫)ଙ୍କ ଅପରାଜିତ ଶତକ ବଳରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୫ ୱିକେଟ୍ ହରାଇ ୨୮୯ ରନ୍ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୪୧.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା।

୨୦୧୧: ନ୍ୟୁଜିଲ୍ୟାଣ୍ଡ୍ ପୁଣିଥରେ ସେମିଫାଇନାଲରେ ଶ୍ରୀଲଙ୍କା ନିକଟରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୮.୫ ଓଭରରେ ୨୧୭ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଶ୍ରୀଲଭ୍କା ୧୩ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା।

୨୦୧୫: ବିଶ୍ୱକପର ଏକାଦଶ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡର ଭାଗ ଫିଟିଥିଲା। ଏଥର ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ହରାଇ ପ୍ରଥମଥର ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲା। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୨୮୧ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ପରେ ଡିଏଲ୍ ନିୟମରେ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୪୩ ଓଭରରେ ୨୯୯ ରନର ଟାର୍ଗେଟ୍ ରଖାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ଗୋଟିଏ ବଲ୍ ଥାଇ ମ୍ୟାଚକୁ ଜିତି ଫାଇନାଲରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos