ପ୍ରଥମ ଦେଶ ଭାବେ ଇଂଲଣ୍ଡର ୫ ଲକ୍ଷ ରନ ପୂରଣ

ଜୋହାନ୍ସବର୍ଗ: ବିଶ୍ୱର ପ୍ରଥମ ଦେଶ ଭାବେ ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ୍‌ ହାସଲ କରିବାର ରେକର୍ଡ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ତଥା ୪ର୍ଥ ଟେଷ୍ଟରେ ଇଂଲଣ୍ଡ ଏହି ରେକର୍ଡର ଅଧିକାରୀ ହୋଇଛି।

ଶୁକ୍ରବାର ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍‌ କଭର ଅଞ୍ଚଳରେ ଏକ ରନ୍‌ ହାସଲ କରିବା କ୍ଷଣି ଇଂଲଣ୍ଡ କ୍ରିକେଟର ଏହି ୫ ଦିନିକିଆ ବିଶିଷ୍ଟ ଫର୍ମାଟରେ ୫ ଲକ୍ଷ ରନ୍‌ ପୂରଣ କରିବାର ଗୌରବ ହାସଲ କରିଥିଲା। ଇଂଲଣ୍ଡ ୧୦୨୨ଟି ଟେଷ୍ଟ ମ୍ୟାଚ୍‌ରେ ଏଭଳି ୫ ଲକ୍ଷ ରନ୍‌ ସଂଗ୍ରହ କରିଛି।

ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୮୩୦ଟି ଟେଷ୍ଟ ମ୍ୟାଚ୍‌ରେ ୪୩୧,୭୦୬ ରନ କରିଛି। ଭାରତ ୫୪୦ଟି ଟେଷ୍ଟରେ ୨୭୩,୫୧୮ ରନ୍‌ କରି ତୃତୀୟ ସ୍ଥାନରେ ଥିବା ବେଳେ ୫୪୫ ଟେଷ୍ଟ ମ୍ୟାଚ୍‌ରେ ୨୭୦,୪୪୧ ରନ୍‌ କରି ୱେଷ୍ଟଇଣ୍ଡିଜ ୪ର୍ଥ ସ୍ଥାନରେ ରହିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା କ୍ଷଣି ଇଂଲଣ୍ଡ ଆଉ ରେକର୍ଡର ଅଧିକାରୀ ହୋଇଥିଲା। ବିଶ୍ୱର ପ୍ରଥମ ଦେଶ ଭାବେ ଇଂଲଣ୍ଡ ବିଦେଶ ମାଟିରେ ୫୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଥିଲା। ସେହିପରି ବିଦେଶ ମାଟିରେ ୪୦୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଟିମ ଇଣ୍ଡିଆ ବିଦେଶ ମାଟିରେ ୨୬୮ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୫୧ଟିରେ ଜିତିଛି ଓ ୧୧୩ଟିରେ ହାରିଛି। ସେହିପରି ୧୦୪ଟି ଟେଷ୍ଟ ମ୍ୟାଚ୍‌ ଡ୍ର ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।