କଲମ୍ବୋ ଟେଷ୍ଟ: ନ୍ୟୁଜିଲ୍ୟାଣ୍ଡର ରୋମାଞ୍ଚକର ବିଜୟ

କଲମ୍ବୋ: କଲମ୍ବୋ ଟେଷ୍ଟକୁ ରୋମାଞ୍ଚକର ଢ଼ଙ୍ଗରେ ଜିତି ନେଇଛି ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ୍। ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ନ୍ୟୁଜିଲ୍ୟାଣ୍ଡ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଇନିଂସ୍ ଓ ୬୫ ରନରେ ବିଜୟୀ ହୋଇଛି। ଏଥିସହ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିବାରେ ସଫଳ ହୋଇଛି ନ୍ୟୁଜିଲ୍ୟାଣ୍ଡ। ବର୍ଷା ଯୋଗୁ ମ୍ୟାଚର ପ୍ରଥମ ଦୁଇଦିନରେ ମାତ୍ର ୬୬ ଓଭର ଖେଳ ସମ୍ଭବ ହୋଇଥିଲା। କିନ୍ତୁ ଶେଷ ତିନିଦିନରେ ନ୍ୟୁଜିଲ୍ୟାଣ୍ଡ୍ ଯେଉଁଭଳି ପ୍ରଦର୍ଶନ କଲା, ତାହା ଦଳକୁ ମ୍ୟାଚ୍ […]

nzvssl

nzvssl

Ranjit Kumar Jena
  • Published: Monday, 26 August 2019
  • Updated: 26 August 2019, 06:42 PM IST

Sports

Latest News

କଲମ୍ବୋ: କଲମ୍ବୋ ଟେଷ୍ଟକୁ ରୋମାଞ୍ଚକର ଢ଼ଙ୍ଗରେ ଜିତି ନେଇଛି ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ୍। ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ନ୍ୟୁଜିଲ୍ୟାଣ୍ଡ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଇନିଂସ୍ ଓ ୬୫ ରନରେ ବିଜୟୀ ହୋଇଛି। ଏଥିସହ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିବାରେ ସଫଳ ହୋଇଛି ନ୍ୟୁଜିଲ୍ୟାଣ୍ଡ। ବର୍ଷା ଯୋଗୁ ମ୍ୟାଚର ପ୍ରଥମ ଦୁଇଦିନରେ ମାତ୍ର ୬୬ ଓଭର ଖେଳ ସମ୍ଭବ ହୋଇଥିଲା। କିନ୍ତୁ ଶେଷ ତିନିଦିନରେ ନ୍ୟୁଜିଲ୍ୟାଣ୍ଡ୍ ଯେଉଁଭଳି ପ୍ରଦର୍ଶନ କଲା, ତାହା ଦଳକୁ ମ୍ୟାଚ୍ ଜିତାଇବା ପାଇଁ ଯଥେଷ୍ଟ ଥିଲା।

ସୋମବାର ପଞ୍ଚମ ତଥା ଅନ୍ତିମ ଦିବସରେ ନ୍ୟୁଜିଲ୍ୟାଣ୍ଡ୍ ୬ ୱିକେଟରେ ୪୩୧ ରନ୍ କରି ପାଳି ଘୋଷଣା କରିଥିଲା। ତେବେ ପ୍ରଥମ ଇନିଂସରେ ୧୮୭ ରନରେ ପଛୁଆ ଥିବା ଶ୍ରୀଲଙ୍କାକୁ ଟେଷ୍ଟ ମ୍ୟାଚ୍ ବଞ୍ଚାଇବା ପାଇଁ ଆଜି ପୂରା ଦିନ ବ୍ୟାଟିଂ କରିବାର ଥିଲା। କିନ୍ତୁ ଭ୍ରମଣକାରୀ ଦଳର ବୋଲିଂ ଆକ୍ରମଣ ଆଗରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ମାତ୍ର ୧୨୨ ରନରେ ଅଲଆଉଟ୍ ହୋଇ ପରାସ୍ତ ହୋଇଥିଲା।

ଶ୍ରୀଲଙ୍କା ପକ୍ଷରୁ ଦୁଇ ଓପ୍ନର ଲାହିରୁ ଥିରିମାନେ ଓ କୁଶଲ ପରେରା ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଥିରିମାନେ ଇନିଂସର ପଞ୍ଚମ ବଲରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିବା ବେଳେ ପରେରାଙ୍କୁ ଟ୍ରେଣ୍ଟ ବୋଲ୍ଟ ପ୍ୟାଭିଲିୟନ୍ ପଠାଇଥିଲେ। ମଧ୍ୟକ୍ରମରେ କୁଶଲ ମେଣ୍ଡିସ୍ (୨୦), ଆଞ୍ଜେଲୋ ମାଥ୍ୟୁସ୍ (୭) ଓ ଧନଞ୍ଜୟ ଡି'ସିଲଭା (୧) ନିରାଶ କରିଥିଲେ। ୩୨ ରନରେ ୫ ୱିକେଟ୍ ହରାଇ ଶ୍ରୀଲଙ୍କା ବିପଦରେ ପଡ଼ିଥିବା ବେଳେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିରୋଶନ୍ ଡିକୱେଲା ଓ କ୍ୟାପଟେନ୍ ଦିମୁତ କରୁଣାରତ୍ନେ ପାଖାପାଖି ୨୨ ଓଭର ବ୍ୟାଟିଂ କରି ଟିମକୁ ଇନିଂସ୍ ପରାଜୟରୁ ରୋକିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ନ୍ୟୁଜିଲ୍ୟାଣ୍ଡ୍ ଟିମର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଟିମ୍ ସାଉଦୀ ଭାଙ୍ଗିଥିଲେ।

କରୁଣାରତ୍ନେ ବ୍ୟକ୍ତିଗତ ୨୧ ରନ୍ କରିଥିବା ବେଳେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଦିଲରୁୱନ ପରେରାଙ୍କୁ ସାଉଦୀ ଖାତା ଖୋଲିବାକୁ ଦେଇନଥିଲେ। ଏହି ସମୟରେ ଏକାକୀ ଲଢ଼ୁଥିବା ଡିକୱେଲାଙ୍କୁ ସାଥ୍ ଦେଇଥିଲେ ସୁରଙ୍ଗା ଲାକମଲ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୪୦ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପର ଯୋଗଦାନ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗି ୱିଲିୟମ୍ ସମରଭିଲ୍ଲେ ମ୍ୟାଚକୁ ନ୍ୟୁଜିଲ୍ୟାଣ୍ଡ ମୁଠାରେ କରିଥିଲେ। ଲାକମଲ୍ ୧୪ ରନ୍ କରି ଟମ୍ ଲାଥାମଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଡିକୱେଲା ଅର୍ଦ୍ଧଶତକ ମାରିବା ପରେ ନିଜ ହରାଇଥିବା ବେଳେ ଲସିଥ୍ ଏମ୍ବୁଲଦେନିୟା (୫) ଅନ୍ତିମ ୱିକେଟ୍ ଭାବେ ପ୍ୟାଭିଲିୟନ୍ ଫେରିଥିଲେ। ଏଥିସହ ଶ୍ରୀଲଙ୍କା ଇନିଂସ୍ ୧୨୨ ରନରେ ସୀମିତ ରହିଯାଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ବୋଲ୍ଟ, ସାଉଦୀ, ଏଜାଜ ପଟେଲ୍ ଓ ସମରଭିଲ୍ଲେ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ସୋମବାର ନ୍ୟୁଜିଲ୍ୟାଣ୍ଡ୍ ତା'ର ପୂର୍ବଦିନର ସ୍କୋର ୩୮୨/୫)ରେ ଆଉ ୪୯ ରନ୍ ଯୋଡ଼ି ପାଳି ଘୋଷଣା କରିଥିଲା। କଲିନ୍ ଡି'ଗ୍ରାଣ୍ଡହୋମ୍ (୮୩) ଦିବସର ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ। ବିଜେ ୱାଟଲିଙ୍ଗ୍ ଜବରଦସ୍ତ ବ୍ୟାଟିଂ କରି କ୍ୟାରିୟରର ଷଷ୍ଠ ଶତକ ମାରିଥିବା ବେଳେ ସାଉଦୀ ଦ୍ରୁତ ୨୪ (୧୦ ବଲ୍, ୨ ଚୌକା, ୨ ଛକା) ରନ୍ କରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ୱାଟଲିଙ୍ଗ୍ ୨୨୬ ବଲରେ ୯ ଚୌକା ସହ ୧୦୫ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଆକର୍ଷଣୀୟ ୧୫୧ (୨୫୧ ବଲ୍, ୧୫ ଚୌକା) ରନର ଇନିଂସ୍ ଖେଳିଥିବା ଟମ୍ ଲାଥମ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସୂଚନାଯୋଗ୍ୟ, ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୪୪ ରନ୍ କରି ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos