ଓଡ଼ିଶାର ହ୍ୟାଟ୍ରିକ ବିଜୟ: ବସନ୍ତଙ୍କୁ ୯ ୱିକେଟ, ଶାନ୍ତନୁ ମ୍ୟାନ ଅଫ ଦି ମ୍ୟାଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ପଡ଼ିଆରେ ଓଡ଼ିଶାର ଦବଦବା ଜାରି ରହିଛି। କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ରଣଜୀ ଟ୍ରଫି ଏଲଇଟି ଗ୍ରୁପ୍ ସିରେ ସ୍ଥାନ ପାଇଥିବା ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ପ୍ରଥମେ ଛତିଶଗଡ଼ ଓ ପରେ ସର୍ଭିସେସ ବିପକ୍ଷରେ ଇନିଂସ ବିଜୟ ହାସଲ କରିଥିବା ଓଡ଼ିଶା ଆଜି ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି। ଉତ୍ତରାଖଣ୍ଡ ୬୦ ରନର ଟାର୍ଗେଟ ଦେଇଥିବା ବେଳେ ବିନା କୌଣସି ୱିକେଟ ହରାଇ ଓଡ଼ିଶା ଏହାକୁ ହାସଲ କରିନେଇଛି। […]

uk

uk

Hemant Lenka
  • Published: Saturday, 28 December 2019
  • Updated: 28 December 2019, 05:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ପଡ଼ିଆରେ ଓଡ଼ିଶାର ଦବଦବା ଜାରି ରହିଛି। କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ରଣଜୀ ଟ୍ରଫି ଏଲଇଟି ଗ୍ରୁପ୍ ସିରେ ସ୍ଥାନ ପାଇଥିବା ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ପ୍ରଥମେ ଛତିଶଗଡ଼ ଓ ପରେ ସର୍ଭିସେସ ବିପକ୍ଷରେ ଇନିଂସ ବିଜୟ ହାସଲ କରିଥିବା ଓଡ଼ିଶା ଆଜି ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି। ଉତ୍ତରାଖଣ୍ଡ ୬୦ ରନର ଟାର୍ଗେଟ ଦେଇଥିବା ବେଳେ ବିନା କୌଣସି ୱିକେଟ ହରାଇ ଓଡ଼ିଶା ଏହାକୁ ହାସଲ କରିନେଇଛି।

ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥର ମଧ୍ୟ ଟିମ୍‌ ଓଡ଼ିଶା ବୋଲରଙ୍କ ଦମରେ ବିଜୟ ହାସଲ କରିଛି। ଗୋଟିଏ ମ୍ୟାଚ୍‌ରେ ଦ୍ରୁତ ବୋଲର ବସନ୍ତ ମହାନ୍ତି ୯ଟି ୱିକେଟ ଦଖଲ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ପ୍ରଥମ ଇନିଂସରେ ୬ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ ନେଇଛନ୍ତି।

ସେହିପରି ସୂର୍ଯ୍ୟକାନ୍ତ ପ୍ରଧାନ ଦୁଇଟି ଯାକ ଇନିଂସରେ ୬ଟି ୱିକେଟ ପାଇଛନ୍ତି। ପ୍ରଥମ ଇନିଂସରେ ଗୋଟିଏ ଓ ଦ୍ୱିତୀୟ ଇନିଂସ୍‌ରେ ସେ ୫ ଜଣ ଉତ୍ତରାଖଣ୍ଡ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ତେବେ ପ୍ରଥମ ଇନିଂସ୍‌ରେ ଦମଦାର ଶତକ ହାସଲ କରିଥିବା ଶାନ୍ତନୁ ମିଶ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ପ୍ରଥମ ଇନିଂସ୍‌ରେ ଉତ୍ତରାଖଣ୍ଡ ମାତ୍ର ୧୧୭ ରନ୍‌ କରିଥିଲା। ଏହାର ଜବାବରେ ଓଡ଼ିଶା ତା’ର ପ୍ରଥମ ଇନିଂସ୍‌ରେ ଯୁବ ଓପନର ଶାନ୍ତନୁ ମିଶ୍ରଙ୍କ ଦମଦାର ଶତକ (୧୧୦) ବଳରେ ୨୫୩ ରନ କରିଥିଲା। ଫଳରେ ଦଳ ଗୁରୁତ୍ୱପୂର୍ଣ୍ଣ ୧୩୭ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଏହାର ଜବାବରେ ଉତ୍ତରାଖଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଗତକାଲି ଅର୍ଥାତ ତୃତୀୟ ଦିବସ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ତା’ର ଦ୍ୱିତୀୟ ଇନିଂସ୍‌ରେ ୪ ୱିକେଟ ହରାଇ ୫୪ ରନ୍‌ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟସମ୍ୟାନ ଦୀକ୍ଷାଂଶୁ ନେଗି(୨୩) ଓ କରନବୀର କୌଶାଲ(୦) ଇନିଂସ ଆରମ୍ଭ କରିଥିଲେ। ଉଭୟ କିଛି ସମୟ ପାଇଁ ବେଶ ସତର୍କତା ସହ ଖେଳିଥିଲେ।

କିନ୍ତୁ ଦଳୀୟ ସ୍କୋର ୮୨ ଥିବା ବେଳେ ବସନ୍ତ ମହାନ୍ତି ବ୍ୟକ୍ତିଗତ ୧୨ ରନ କରିଥିବା କୌଶାଲଙ୍କୁ କ୍ଲିନବୋଲ୍ଡ କରି ଓଡ଼ିଶାକୁ ଦିବସର ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଭଲ ବ୍ୟାଟିଂ କରି ୪୦ ରନ୍‌ କରିଥିବା ନେଗିଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ୟାଭିଲିୟନ ପଠାଇଥିଲେ।

୧୨୧ ରନ୍‌ରେ ଦଳ ରାହିଲ ଶାହ(୧୧) ଓ ସନ୍ନି(୦)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏହି ଦୁଇଟି ଯାକ ୱିକେଟ ସୂର୍ଯ୍ୟକାନ୍ତ ହିଁ ନେଇଥିଲେ। ନିମ୍ନ ଭାଗରେ ଧନରାଜ ଶର୍ମା ପ୍ରଥମେ ପ୍ରଦୀପ ଚାମୋଲିଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ଧନରାଜ ନିଜର ଅର୍ଦ୍ଧଶତକ ହାସଲ କରି ଓଡ଼ିଶା ବୋଲରଙ୍କୁ ନିରାଶ କରାଇଥିଲେ।

ତେବେ ସେ ଅର୍ଦ୍ଧଶତକ ପୂରଣ କରିବା କ୍ଷଣି ସୂର୍ଯ୍ୟକାନ୍ତ ତାଙ୍କୁ ଆଉଟ କରି ଦେଇଥିଲେ। ଶେଷ ୱିକେଟ ପାଇଁ ଚାମୋଲି(୨୫) ଓ ମାକାଶ ମାଣ୍ଡୱାଲା(୨୦) କଷ୍ଟମଷ୍ଟେ ଦଳୀୟ ସ୍କୋରକୁ ୧୯୫ରେ ପହଞ୍ଚାଇଥିଲେ। ତେବେ ଆକାଶଙ୍କୁ ଦେବବ୍ରତ ପ୍ରଧାନ ବୋଲ୍ଡ କରି ଉତ୍ତରାଖଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଉତ୍ତରାଖଣ୍ଡ ୧୯୫ ରନ୍‌ କରିବାରୁ ଓଡ଼ିଶାକୁ ଏହି ମ୍ୟାଚ୍‌ଟିକୁ ଶେଷ ଦିନରେ ଜିତିବା ପାଇଁ ୬୦ ରନର ଟାର୍ଗେଟ ମିଳିଥିଲା। ଖରାପ ପାଗ ଯୋଗୁ ଖେଳ ଆଗୁଆ ବନ୍ଦ ହେବାର ମଧ୍ୟ ଆଶଙ୍କା ଥିଲା। ଏପର କି ଓପନର ଦେବାଶିଷ ସାମନ୍ତରାୟ ୭ ରନ୍‌ କରି ରିର୍ଟାଡ ହର୍ଟ ହୋଇଥିଲେ।

ତେଣୁ ଓଡ଼ିଶାର ବିଜୟ ଉପରେ କଳା ବାଦଲ ଖେଳି ଯାଇଥିଲ। କିନ୍ତୁ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଶାନ୍ତନୁ ଓ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ଉତ୍ତରାଖଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ୨୧.୪ ଓଭରରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲେ। ଶାନ୍ତନୁ ୨୯ ଓ ପୋଦ୍ଦାର ୨୬ ରନ୍‌ କରି ଅପରାଜିତ ରହି ଓଡ଼ିଶାକୁ ୧୦ ୱିକେଟରେ ବିଜୟ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos