ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପରେ ଭାରତୀୟ ମହିଳା କ୍ରିକେଟ ଟିମ୍କୁ ବ୍ଲ୍ୟୁ ବଦଳରେ ଧଳା ଜର୍ସିରେ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବ। କାରଣ ଭାରତରେ ହେବାକୁ ଯାଉଛି ମହିଳା ଟେଷ୍ଟ ସିରିଜ୍। ଏହି ଟେଷ୍ଟ ସିରିଜ୍ରେ ଗୋଟିଏ ମ୍ୟାଚ୍ ଖେଳାଯିବ। ଭାରତର ମହିଳା ଟିମ୍ ସହ ମ୍ୟାଚ୍ ଖେଳିବାକୁ ଟିମ୍ ଇଂଲଣ୍ଡ ଖୁବଶୀଘ୍ର ଭାରତ ଆସିବ। ଆଜି ଏ ସମ୍ପର୍କରେ ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ୱିଟ କରି ସୂଚନା ଦେଇଛନ୍ତି।
ଶ୍ରୀ ଶାହ ଟ୍ୱିଟ କରି କହିଛନ୍ତି, ବିଶ୍ୱ ମହିଳା ଦିବସରେ ମୁଁ ବେଶ ଗର୍ବର ସହ କହିବାକୁ ଚାହୁଁଛି ଯେ ଚଳିତ ବର୍ଷ ଭାରତୀୟ ମହିଳା ଟିମ୍ ଗୋଟିଏ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡ ମହିଳା ଟିମ୍ ସହ ଖେଳିବ। ବ୍ଲ୍ୟୁ ରଙ୍ଗର ମହିଳା ଏବେ ପୁଣିଥରେ ଧଳା ଜର୍ସିରେ ଚମକିବେ।
ଭାରତୀୟ ମହିଳା କ୍ରିକେଟ ଟିମ୍ ଶେଷଥର ପାଇଁ ୨୦୧୪ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲା। ଏହା ମହୀଶୂରରେ ଖେଳାଯାଇଥିଲା। ସେବେଠାରୁ ଆଉ ମହିଳା କ୍ରିକେଟ ଟିମ୍କୁ ଧଳା ଜର୍ସିରେ ଦେଖିବାକୁ ମିଳିନାହିଁ। ସେହିପରି ଇଂଲଣ୍ଡକୁ ଭାରତୀୟ ମହିଳା ଟିମ୍ ଶେଷଥର ପାଇଁ ୨୦୧୪ ଅଗଷ୍ଟରେ ଟେଷ୍ଟ ମ୍ୟାଚ୍ରେ ଭେଟିଥିଲା। ଏହି ମ୍ୟାଚ୍ରେ ମିତାଲି ରାଜଙ୍କ ଟିମ୍ ଇଣ୍ଡିଆ ଇଂଲଣ୍ଡ ମହିଳା ଟିମ୍କୁ ୬ ୱିକେଟରେ ହରାଇ ଦେଇଥିଲା।
କରୋନା କଟକଣା କୋହଳ ପରେ ଭାରତୀୟ ମହିଳା ଟିମ୍ ଗତକାଲି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବା ଆରମ୍ଭ କରିଛି। ଏହି ୫ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ ୮ ୱିକେଟରେ ପରାସ୍ତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।