ଆଇଏସଏସଏଫ ବିଶ୍ୱକପ୍‌: ୩ ଶୁଟର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ଆଇଏସଏସଏଫ ବିଶ୍ୱକପ ଶୁଟିଂରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ଭାଗ ନେଇଥିବା ଜଣଙ୍କ ପରେ ଜଣେ ଶୁଟର କରୋନାରେ ଆକ୍ରାନ୍ତ ହେଉଥିବାରୁ ଆୟୋଜକଙ୍କ ଚିନ୍ତା ବଢ଼ିଛି। ଏହିକ୍ରମରେ ଆଜି ଆଉ ୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ନ୍ୟାଶନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଏହି ସୂଚନା ମିଳିଛି।

୩ ଶୁଟରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ହୋଟେଲ ରୁମ୍‌ରେ ହିଁ ଆସୋଲେସନରେ ରଖାଯାଇଛି। ସେହିପରି ଏହି ୩ ଶୁଟରଙ୍କ ସହ ରୁମ ଶେୟାର କରିଥିବା ପ୍ରତିଯୋଗୀଙ୍କର କରୋନା ଟେଷ୍ଟ କରାଯାଇଛି। ସେମାନେ ମଧ୍ୟ ଆଇସୋଲେସନରେ ରହିଛନ୍ତି। କିନ୍ତୁ ସେମାନଙ୍କର ଟେଷ୍ଟ ରିପୋର୍ଟ ଏଯାଏ ଆସିନାହିଁ।

ସୂତ୍ର ଅନୁସାରେ, ୩ ଜଣ କରୋନା ଆକ୍ରାନ୍ତ ଶୁଟରଙ୍କ ମଧ୍ୟରୁ ୨ ଜଣ ଭାରତୀୟ କଣ୍ଟିଜେଣ୍ଟର ସଦସ୍ୟ। ହେଲେ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ଯାଇନାହିଁ।

ଗୁରୁବାର ଆଇଏସଏସଏଫ ବିଶ୍ୱକପରେ ଭାଗ ନେଇଥିବା ଜଣେ ଅନ୍ତର୍ଜାତୀୟ ସ୍ତରର ଶୁଟର କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଏବେ ହସ୍ପିଟାଲରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।