ରସେଲଙ୍କ ପରେ ଭିଡିଓ ଜାରି କରି ମୋଦିଙ୍କୁ ଧନ୍ୟବାଦ ଦେଲେ କ୍ରିସ ଗେଲ୍

ନୂଆଦିଲ୍ଲୀ: ବିଶ୍ୱର ବିସ୍ଫୋରକ ବ୍ୟାଟସମ୍ୟାନ ତଥା ୱେଷ୍ଟଇଣ୍ଡିଜ୍‌ କ୍ରିକେଟର କ୍ରିସ୍‌ ଗେଲ୍‌ ଗୋଟିଏ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ପକ୍ଷରୁ ଜାମାଇକାକୁ କରୋନା ଟିକା ପଠା ଯାଇଥିବାରୁ ଗେଲ୍ ଭିଡିଓ ଜାରି କରି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗେଲ୍‌ ଜାମାଇକାର ଦ୍ୱିତୀୟ ବ୍ୟାଟସମ୍ୟାନ ଭାବେ ମୋଦିଙ୍କୁ ଟିକା ପାଇଁ ଏପରି ଧନ୍ୟବାଦ ଜଣାଇଛନ୍ତି। ଏହାପୂର୍ବରୁ ଭାରତ ସରକାର ଜାମାଇକାକୁ ୫୦ ହଜାର କରୋନା ଟିକାର ଡୋଜ୍‌ ପଠାଇଥିବାରୁ ଆନ୍ଦ୍ରେ ରସେଲ ମଧ୍ୟ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜାମାଇକାରେ ଥିବା ଭାରତୀୟ ହାଇକମିଶନ ଗେଲ୍‌ରଙ୍କର ୧୭ ସେକେଣ୍ଡର ଭିଡିଓକୁ ଟ୍ୱିଟ କରିଛି। ଏଥିରେ ଗେଲ କହିଛନ୍ତି ଯେ “ଜାମାଇକାକୁ ଟିକା ପଠାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି, ଭାରତ ସରକାର ଓ ଭାରତୀୟମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆମେ ଏହାକୁ ପ୍ରଶଂସା ଓ ସାଧୁବାଦ ମଧ୍ୟ ଜଣାଉଛୁ।”


ଗେଲ୍‌ ଗୁରୁବାର ଭାରତୀୟ ହାଇକମିଶନର ଆର ମାସାକୁଇଙ୍କୁ ମଧ୍ୟ ଭେଟିଥିଲେ। ହାଇକମିଶନରେ ଗେଲ୍‌ ଓ ମାସାକୁଇ କଥାବାର୍ତ୍ତା ହେଉଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

ଗେଲ୍‌ଙ୍କ ପୂର୍ବରୁ ରସେଲ ଭିଡିଓ ଜାରି କରି କହିଥିଲେ ଯେ “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ହାଇକମିଶନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଏବେ ଟିକା ଏଠାରେ ରହିଛି ଓ ଏହାକୁ ନେଇ ଆମେ ବେଶ୍‌ ଉତ୍ପାହିତ। ବିଶ୍ୱ କେବେ ସ୍ୱାଭାବିକ ଅବସ୍ଥାକୁ ଫେରିବ, ତା’କୁ ମୁଁ ଅପେକ୍ଷା କରି ରହିଛି। ଜାମାଇକାବାସୀ ଭାରତର ଏହି ବଦାନ୍ୟତାକୁ ପ୍ରଶଂସା କରିଛନ୍ତି। ଭାରତ ଓ ଜାମାଇକା ଏବେ ଭାଇଭାଇ।”


ଚଳିତ ମାସରେ ଭାରତ ପକ୍ଷରୁ ଏକାଧିକ ରାଷ୍ଟ୍ରକୁ ମେଡ-ଇନ୍‌ ଇଣ୍ଡିଆ କରୋନା ଟିକା ବିଭିନ୍ନ ରାଷ୍ଟ୍ରକୁ ପଠାଯାଇଥିଲା। ଏହିକ୍ରମରେ ୫୦ ହଜାର ଟିକାର ଡୋଜ୍‌ ଜାମାଇକାକୁ ମଧ୍ୟ ପଠାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।