ସୌରଭ ଗାଙ୍ଗୁଲିଙ୍କ ପାଇଁ ବିଜେପି-ଟିଏମସି ମୁହାଁମୁହିଁ

ନୂଆଦିଲ୍ଲୀ: ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲି ଆଉ କାମ କରିବେ ନାହିଁ। ତାଙ୍କୁ ବିସିସିଆଇ ବସ ବଦଳରେ ଆଇପିଏଲ ଅଧ୍ୟକ୍ଷ ହେବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଏଥିରେ ରାଜି ହୋଇ ନଥିବା ରିପୋର୍ଟ ପ୍ରକାଶ ପାଇଛି। ଗାଙ୍ଗୁଲି ବିସିସିଆଇ ବସ୍‌ ଭାବେ କାମ କରିବେ ନାହିଁ ବୋଲି ଖବର ପ୍ରକାଶ ପାଇବା ପରେ ବିଜେପି ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି।

ଗାଙ୍ଗୁଲିଙ୍କ ବଦଳରେ ପୂର୍ବତନ କ୍ରିକେଟର ରୋଜର ବିନ୍ନି ବିସିସିଆଇ ସଭାପତି ହେବେ ବୋଲି କୁହାଯାଇଛି। ତେବେ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି ପଦରୁ ହଟାଇବା ପଛରେ ବିଜେପିର ହାତ ରହିଛି ଓ ରାଜନୀତିକ ଆକ୍ରୋଶରୁ ଦଳ ଏପରି କରିଛି ବୋଲି ଟିଏମସି ଅଭିଯୋଗ କରିଛି।

ଟିଏମସିର ସାଂସଦ ଶାନ୍ତନୁ ସେନ କହିଛନ୍ତି, ଏହା ରାଜନୀତି ଆକ୍ରୋଶର ଆଉ ଏକ ନମୁନା। ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇ ସଂପାଦକ ପଦରେ ରହିପାରିବେ। କିନ୍ତୁ ଗାଙ୍ଗୁଲି ସଭାପତି ପଦରେ ରହିପାରିବେ ନାହିଁ। ସେ ପଶ୍ଚିମବଙ୍ଗ ମାଟିର ହୋଇଥିବାରୁ ନା ବିଜେପିରେ ସାମିଲ ନ ହେବାରୁ ଏମିତି ଘଟିଛି? ଆମେ ଆପଣଙ୍କ ସହ ରହିଛୁ ଦାଦା ବୋଲି ସେ ଟ୍ୱିଟ କରିଛନ୍ତି।


ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାଂସଦ ସେନ ଆହୁରି କହିଛନ୍ତି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ମେ’ ମାସରେ ଗାଙ୍ଗୁଲିଙ୍କ ଘରକୁ ଡିନର ପାଇଁ ଆସିଥିଲେ। ସେ ଏକାଧିକ ଥର ଗାଙ୍ଗୁଲିଙ୍କୁ ବିଜେପିରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଗାଙ୍ଗୁଲିଙ୍କୁ ବିଜେପି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଚେହେରା କରିବାକୁ ଚାହୁଁଥିଲା।

ହେଲେ ଗାଙ୍ଗୁଲି ବିଜେପିର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ। ତେଣୁ ତାଙ୍କ ଠାରୁ ବିସିସିଆଇ ସଭାପତି ପଦ ଛଡ଼ାଇ ନିଆଯାଇଛି। ଏହା ଶସ୍ତା ରାଜନୀତି। ବିଜେପି ସବୁ ବଡ଼ବଡ଼ ପଦ ନିଜ ସଦସ୍ୟଙ୍କ ପରିବାର ଲୋକଙ୍କ ପାଇଁ ସଂରକ୍ଷିତ କରି ରଖୁଛି ବୋଲି ସେ ଦାବି କରିଛନ୍ତି।

ଏହାକୁ ବିଜେପି ନେତା ଦିଲୀପ ଘୋଷ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କୁ କୌଣସି ଉପାୟରେ ଶାନ୍ତନୁ ସେନ କିମ୍ବା ତାଙ୍କ ପାର୍ଟି ସହଯୋଗ କରିଥିବା ମୁଁ କାହିଁ ଜାଣନି। ଟିଏମସି ରାଜନୀତି ଖେଳ ଖେଳିବାରେ ମାହିର ଓ ଏବେ ମଧ୍ୟ ସେମାନେ ଏହା ଜାରି ରଖିଛନ୍ତି। କ’ଣ ରୋଜର ବିନ୍ନି କେବେ ହେଲେ ବିଜେପି ସହ ଜଡ଼ିତ ଥିଲେ? ବିଜେପିକୁ ଟାର୍ଗେଟ କରିବା ପୂର୍ବରୁ ବେଙ୍ଗଲ ସରକାର ରାଜ୍ୟରେ ଖେଳର ବିକାଶ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ମସିହା ନଭେମ୍ବର ୧୯ରେ ବିସିସିଆଇ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିକଟରେ ହୋଇଥିବା ବିସିସିଆଇ ପଦାଧିକାରୀ ବୈଠକ ବେଳେ ଗାଙ୍ଗୁଲି ଆଉ ଏହି ପଦରେ ରହିବାକୁ ଚାହୁଁ ନଥିବା ଜଣାପଡ଼ିଥିଲା। ଏଥିପାଇଁ ରୋଜର ବିନ୍ନି ବିସିସିଆଇ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।