କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଭାରତର ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଶଟଲର ଲକ୍ଷ୍ୟ ସେନ ନିଜ ବ୍ୟାଡମିଣ୍ଟନ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଆଜି ଜାରି ହୋଇଥିବା ବିଡବ୍ଲ୍ୟୁଏଫ ରାଙ୍କିଙ୍ଗ ତାଲିକାର ୬ଷ୍ଠ ସ୍ଥାନରେ ଲକ୍ଷ୍ୟ ସେନ ରହିଛନ୍ତି। ସେହିପରି ମହିଳା ବର୍ଗରେ ଭାରତର ପିଭି ସିନ୍ଧୁ ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ୱ ରାଙ୍କିଙ୍ଗର ୫ମ ସ୍ଥାନ ଦଖଲ କରିଛନ୍ତି।

୨୦୨୨ ଲକ୍ଷ୍ୟ ସେନଙ୍କ ପାଇଁ ବେଶ ଚମତ୍କାର ରହିଛି। ସେ ଅଗଷ୍ଟ ମାସରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ପୁରୁଷ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ଥୋମାସ କପରେ ଚାମ୍ପିୟନ ହୋଇଥିବା ଭାରତୀୟ ଦଳରେ ମଧ୍ୟ ଲକ୍ଷ୍ୟ ସେନ ରହିଥିଲେ। କ୍ରମାଗତ ସଫଳତା ଯୋଗୁ ବିଶ୍ୱ ବ୍ୟାଡମିଣ୍ଟନ ରାଙ୍କିଙ୍ଗରେ ତାଙ୍କୁ ଫାଇଦା ମିଳିଛି।

ପ୍ରଥମଥର ପାଇଁ ଫ୍ରେଞ୍ଚ ଓପନରେ ଚାମ୍ପିୟନ ହୋଇଥିବା ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଈରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମଧ୍ୟ ଡବଲ୍ସ ରାଙ୍କିଙ୍ଗରେ ଫାଇଦା ମିଳିଛି। ରାଙ୍କିଙ୍ଗର ୭ମ ସ୍ଥାନରେ ଏହି ଭାରତୀୟ ଯୋଡ଼ି ପହଞ୍ଚି ଯାଇଛନ୍ତି। ଏହା ସାତ୍ତ୍ୱିକ ଓ ଚରାଗଙ୍କ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗ।

ସେହିପରି ଭାରତୀୟ ମହିଳା ଯୋଡ଼ି ତ୍ରିସା ଜଲ୍ଲୀ ଓ ଗାୟତ୍ରୀ ଗୋପିଚାନ୍ଦ ୫ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୨୩ତମ ସ୍ଥାନରେ ପହଞ୍ଚିଛନ୍ତି। ମିକ୍ସଡ ଡବଲ୍ସରେ ଭାରତ ଈଶାନ ଭଟନାଗର ଓ ତନିଶା କ୍ରାଷ୍ଟୋ ୨ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୮ତମ ସ୍ଥାନ ଦଖଲ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।