କୁନି ଝିଅକୁ ଦେଇ ଦେଲେ ବିଜୟୀ ରାକେଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚ୍ ୱିମ୍ବଲଡନ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି। ଏହା ତାଙ୍କ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଥିଲା। ଜୋକୋଭିଚ୍ ଯେ କେବଳ ଟାଇଟଲ୍‌ ଜିତିଛନ୍ତି ତାହା ନୁହେଁ। ମ୍ୟାଚ୍ ପରେ ସେ ଅଗଣିତ ଫ୍ୟାନଙ୍କର ହୃଦୟ ମଧ୍ୟ ଜିଣିଛନ୍ତି। ମ୍ୟାଚ୍ ଜିତିବା ପରେ ଷ୍ଟାଣ୍ଡରେ ବସିଥିବା କିଛି ଫ୍ୟାନ୍ ତାଙ୍କୁ ଚିୟର୍ କରୁଥିଲେ। ଏହି ସମୟରେ ଜୋକୋଭିଚଙ୍କ ନଜର୍ ଏକ କୁନି ଝିଅ ଉପରେ ପଡ଼ିଥିଲା, ଯିଏ ହାତରେ ଏକ ପ୍ଲାକାର୍ଡ ଧରିଥିଲା, ଯେଉଁଥିରେ ନୋଭାକ ନାଁ ଲେଖାଥିଲା।

ଜୋକୋଭିଚ୍ ତୁରନ୍ତ ସେହି କୁନି ଝିଅ ପାଖକୁ ଦୌଡ଼ିଥିଲେ ଏବଂ ନିଜର ରାକେଟକୁ ସେହି କୁନି ଫ୍ୟାନଙ୍କୁ ଦେଇଥିଲେ। ଏହା ପୂର୍ବରୁ ଗତ ମାସରେ ଫ୍ରେଞ୍ଚ୍ ଓପନ୍ ଜିତିବା ପରେ ମଧ୍ୟ ଜୋକୋଭିଚ୍ ଏଭଳି କରିଥିଲେ। ଏବେ ୱିମ୍ବଲଡନରେ ଜୋକୋଭିଚ୍ ନିଜ ରାକେଟ୍ ଦେଇ ମହାନତାର ପରିଚୟ ଦେଇଛନ୍ତି। କୁନି ଝିଅକୁ ରାକେଟ୍ ଦେଉଥିବା ଭିଡିଓ ୱିମ୍ବଲଡନ୍ ତା’ର ଅଫିସିଆଲ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି। ଏହି ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି।

 

View this post on Instagram

 

A post shared by Wimbledon (@wimbledon)

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜୋକୋଭିଚ୍ ଇଟାଲୀର ମାଟିଓ ବେରେଟ୍ଟିନୀଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି। ଟାଇଟଲ୍ ମୁକାବିଲାରେ ସେ ୬-୭(୪/୭), ୬-୪, ୬-୪, ୬-୩ ସେଟରେ ବିଜୟୀ ହୋଇ ରେକର୍ଡ ୨୦ତମ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି।

ଏଥିସହ ସେ ରୋଜର୍ ଫେଡେରର୍ ଓ ନାଡାଲଙ୍କ (ଉଭୟେ ୨୦ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି) ରେକର୍ଡ ସମକକ୍ଷ ହୋଇଛନ୍ତି। ଚଳିତ ବର୍ଷ ଜୋକୋଭିଚ୍ ଏପର୍ଯ୍ୟନ୍ତ ତିନୋଟି ଯାକ ଗ୍ରାଣ୍ଡସ୍ଲାମ୍ ଜିତିସାରିଥିବା ବେଳେ ତାଙ୍କ ପାଖରେ ଏବେ ଗ୍ରାଣ୍ଡସ୍ଲାମ୍ ପୂରଣ କରିବାର ଭଲ ସୁଯୋଗ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।